ଜୀବନ୍ୟାସ ପାଇବ ସୁକ-ପାଇକା, ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ମାସକ ଭିତରେ ବ୍ୟୟବରାଦ; ୨୦୨୩, ମାର୍ଚ୍ଚ ୧୩ ସୁଦ୍ଧା କାମ ସରିବ

କିଶନନଗର : ୭୦ ବର୍ଷରୁ ଅଧିକ ଦିନ ହେଲା ମୃତବତ୍‌ ସ୍ଥିତିରେ ଥିବା ସୁକ-ପାଇବା ଜୀବନ୍ୟାସ ପାଇବ। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି)ଙ୍କ ରାୟ ପରେ ଏଭଳି ଆଶା ସଂଚାର ହୋଇଚି। ସୁକ-ପାଇକା ନଦୀର ପୁନରୁଦ୍ଧାର କାର୍ଯ୍ୟ ୨୦୨୩ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟିର କଲିକତାସ୍ଥିତ ପୂର୍ବ ଜୋନ୍‌ରେ ଦାଏର ହୋଇଥିବା ମାମଲାର ଶୁଣାଣି କରି ଜଷ୍ଟିସ ବି. ଅମିତ୍‌ ସ୍ଥାଲେକର ଓ ସଦସ୍ୟ ସୈବାଲ୍‌ ଦାସଗୁପ୍ତା ଏ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁକ-ପାଇକା ପୁନରୁଦ୍ଧାର ପାଇଁ ଅଟକଳ କରାଯାଇଥିବା ୪୯.୬୭ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତୁତ ସହ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଆଦେଶ ଦିଆଯାଇଛି।

ସୂଚନା ମୁତାବକ, ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପଚନ୍ଦ୍ର ରଥଙ୍କ ନେତୃତ୍ୱରେ ପ୍ରାୟ ୩ ବର୍ଷ ଧରି ସୁକ-ପାଇକା ବଞ୍ଚାଅ ଆନ୍ଦୋଳନ ଜାରି ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସତ୍ତ୍ବେ ସୁଫଳ ନ ମିଳିବାରୁ ରାଜ୍ୟ ମାନବାଧିକାର କମିସନ୍‌ ଓ ପରେ ଏନ୍‌ଜିଟିରେ ମାମଲା ରୁଜୁ ହୋଇଥିଲା। ଜଳ ପ୍ରଦୂଷଣ ଓ ରାଜ୍ୟ ସରକାରଙ୍କ ସେଚ ଆଇନ ୧୯୫୯ର ବିଭିନ୍ନ ଧାରା ଅନୁଯାୟୀ ସ୍ଥାନୀୟ ବୋଧପୁର ଗ୍ରାମର ସ୍ୱରୂପ କୁମାର ରଥଙ୍କ ସମେତ ୬ ଜଣ ଅଞ୍ଚଳବାସୀ ଏନଜିଟିରେ ମାମଲା ଦାୟର କରିଥିଲେ। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ସଚିବ, ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ, ସେଚ ବିଭାଗ ସଚିବ, ରାଜସ୍ବ ଓ ବିପତ୍ତି ପରିଚାଳନା ବିଭାଗ ସଚିବ, ସେଚ ବିଭାଗର ପ୍ରମୁଖ ଯନ୍ତ୍ରୀ, ଡ୍ରେନେଜ୍‌ ବିଭାଗର ମୁଖ୍ୟ ଯନ୍ତ୍ରୀ, କଟକ ଜିଲ୍ଲାପାଳ, କଟକ ସଦର ଓ କିଶନନଗର ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରମୁଖ ୧୨ଜଣଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଥିଲା। ସୁକ-ପାଇକା ନଦୀର ଉତ୍ପତ୍ତିସ୍ଥଳକୁ ଖୋଲିବା ସହ ଏହି ପ୍ରାକୃତିକ ଜଳଉତ୍ସର ପୁନରୁଦ୍ଧାର ଓ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଆବେଦନକାରୀ ନିବେଦନ କରିଥିଲେ। ନଦୀରେ ଜଳପ୍ରବାହ ବନ୍ଦ ହେବାରୁ ସୃଷ୍ଟ ସମସ୍ୟାଗୁଡ଼ିକ ମଧ୍ୟ ଆବେଦନରେ ଦର୍ଶାଯାଇଥିଲା। ନଦୀ ମୁହାଣ ବନ୍ଦ ହେବାରୁ ୨୬ଟି ପଞ୍ଚାୟତ ତଥା ୪୨୫ ଗ୍ରାମର ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲା ବେଳେ ନଦୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଜୀବିକା ହରାଇଥିବା, ନଦୀ ଅବବାହିକା କ୍ଷୟ ହେଉଥିବା, ନଦୀରେ ପଶୁପକ୍ଷୀଙ୍କ ମୃତଦେହ ସହ ଅଳିଆ ଆବର୍ଜନା ପକାଯିବା ଦ୍ୱାରା ପରିବେଶ ପ୍ରଦୂଷଣ, ନଦୀରେ ଜଳପ୍ରବାହ ବନ୍ଦ ହେବାରୁ ଜଳସ୍ତର ହ୍ରାସ, ନଦୀଗର୍ଭ ଜବରଦଖଲ ସହ ବାଲି, ମାଟି ଆଦି ଚୋରି ହେବା ଆଦି ସମସ୍ୟା ଏନ୍‌ଜିଟିରେ ଉପସ୍ଥାପନ କରାଯାଇଥିଲା।

ଅନ୍ୟପଟେ, ସୁକ-ପାଇକା ପୁନରୁଦ୍ଧାର ପ୍ରସଙ୍ଗରେ ସରକାରଙ୍କ ନିକଟରେ ସେଚ ବିଭାଗ ପ୍ରମୁଖ ଯନ୍ତ୍ରୀ କେତେକ ସୁପାରିସ ସହ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନୋଟିସ ପ୍ରଦାନ ପରେ ବି ସୁଫଳ ମିଳି ନ ଥିଲା। ୨୦୨୧ ଫେବ୍ରୁଆରି ୮ ତାରିଖରେ ଡ୍ରେନେଜ୍‌ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ୍‌ଜିଟି ନିକଟରେ ଏକ ସତ୍ୟପାଠ ଦାଖଲ କରି ମୃତ ସୁକ-ପାଇକା ଆୟତ୍ତପୁର ନିକଟ ମହାନଦୀରୁ ବାହାରି ୨୭.୫ କିଲୋମିଟର ପରେ ବାଙ୍କଳରେ ପୁନର୍ବାର ମହାନଦୀରେ ମିଶିଛି ବୋଲି ଦର୍ଶାଇ ଥିଲେ। ଏହା ପୂର୍ବରୁ ୨୦୨୦ ଜାନୁଆରି ୧୮ ତାରିଖରେ ସେଚ ଓ ରାଜସ୍ୱ ବିଭାଗର ପକ୍ଷରୁ ନଦୀର ପୁନରୁଦ୍ଧାର ଲାଗି ମିଳିତ ପରିଦର୍ଶନ କରାଯାଇ ଏହାକୁ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଥିଲା। ଉକ୍ତ ପ୍ରକଳ୍ପକୁ ୨୦୨୧ ଏପ୍ରିଲ୍‌ ୨୯ ତାରିଖରେ ବନ୍ୟା ନିୟନ୍ତ୍ରଣ ବୋର୍ଡର ୧୩୩ତମ ରାଜ୍ୟ ବୈଷୟିକ ପରାମର୍ଶ କମିଟି ଅନୁମୋଦନ କରିଥିଲେ। ଏଥିପାଇଁ ୪୪.୦୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଅର୍ଥ ପରିମାଣ ୪୯.୬୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, କଟକ ଜିଲ୍ଲାପାଳ ପ୍ରମୁଖ ସତ୍ୟପାଠ ମାଧ୍ୟମରେ ସେମାନଙ୍କ ପକ୍ଷ ରଖିଥିଲେ। ଏହାପରେ ଏନ୍‌ଜିଟି ସୁକ-ପାଇକା ନଦୀର ପୁନରୁଦ୍ଧାର ଓ ପ୍ରସ୍ତାବିତ ପ୍ରକଳ୍ପ ଆସନ୍ତାବର୍ଷ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଅପରପକ୍ଷରେ ଆୟତ୍ତପୁର ନିକଟ ମହାନଦୀରେ ସ୍ଲୁଇସ୍‌ ଗେଟ୍‌ ମାଧ୍ୟମରେ ସୁକ-ପାଇକାକୁ ଜଳଯୋଗାଣ କରାଯିବ ଏବଂ ନଦୀର ୬୦ ମିଟର ପ୍ରସ୍ଥରେ ଜଳପ୍ରବାହ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶିଶିର ଦାସ ଓ ଆଇନଜୀବୀ ପ୍ରଭୁପ୍ରସନ୍ନ ବେହେରା ମାମଲା ପରିଚାଳନା କରିଥିଲା ବେଳେ ରାଜ୍ୟ ସରକାର ଓ ଅନ୍ୟମାନଙ୍କ ପକ୍ଷରୁ ଆଇନଜୀବୀ ଶକ୍ତି ପଣ୍ଡା, ଜନ୍ମେଜୟ କଟିକିଆ, ଦୀପଞ୍ଜନ ଘୋଷ ଓ ଗୋରାଚାନ୍ଦ ରାୟଚୌଧୁରୀ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର