ବିଜେଡି ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ହତ୍ୟା ନା ଆତ୍ମହତ୍ୟା? ରାଜନୈତିକ ଲିଙ୍କ୍ ଚର୍ଚ୍ଚା

ଭୁବନେଶ୍ବର/ଧଉଳି/ପୁରୀ/ଗୋପ : ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ୧୧ ନମ୍ବର ଜୋନ୍‌ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ(୫୦) ଓରଫ୍‌ ଟୁକୁନାଙ୍କର ଶନିବାର ଦିନ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଶିଶୁପାଳଗଡ଼ ଲକ୍ଷ୍ମୀବିହାର ବଡ଼ଜେନା ସାହିସ୍ଥିତ ହରିଭବନରୁ ଧଉଳି ପୁଲିସ୍‌ ତାଙ୍କ ମୃତଦେହ ଜବତ କରିଛି। ତାଙ୍କ ମୃତ୍ୟୁ ଖବର ନିମାପଡ଼ା ନିର୍ବାଚନମଣ୍ଡଳୀ, ଗୋପ ବ୍ଲକ ଓ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତେବେ କେଉଁ କାରଣରୁ ଧର୍ମେନ୍ଦ୍ରଙ୍କର ଏପରି ମୃତ୍ୟୁ ହୋଇଛି, ତାହା ଜଣାପଡ଼ିନାହିଁ। ରାଜନୈତିକ ଲିଙ୍କ୍, ପରିବାର ଭିତରେ ଅଶାନ୍ତି, ଧାର ଟଙ୍କା ଓ ମଦ୍ୟପାନ ଆଦି ତାଙ୍କର ମୃତ୍ୟୁ କାରଣ ବୋଲି ପ୍ରାଥମିକ ଭାବେ କୁହାଯାଉଛି। ତେବେ ମୃତ୍ୟୁର ୪ଘଣ୍ଟା ପୂର୍ବରୁ ଫେସବୁକ୍‌ରେ ଧର୍ମେନ୍ଦ୍ର ସେୟାର କରିଥିବା ୨ଟି ଭିଡିଓ ଭିନ୍ନ ଦିଗକୁ ଇସାରା କରୁଛି। ଭିଡିଓରେ ସେ କହିଛନ୍ତି ଯେ ମୋବାଇଲରେ ଦୁଇଟି ଭିଡିଓ ଅଛି। ସେହି ଭିଡିଓ ଦୁଇଟିକୁ ଯାଞ୍ଚ କଲେ ଅନେକ ତଥ୍ୟ ମିଳିବ। ତାହା ଲୋକଲୋଚନକୁ ଆସିବା ଦରକାର।

ଅନ୍ୟପକ୍ଷରେ ଧଉଳି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ
ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି; ପରଦା ହଟିବ ବୋଲି ପୁଲିସ କହିଛି। ସବୁଠାରୁ ବଡ଼ କଥା ହେଲା, ରହସ୍ୟରେ ଥିବା ଏହି ମୋବାଇଲ୍ ଦୁଇଟିକୁ ଆଜି ସଂଧ୍ୟାରେ ଧଉଳି ପୁଲିସ ସନ୍ଧାନୀ କୁକୁର ସହଯୋଗରେ ଘର ପାଖ ଏକ ବୁଦା ମୂଳ ପାଣିରୁ ଜବତ କରିଛି। ମୋବାଇଲ ଦୁଇଟି ଧର୍ମେନ୍ଦ୍ରଙ୍କର ନା ଆଉ କାହାର, ତାହାର ଯାଞ୍ଚ ଚାଲିଛି। ମୋବାଇଲ୍ ଦୁଇଟିକୁ ଏସଏଫ୍ଏସଏଲକୁ ପଠାଯିବ ବୋଲି ଜଣାଯାଇଛି। ମୋବାଇଲ୍‌ ଦୁଇଟି ଧର୍ମେନ୍ଦ୍ରଙ୍କର ହୋଇଥିଲେ, ସେ ସେୟାର କରିଥିବା ଭିଡିଓ ସମ୍ପର୍କରେ ଯାଞ୍ଚ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ପଡ଼ୋଶୀଙ୍କ ସିସି କ୍ୟାମେରା ଯାଞ୍ଚବେଳେ ପୁଲିସ ଦେଖିବାକୁ ପାଇଛି ଯେ ଗତରାତି ୧୨ଟା ୫ରେ ସେ ପ୍ରଥମେ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗାଡ଼ି ଉପରୁ ଓହ୍ଲା‌ଇ ଆସିଥିଲେ। ପରେ ରାତି ୨ଟା ୪୯ରେ କାର୍‌ ଉପରେ ଚଢ଼ି ଗ୍ରିଲ ଉପରକୁ ଚଢ଼ିଥିଲେ।  ସେତେବେଳେ ସେ ଗୋଟିଏ ନୂଆ ଗାମୁଛା ପିନ୍ଧିଥିବା ବେଳେ ଆଉ ଗୋଟିଏ ଗାମୁଛା ବେକରେ ବାନ୍ଧି ହୁକରେ ଝୁଲି ପଡ଼ିଥିଲେ।
ପୁଲିସ ସୂଚନା ଅନୁଯାୟୀ, ଶନିବାର ସକାଳେ ଧର୍ମେନ୍ଦ୍ର ତାଙ୍କ ବାସଭବନ ପୋର୍ଟିକୋ ହୁକରେ ଓହଳିଥିବା ଦେଖିବା ପରେ ପଡ଼ୋଶୀମାନେ ଖବର ଦେଇଥିଲେ। ଧର୍ମେନ୍ଦ୍ରଙ୍କ ଶ୍ବଶୁର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଶ୍ବଶୁର ଦୁଃଶାସନ ସ୍ବାଇଁ କହିଥିଲେ ଯେ ଗତରାତିରେ ଧର୍ମେନ୍ଦ୍ର ଆସି ପ୍ରଥମେ ତାଙ୍କ ପୁତୁରାକୁ ଘରୁ ବିଦା କରିଦେଇଥିଲେ। ପରେ ସେ ତାଙ୍କ ଝିଅ ଓ ନାତିକୁ ଘରକୁ ନେଇ ଆସିଥିଲେ। ସକାଳୁ ତାଙ୍କ ମୃତ୍ୟୁ ଖବର ଶୁଣିଲି। ଜ୍ବାଇଁର ମୃତ୍ୟୁ କାରଣ ଧାର ଟଙ୍କା ଓ ମଦ।

ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ରାଜନୈତିକ ଲିଙ୍କ ରହିଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଉଠିଥିଲା। ଏହି କାରଣରୁ କିଛି ଦିନ ହେଲା ପରିବାରରେ କଳହ ଉଗ୍ରରୂପ ନେଇଥିଲା। ଏ ସମ୍ପର୍କରେ ପୂର୍ବରୁ ଲିଙ୍ଗରାଜ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। କିଛି ଦିନ ତଳେ ନିଜେ ଧର୍ମେନ୍ଦ୍ର କଳ୍ପନା ନିକଟରୁ ଏକ ହୋଟେଲରୁ ଧରାପଡ଼ିଥି‌ଲେ। ଏହି କାରଣରୁ ସେ ମାନସିକ ଚାପରେ ମଧ୍ୟ ଥିଲେ। କିନ୍ତୁ ଏନେଇ ପୁଲିସ ମୁହଁ ଖୋଲୁନାହିଁ। ପ୍ରଶ୍ନ ଉଠୁଛି, ଏହି ରାଜନୈତିକ ଲିଙ୍କର ରହସ୍ୟ କ’ଣ? ଲିଙ୍କ୍‌ରେ ଥିବା ପ୍ରମୁଖ ବ୍ୟକ୍ତିମାନେ କିଏ? ସେହିପରି ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ମୋବାଇଲ୍‌ରେ ଯେଉଁ ଭିଡିଓ ଦୁଇଟି ସଂପର୍କରେ କହିଛନ୍ତି, ତାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି।

ଶନିବାର ଦିନ ଶବ ବ୍ୟବଚ୍ଛେଦ ହୋଇ ବାସଭବନ ନିକଟରେ ପହଞ୍ଚିବା ପରେ ତାଙ୍କର ଶେ‌ଷ ଦର୍ଶନ ପାଇଁ ନିମାପଡ଼ା ନିର୍ବାଚନମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟଙ୍କର ଭିଡ଼ ଜମିଥିଲା। ହେଲେ, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପହଞ୍ଚିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ସ୍ଥାନୀୟ ଲୋକ ମନ୍ତ୍ରୀଙ୍କୁ ଘେରି ରାଜନୈତିକ ଲିଙ୍କ ପ୍ରସଙ୍ଗଟି ଜାଣିବା ପାଇଁ ପ୍ରଶ୍ନ ପଚାରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏନେଇ ପ୍ରଶ୍ନ କରିଥିଲେ। ଲୋକମାନେ ମନ୍ତ୍ରୀଙ୍କ ଗାଡ଼ିକୁ ଢେର୍‌ ବାଟ ପର୍ଯ୍ୟନ୍ତ ପିଛା କରିଥିଲେ ହେଁ ଶ୍ରୀ ଦାଶ ମୁହଁ ଖୋଲି ନଥିଲେ। ଠିକ୍‌ ସମୟରେ କହିବେ ବୋଲି କହି ପଳାଇଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

୧୫ ଦିନ ତଳେ ବି ଆତ୍ମହତ୍ୟା ଉଦ୍ୟମ କରିଥିଲେ
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୫ଦିନ ତଳେ ଧର୍ମେନ୍ଦ୍ର ପ୍ରଥମେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଶ୍ବଶୁର ଶ୍ରୀ ସ୍ବାଇଁଙ୍କ କହିବା କଥା, ଧର୍ମେନ୍ଦ୍ର ଫ୍ୟାନ୍‌ରେ ଝୁଲି ପଡ଼ିବା ବେଳେ ସେଦିନ ଯୋଗକୁ ଘରଲୋକ ଦେଖି ଦେଇଥିଲେ। ବେକରେ ଗାମୁଛା ଚାପି ହୋଇ ତାଙ୍କର ରକ୍ତବାନ୍ତି ହୋଇଥିଲା। ଧର୍ମେନ୍ଦ୍ରଙ୍କୁ ତାଙ୍କ ପୁଅ ତରୁଣ କୁମାର ଓ ପତ୍ନୀ କସ୍ତୁରିବାଳା ସ୍ବାଇଁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପରେ ପରିବାର ଲୋକ ଏ ସଂପର୍କରେ ଧଉଳି ଥାନାକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ତାଙ୍କ ଘରେ ପହଞ୍ଚି ପଚରାଉଚରା କରି ପଳାଇଥିଲା।

ସମ୍ବନ୍ଧିତ ଖବର