ଆଇନ ଜାଲରେ ଛନ୍ଦିହୋଇଛି ଭବିଷ୍ୟତ; ପାଠପଢ଼ା, ନାମଲେଖାରୁ ବଞ୍ଚିତ ଛାତ୍ର

ମୁଁ କିଛି କରିପାରିବିନି: ବିଇଓ

ଚିକିଟି : ଆ‌ଇନର ଜାଲରେ ଛନ୍ଦି ହୋଇ ରହିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଗୋଟିଏ ପଟେ ସ୍କୁଲ୍‌ ମିଶ୍ରଣ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାବେଳେ ଅନ୍ୟପଟେ ପଞ୍ଚମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଷଷ୍ଠ ‌ଶ୍ରେଣୀରେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ହେଲେ ଏଭଳି ଘଡ଼ିସନ୍ଧି ସମୟରେ ବ୍ଲକ୍ ଶିକ୍ଷାଧିକାରୀ ହାତ ଟେକିଦେବା ସହ ନିରୁପାୟ ବୋଲି କହିଛନ୍ତି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ବୀରମେଖପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପଞ୍ଚମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବର୍ତ୍ତମାନ ନାମ ଲେଖି ନପାରି ଅସୁବିଧାରେ ପଡ଼ିଥିବା ଭଳି ଘଟଣା ସାମ୍ନାକୁ ଆସିଛି।

ଛାତ୍ରଛାତ୍ରୀଙ୍କ କମ୍ ଉପସ୍ଥାନ ଦର୍ଶାଇ ଗଞ୍ଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟକୁ ମିଶ୍ରଣ ପାଇଁ ତାଲିକା ପ୍ରସ୍ତୁତ ହୋଇଥିଲା। ଏହି ତାଲିକାରେ ବୀରମେଖପୁର ପ୍ରାଥମିକ ବିଦ୍ୟାଳୟର ନାମ ବି ସ୍ଥାନ ପାଇଥିଲା। ଏହି ଅନୁଷ୍ଠାନକୁ ନିକଟ ଗୁମ୍ମାବୀରସିଂହପୁର ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ। ବିଦ୍ୟାଳୟ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିଥିଲେ। ଏପରିକି ବିଦ୍ୟାଳୟକୁ ନଥିପତ୍ର ଆଣିବାକୁ ଯାଇଥିବା ଶିକ୍ଷକ ଏବଂ ସିଆରସିସିଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ। ଏହାସହ ପରେ ଚିକିଟି ବିଇଓ ଅଫିସ୍ ସାମ୍ନାରେ ଗ୍ରାମବାସୀ ଅନଶନରେ ବସି ମିଶ୍ରଣ ନିଷ୍ପତ୍ତି ବିରୋଧରେ ସ୍ବରୋତ୍ତୋଳନ କରିଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଗତବର୍ଷ ନଭେମ୍ବର ୨୦ ତାରିଖରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଜଣିକିଆ ବେଞ୍ଚ୍ ଏହାର ଶୁଣାଣି କରି ବିଦ୍ୟାଳୟ ସ୍ଥାନାନ୍ତର ନକରିବା ସପକ୍ଷରେ ରାୟ ଶୁଣାଇଥିଲେ। ତେବେ ପରେ ରାଜ୍ୟ ସରକାରଙ୍କ ତରଫରୁ ପୁନର୍ବିଚାର ପାଇଁ ରିଟ୍ ଆବେଦନ ହୋଇଛି। ଯାହାକି ବର୍ତ୍ତମାନ ବିଚାରାଧୀନ ରହିଛି।

ତେବେ, ଆଇନର ଅଡ଼ୁ୍ଆ ସୂତା ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବନ୍ଧା ପଡ଼ିଛି। ଏହି ବିଦ୍ୟାଳୟରୁ ୫ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଟିସି ମିଳୁ ନଥିବାରୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇପାରୁନାହାନ୍ତି। ଆଉ ପିଲାଙ୍କ ଭବିଷ୍ୟତକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି। ଏହାଦ୍ବାରା ଶିକ୍ଷାଧିକାର ଆଇନର ଉଲ୍ଲଂଘନ ହେଉଥିବା ଧନୁ ପ୍ରଧାନ ଓ ସାନ୍ତନୁ ପ୍ରଧାନଙ୍କ ସମେତ ଅନ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ ସ୍ବରୂପ ସମସ୍ୟାର ସମାଧାନ କରିବା ଲାଗି ଦାବି ହୋଇଛି। ଅନ୍ୟପକ୍ଷରେ ବ୍ଲକ୍ ଶିକ୍ଷାଧିକାରୀ କୋରେଶୁ ସେଠୀ କହିଛନ୍ତି, ମାମଲା ଅଦାଲତରେ ବିଚାରାଧୀନ ଥିବାରୁ ମୁଁ କିଛି କରିପାରିନି।

ସମ୍ବନ୍ଧିତ ଖବର