ଆଇଟିଆଇ ମୁହାଁ ଛାତ୍ରୀ : ୩ ବର୍ଷରେ ସରକାରୀ ଆଇଟିଆଇରେ ବଢ଼ିଲେ ୧୨%

ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ବି ସିଟ୍‌ ଖାଲି

ଭୁବନେଶ୍ବର : ସରକାରୀ ଆଇଟିଆଇ, ପଲିଟେକ୍‌ନିକ୍‌ ଓ ଯାନ୍ତ୍ରିକ ମହାବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଏକାଧିକ ପଦକ୍ଷେପ ନେଉଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା‌ ବିଭାଗ। ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି ପାଇଁ ‘ସୁଦକ୍ଷା’ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରାଯାଇଛି। ସରକାରୀ ଓ ବେସରକାରୀ ଆଇଟିଆଇରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ନାମଲେଖା କରାଯାଉଥିବା ବେଳେ ଏକକ ବିଲଡିଂ କଲର, ଆଇଟିଆଇ ଫେଷ୍ଟ, ଦକ୍ଷତା ସଂଗ୍ରହାଳୟ, ଶ୍ରେଷ୍ଠ ଆଇଟିଆଇ ଚୟନ, ଓଡ଼ିଶା ଦକ୍ଷତା ପ୍ରତିଯୋଗିତା ପରି କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଆଇଟିଆଇଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଗତ ତିନି ବର୍ଷରେ ଛାତ୍ରୀଙ୍କ ସଂଖ୍ୟା ୧୨% ବୃଦ୍ଧି ପାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା‌ ବିଭାଗ ସଚିବ ସଞ୍ଜୟ ସିଂହ କହିଛନ୍ତି।

ଏବେ ରାଜ୍ୟରେ ୪୯ଟି ସରକାରୀ ଓ ୪୯୨ଟି ଘରୋଇ ଆଇଟିଆଇ ରହିଛି। ପିଲା ହେଉ ନ ଥିବାରୁ ୨୦୧୬-୧୭ରେ କେତେକ ଆଇଟିଆଇ ବନ୍ଦ ହେବା ସ୍ଥିତିକୁ ପଳାଇ ଆସିଥିଲା। ତେବେ ରାଜ୍ୟ ସରକାରଙ୍କ ବିହିତ ପଦକ୍ଷେପ ଦ୍ବାରା ସରକାରୀ ଆଇଟିଆଇଗୁଡ଼ିକ ସ୍ଥିତିରେ କିଛିଟା ସୁଧାର ଆସିଛି। ୨୦୧୬-୧୭ରେ ସରକାରୀ ଆଇଟିଆଇର ୫୮.୭୧% ସିଟ୍‌ ପୂରଣ ହୋଇଥିବା ବେଳେ ୨୦୧୭-୧୮‌ରେ ଏହି ସଂଖ୍ୟା ୮୪.୧୭ରେ ପହଞ୍ଚିଥିଲା। ୨୦୧୮-୧୯ରେ ମୋଟ ୧୬ ହଜାର ୮୮୧ ସିଟ୍‌ ମଧ୍ୟରୁ ୧୫ ହଜାର ୫୭୦ ସିଟ୍‌ ପୂରଣ ହୋଇଥିଲା। ତେବେ ଖୁସିର ବିଷୟ ହେଉଛି ଯେ ଛାତ୍ରୀଙ୍କ ସଂଖ୍ୟା ଏହି ତିନି ବର୍ଷ‌ରେ ବୃଦ୍ଧି ପାଇଛି। ୨୦୧୬-୧୭ରେ ମାତ୍ର ୪.୨୫% ଛାତ୍ରୀ ନାମ ଲେଖାଇଥିବା ବେଳେ ପରବର୍ତୀ ବର୍ଷଗୁଡ଼ିକରେ ଯଥାକ୍ରମେ ୧୦.୮୩% ଓ ୧୬.୫୭%ରେ ରହିଥିଲା। ‘ସୁଦକ୍ଷା’ ଯୋଜନା ଆରମ୍ଭ କରାଯାଇଥିବାରୁ ୨୦୨୦-୨୧ ସୁଦ୍ଧା ଛାତ୍ରୀଙ୍କ ସଂଖ୍ୟାକୁ ୩୦ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯-୨୦ ଶିକ୍ଷାବର୍ଷରେ ୪୯ଟି ସରକାରୀ ଆଇଟିଆଇର ୧୮ ହଜାର ୧୮୨ ସିଟ୍‌ ପାଇଁ ନାମଲେଖା ହେଉଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ୬ ହଜାର ୩୦୭ ସିଟ୍‌ ଖାଲି ପଡ଼ିଛି। ବର୍ତମାନ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଚାଲୁରହିଛି। ଅଗଷ୍ଟ ୧୩ରୁ ୩୦ ମଧ୍ୟରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ।

ରାଜ୍ୟରେ ଥିବା ୩୫ଟି ଯାନ୍ତ୍ରିକ ବିଦ୍ୟାଳୟ(ପଲିଟେକ୍‌ନିକ୍‌)ରେ ୮ ହଜାର ୪୩୬ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୫୨୦୪ ସିଟ୍‌ ପୂରଣ ହୋଇଛି। ଆଉ ୩୨୩୨ ସିଟ୍‌ ବଳକା ରହିଛି। ସେଗୁଡ଼ିକ ପୂରଣ ଲାଗି ଆସନ୍ତା ୧୪ ଓ ୧୫ ତାରିଖରେ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ପଲିଟେକ୍‌ନିକ୍‌ ଶିକ୍ଷାକୁ ଅଧିକ ଆକର୍ଷଣୀୟ ତଥା ଚାକିରି ଉପଯୋଗୀ କରିବା ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯାଉଛି। ୨୦୧୮-୧୯ ଶିକ୍ଷାବର୍ଷରେ ୧୪୪୦ ଜଣ ଡିପ୍ଲୋମା ଡିଗ୍ରିଧାରୀଙ୍କୁ କେନ୍ଦ୍ରୀୟ ନିଯୁକ୍ତି କକ୍ଷ ଓ ଅନୁଷ୍ଠାନଗୁଡ଼ିକରେ ଥିବା ନିଯୁକ୍ତି କକ୍ଷ ମାଧ୍ୟମରେ ଶିଳ୍ପାନୁଷ୍ଠାନଗୁଡ଼ିକରେ ନିଯୁକ୍ତି ଦିଆଯାଇଛି। କେତେକ ଶିକ୍ଷାନୁଷ୍ଠାନରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି।

ସରକାରୀ ବି. ଟେକ୍‌ କଲେଜଗୁଡ଼ିକରେ ଏବେ ବି ସିଟ୍‌ ବଳକା ରହିଛି। ମୋଟ ୩୯୦୬ ସିଟ୍‌ ମଧ୍ୟରୁ ୩୪୮୬ ସିଟ୍‌ ପୂରଣ ହୋଇଛି। ଆହୁରି ୪୨୦ ସିଟ୍‌ ଖାଲି ରହିଛି। ସେଗୁଡ଼ିକ ପୂରଣ ଲାଗି ଅଗଷ୍ଟ ୧୦ରୁ ୧୫ ତାରିଖ ଯାଏ ସ୍ପଟ୍‌ ନାମଲେଖା‌ ପ୍ରକ୍ରିୟା ଜାରି ରହିବ ବୋଲି ଆଜି ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର