ସୁନିତାରାଣୀ ପାତ୍ର ଓଡ଼ିଶା ଫାର୍ମାସି ପରିଷଦର ରେଜିଷ୍ଟ୍ରାର

ପରିଷଦ ଅନିୟମିତତାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର : ଓଡ଼ିଶା ଫାର୍ମାସି କାଉନ୍‌ସିଲରେ ବ୍ୟାପକ ଅନିୟମିତତା ସହିତ ସାର୍ଟିଫିକେଟ୍‌ ପଞ୍ଜୀକରଣରେ ବିଳମ୍ବ, ପରିଷଦର ଉପଯୁକ୍ତ ପରିଚାଳନାର ଅଭାବ ସହିତ ଜାଣିଶୁଣି ପଞ୍ଜୀକରଣରେ ବିଳମ୍ବ କରାଯାଉଥିବା ଅଭିଯୋଗ ହୋଇଛି। ଏହାସହ ପରିଷଦର ସବୁ ସଦସ୍ୟମାନଙ୍କ ଅବଧି ଶେଷ ହୋଇଥିବା ବେଳେ ନିର୍ବାଚନ ହୋଇନାହିଁ। ଏସବୁର ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି। ଏହାସହ ରାଜ୍ୟ ଭେଷଜ ନିର୍ଦେଶାଳୟରେ କାର୍ଯ୍ୟରତ ଡ୍ରଗ୍‌ ଇନ୍‌ସପେକ୍ଟର ସୁନିତାରାଣୀ ପାତ୍ରଙ୍କୁ ଓଡ଼ିଶା ଫାର୍ମାସି ପରିଷଦର ଭାରପ୍ରାପ୍ତ ରେଜିଷ୍ଟ୍ରାର ଭାବେ ନିଯୁକ୍ତ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଅତିରିକ୍ତ ଡିଏମ୍‌ଇଟିଙ୍କ ଅଧ୍ୟକ୍ଷତାରେ ଗଠିତ ଯୁଗ୍ମ ତଦନ୍ତ କମିଟି ପକ୍ଷରୁ ଯଥାଶୀଘ୍ର ଓଡ଼ିଶା ଫାର୍ମାସି ପରିଷଦ ସଦସ୍ୟମାନଙ୍କ ନିର୍ବାଚନ କରିବା ଲାଗି ରିପୋର୍ଟ ଦିଆଯାଇଥିଲା। ଏହାସହ ପରିଷଦର ରେଜିଷ୍ଟ୍ରାର ମଧ୍ୟ ଅବସର ନେଇଛନ୍ତି। ଏ ଦୃଷ୍ଟିରୁ ରାଜ୍ୟ ଭେଷଜ ନିର୍ଦେଶାଳୟରେ କାର୍ଯ୍ୟରତ ସୁନିତାରାଣୀ ପାତ୍ରଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ସେହିପରି ପରିଷଦର ହୋଇଥିବା ଅନିୟମିତା ସହିତ ବିଳମ୍ବିତ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଏକ ୫ଜଣିଆ କମିଟି ଗଠନ କରିଛନ୍ତି। ଡିଏମ୍‌ଇଟି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହାସହ ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ ନିର୍ଦେଶକ, ରାଜ୍ୟ ଔଷଧ ନିଗମର ମହାପ୍ରବନ୍ଧକ(କ୍ବାଲିଟି) ମାମିନା ପଟ୍ଟନାୟକ ସଦସ୍ୟ ଓ ରାଜ୍ୟ ସରକାରଙ୍କ ଯୁଗ୍ମ ସଚିବ ମମତା ବାରିକ କମିଟିର ସଦସ୍ୟ ଆବାହକ ଅଛନ୍ତି। ଆସନ୍ତା ୧୫ଦିନ ଭିତରେ କମିଟି ନିଜର ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର