ଖାଇବା ତେଲର କୃତ୍ରିମ ଅଭାବ ରୋକିବାକୁ ତତ୍ପରତା, ଯୋଗାଣ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ

ସମ୍ବଲପୁର : ଭାରତରେ ସୂର୍ଯ୍ୟମୁଖୀ ତେଲର ପାଖାପାଖି ୮୦% କେବଳ ୟୁକ୍ରେନ ଏବଂ ରୁଷିଆରୁ ଆମଦାନି ହୋଇଥାଏ। ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପେକ୍ଷୀରେ ଖାଇବା ତେଲ, ଏହି ଦୁଇ ଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି। ତେଣୁ ପାମୋଲିନ୍‌ ଓ ସୂର୍ଯ୍ୟମୁଖୀ ତେଲର ମୂଲ୍ୟବୃଦ୍ଧିର ଆଶଙ୍କା କରାଯାଉଥିଲା। ଯାହା ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ତେଲଦର ହଠାତ୍‌ ଆକାଶଛୁଆଁ ହେବାରେ ଲାଗିଛି। କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେଇ କୃତ୍ରିମ ଅଭାବ ସୃଷ୍ଟି କରିବା ସହ ତେଲର କଳାବଜାର ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ଆସିବା ପରେ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ କୃତ୍ରିମ ସଙ୍କଟ ଏବଂ କଳାବଜାର ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି।

ସମ୍ବଲପୁର ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଏ ନେଇ ପ୍ରତିକ୍ରିୟା ରଖିବା ସହ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଖାଇବା ତେଲ ମହଜୁଦ ଥିବା କହିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରଠୁ କଳାବଜାରକୁ ରୋକିବା ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଲଗାତାର୍‌ ଭାବେ ତେଲ ଗୋଦାମଗୁଡ଼ିକରେ ଯାଞ୍ଚ ଜାରି ରହିଛି। ଯଥେଷ୍ଟ ପରିମାଣର ତେଲ ଗଚ୍ଛିତ ଥିବା ବେଳେ ଲଗାତାର୍‌ ଭାବେ ତେଲ ଆମଦାନି ମଧ୍ୟ ଜାରି ରହିଥିବା ଶ୍ରୀ ଟୁଡୁ କହିଛନ୍ତି। ଏକକାଳୀନ ଗଚ୍ଛିତ ଲିମିଟ୍‌ରୁ କେହି ଅଧିକ ରଖି ନଥିବା ସେ କହିଛନ୍ତି। ଅନ୍ୟପଟେ ରିଟେଲ ଦୋକାନ ଉପରେ ମଧ୍ୟ ଚଢ଼ାଉ କରାଯାଉଥିବା ଜଣାପଡ଼ିଛି।

ଏମ୍‌ଆର୍‌ପି ପାଇଁ ଖାଉଟି ହେଉଛନ୍ତି ହଟହଟା
ଖାଇବା ତେଲଗୁଡ଼ିକର ଏମ୍‌ଆର୍‌ପି ଉପରେ ନଜର ପକାଇଲେ ସମସ୍ତଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ସ୍ଥିତି ସାଧାରଣ ଥିବା ବେ​ଳେ ବିଭିନ୍ନ କମ୍ପାନିର ସୂର୍ଯ୍ୟମୁଖୀ ତେଲର ଦର ଖାଉଟିଙ୍କ ପାଇଁ ୧୫୦ ଟଙ୍କାରୁ ୧୭୦ ଟଙ୍କା ରହୁଥିଲା। କିନ୍ତୁ ଅଧିକାଂଶ ତେଲ ପ୍ୟାକେଟ୍‌ ଉପରେ ଲେଖାଥିବା ସର୍ବାଧିକ ବିକ୍ରୟ ମୂଲ୍ୟ(ଏମ୍‌ଆର୍‌ପି) ୨୦୦ରୁ ୨୫୦ ଟଙ୍କା ରହିଥାଏ। ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ତେଲ ବଜାରରେ ବର୍ତ୍ତମାନ ସ୍ଥିତି ସାମାନ୍ୟ ବିଗିଡ଼ିବାରୁ ହଠାତ୍‌ ତେଲ ଦର ବଢ଼ିଥିଲା। ତେବେ ଚଢ଼ାଦରରେ ତେଲ ବିକ୍ରି କରାଯାଉଥିଲେ ମଧ୍ୟ ତାହା ଏମ୍‌ଆର୍‌ପି ଠାରୁ କମ୍‌ ରହିଥିଲା। ତେଲର ଦର ବୃଦ୍ଧି ହୋଇଥିବା ସମ୍ବଲପୁର ଜିଲ୍ଲାର ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସ୍ବୀକାର କରିଥିଲେ। କିନ୍ତୁ ଦୋକାନୀମାନେ ଏମ୍‌ଆର୍‌ପି ଠାରୁ ଅଧିକ ନେଲେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର