ଭିଜିଲାନ୍ସ ସହ ୭ ମାସ ଲୁଚକାଳି ଶେଷ, ଜେଲ୍‌ଗଲେ ନିଲମ୍ବିତ ଆଇଆଇସି

ବାଲେଶ୍ୱର : ଲାଞ୍ଚ ମାମଲାରେ ଛନ୍ଦି ହୋଇଥିବା ବାଲେଶ୍ବର ଟାଉନ୍‌ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଆଜି ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୨ ସପ୍ତାହ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଏଥିସହିତ ଦୀର୍ଘ ୭ ମାସ ଧରି ଭିଜିଲାନ୍ସ ସହ ସେ ଯେଉଁ ଲୁଚକାଳି ଖେଳ ଖେଳି ଆସୁଥିଲେ, ତାହାର ମଧ୍ୟ ଶେଷ ହୋଇଛି।

ସୂଚନା ମୁତାବକ, ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବାବେଳେ ଗତ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ସେବେଠାରୁ ସେ ଫେରାର୍‌ ଥିଲେ। ଭିଜିଲାନ୍ସ ଜେରାରୁ ବର୍ତ୍ତିବା ପାଇଁ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ ମାତ୍ର, ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଶେଷରେ ଆଜି ସେ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ଆତ୍ମ ସମର୍ପଣ କରିଥିଲେ।

ସମ୍ବନ୍ଧିତ ଖବର