ସୁନ୍ଦରଗଡ଼ର ନିଆରା ରଥଯାତ୍ରା, ସହରରୁ ଗାଁ ୯ ଦିନ  ଟଣାହୁଏ ରଥ

ସୁନ୍ଦରଗଡ଼: ଓଡ଼ିଆ ରଥଯାତ୍ରା ପରମ୍ପରା ଅନୁସାରେ, ତିନି ଠାକୁର ଶ୍ରୀମନ୍ଦିର ଛାଡ଼ି ରଥରେ ନଅ ଦିନ ପାଇଁ ନିଜ ଜନ୍ମବେଦି ବା ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ନିଅ ଦିନ ପରେ ବାହୁଡ଼ାଯାତରେ ଶ୍ରୀ ଠାକୁରଙ୍କ ମନ୍ଦିର ଲେଉଟାଣି  ହୋଇଥାଏ। ୯ ଦିନ ମଧ୍ୟରେ ସମ୍ପନ୍ନ ହୋଇଥାଏ ରଥଯାତ୍ରା। କିନ୍ତୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ରଥଯାତ୍ରା ନିଆରା, ପରମ୍ପରା ଠାରୁ ଟିକେ ଅଲଗା। ଏଠାରେ ୯ ଦିନ ଧରି ରଥ ଟଣାଯାଏ। ଭିନ୍ନ ଭିନ୍ନ ଗାଁରେ ଭିନ୍ନ ଭିନ୍ନ ଦିନରେ। କେବଳ ଗାଁ ନୁହେଁ, ସୁନ୍ଦରଗଡ଼ ସହରରେ ମଧ୍ୟ ୩ ଦିନ ଧରି ରଥ ଟଣା ଯାଉଥିବା ଦେଖିବାକୁ ମିଳେ। ପ୍ରଥମ ଦିନ ସହରର  ରାଜବାଟୀସ୍ଥିତ ଜଗନ୍ନାଥମନ୍ଦିରରେ ରଥଯାତ୍ରା ହେଉଥିବା ବେଳେ ଦ୍ବିତୀୟ ଦିନରେ ମହେଶଡିହିସ୍ଥିତ ଜଗନ୍ନାଥ ମନ୍ଦିର ଓ ତୃତୀୟ ଦିନ ଶଙ୍କରାସ୍ଥିତ ମନ୍ଦିରରେ ରଥ ଟଣା ଯାଇଥାଏ। ଚତୁର୍ଥ ଦିନ ଟାଙ୍ଗରପାଲି ବ୍ଲକ୍ ନୂଆପଡ଼ାରେ ରଥଟଣା ପର୍ବ ଅନୁଷ୍ଠିତ ହୋଇଥାଏ।

ସେହିପରି ପରବର୍ତ୍ତୀ ଦିନଗୁଡ଼ିକରେ ୯ ଦିନ ଯାଏ କ୍ରମାନ୍ବୟରେ ସୁନ୍ଦରଗଡ଼ ଉପଖଣ୍ଡର ବିଭିନ୍ନ  ଗାଁରେ ତିନି ଠାକୁରଙ୍କ ରଥ ଟଣା ଯାଉଥିବା ବେଳେ ଅନୁରୂପ ୯ ଦିନ ଧରି ବାହୁଡ଼ାଯାତ୍ରା ମଧ୍ୟ ଆୟୋଜିତ ହୋଇଥାଏ। ଏ ନିଆରା ରଥଯାତ୍ରା ସମ୍ପର୍କରେ ରୋଚକ ଲୋକକଥା ରହିଛି। ସୁନ୍ଦରଗଡ଼ର ମହାରାଜା ପୁରୀ ରଥଯାତ୍ରା ଦର୍ଶନ କରିବା ପରେ ସୁନ୍ଦରଗଡ଼ରେ ଜଗନ୍ନାଥଙ୍କ ପୂଜା କରିବାକୁ ମନସ୍ଥ କରିଥିଲେ। ଏହା ପରେ ରାଜବାଟୀ ସମ୍ମୁଖରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ସହ ଆରମ୍ଭ କରିଥିଲେ ରଥଯାତ୍ରା। ପରବର୍ତ୍ତୀ ସମୟରେ ବିଭିନ୍ନ ଗାଁ ଜମିଦାର ବା ଗୌନ୍ତିଆ ମଧ୍ୟ ରାଜାଙ୍କ ଅନୁମତି ନେଇ ନିଜ ନିଜ ଗାଁରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରି ରଥଯାତ୍ରା କରିଥିଲେ। ତେବେ ବିଧି ଅନୁସାରେ, କେବଳ ରାଜା ହିଁ ଠାକୁରଙ୍କ ରଥରେ ଛେରାପହରା କରିବାକୁ ଥିବାରୁ ଏକା ଦିନରେ ଗାଁ ଗାଁରେ  ହେଉଥିବା ରଥଯାତ୍ରାରେ ରାଜାଙ୍କ ଉପସ୍ଥିତି ସମ୍ଭବ ନଥିଲା।

ତେଣୁ ରାଜାଙ୍କ ଉପସ୍ଥିତି ପାଇଁ ଦିନେ ଛାଡ଼ି ଦିନେ ରଥଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି କରିଥିଲେ ଗାଁ ଜମିଦାର ଓ ଗ୍ରାମବାସୀ। ରାଜା ବି ସେ ସବୁ ରଥଯାତ୍ରାରେ ସାମିଲ ହେଲେ। ପରବର୍ତ୍ତୀ ସମୟରେ ରାଜାଙ୍କ ବଦଳରେ ଗାଁ ଜମିଦାରମାନେ ଛେରାପହଁରା କଲେ। କିନ୍ତୁ ସେହି ପରମ୍ପରା ଆଉ ପରିବର୍ତ୍ତନ ହୋଇନାହିଁ। ଏବେ ବି ରଥଯାତ୍ରା ୯ ଦିନ ଧରି ଚାଲେ।   ଆଉ ରାଥଯାତ୍ରା ଓ ବାହୁଡ଼ା ପର୍ବ ମଧ୍ୟରେ ୧୫ ଦିନ ସାରା ସୁନ୍ଦରଗଡ଼ ରଥମୟ, ଜଗନ୍ନାଥମୟ ହୋଇଯାଏ। ଯାତ୍ରା ବା ଉତ୍ସବ ପ୍ରିୟ ଆଦିବାସୀ ଅଞ୍ଚଳରେ ଏପରି ଏକ ଭିନ୍ନ ପରମ୍ପରାର  ରଥଯାତ୍ରା ଜିଲ୍ଲା ଓ ଜିଲ୍ଲା ବାହାରର ଲୋକଙ୍କୁ ଆକର୍ଷିତ କରି ଆସୁଛି। ଆଜି ସୁନ୍ଦରଗଡ଼ ରାଜବାଟୀରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟାରେ ଠାକୁରମାନଙ୍କ ପହଣ୍ଡି ବିଜେ ପରେ ସନ୍ଧ୍ୟା ୬ଟାରେ ରଥଟଣା ଆରମ୍ଭ ହୋଇଥିଲା। ରଥରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।

ସମ୍ବନ୍ଧିତ ଖବର