୧୪ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୪୩ ଜଣ, ସ୍ବାବ ନମୁନା ସଂଗ୍ରହ ପାଇଁ ଗାଇଡଲାଇନ୍ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ପରିସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର ଓ ସିଡିଏମଓଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର: ୧୪ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୪୩ଜଣ। ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ବ୍ରିଟେନ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳ, ମୁନିସିପାଲ କମିସନର ଓ ସିଡିଏମଓକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ବ୍ରିଟେନରୁ ଚିହ୍ନଟ ହୋଇଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ ୭୦ପ୍ରତିଶତ ସଂକ୍ରାମକ ଥିବାରୁ ଏ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହା ସହ ସଂକ୍ରମଣକୁ ସୀମିତ ରଖିବାକୁ ସ୍ବାବ ନମୁନା କିଭଳି ସଂଗ୍ରହ କରାଯିବ ଓ କିଭଳି ସଂରକ୍ଷିତ ରଖି ଜେନୋମ ସିକ୍ୟୁଏନସିଂ ପାଇଁ ଲାବୋରେଟୋରିକୁ ପଠାଯିବ ସେ ନେଇ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ସହ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ବାରା ଦିଆଯାଇଥିବା ୪୩ଜଣ ଯାତ୍ରୀଙ୍କ ବିବରଣୀ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ୪୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହିଳା ରହିଛନ୍ତି । ଅନ୍ୟପକ୍ଷରେ ବ୍ରିଟେନରୁ ସର୍ବାଧିକ ୨୧ଜଣ ଭୁବନେଶ୍ବର ଆସିଥିବା ସ୍ବାସ୍ଥ୍ୟ ବିଭାଗ ଜଣାଇଛି। ସେହିପରି ଖୋର୍ଦ୍ଧା-୨, କଟକ-୫, କୋରାପୁଟ-୩, ବ୍ରହ୍ମପୁର-୩, ନୟାଗଡ ଏବଂ ନବରଙ୍ଗପୁର ଜିଲ୍ଲାକୁ ୨ ଜଣ ଲେଖାଏଁ ଫେରିଛନ୍ତି।

ଆଇସିଏମଆର ଦ୍ବାରା ଜାରି କରାଯାଇଥିବ‌ା ଗାଇଡଲାଇନ‌କୁ ଅନୁସରଣ କରି ସ୍ବାବ ନମୁନା ସଂଗ୍ରହ କରିବା ପାଇଁ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ନିମ୍ନରେ ଏହା ସପର୍କରେ ସୂଚନା ଦିଆଗଲା।

୧. ସ୍ବାବ ନମୁନା ସଂଗ୍ରହ ଏବଂ ପରିବହନ ଜଣେ ତାଲିମପ୍ରାପ୍ତ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଦ୍ବାରା ହେବା ଦରକାର। ନମୁନା ସଂଗ୍ରହ ଏବଂ ପରିବହନ ସମୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ପିପିଇ କିଟ୍ ପିନ୍ଧିବା ବାଧ୍ୟତାମୂଳକ।

୨. ୩ ଏମଏଲ  ଭିଟିଏମ ଟ୍ୟୁବରେ ନାକରୁ ଏବଂ ଗଳାରୁ ସ୍ବାବ ନମୁନା ସଂଗ୍ରହ କରାଯିବ।

୩. ପରୀକ୍ଷା ପୂର୍ବରୁ ୩ଏମଏଲ ମଧ୍ୟରୁ ୧ଏମଏଲ ଭିଟିଏମ ନମୁନାକୁ ଅଲଗା କରି ୮୦ଡିଗ୍ରି ସେଲସିୟସରେ ଗଚ୍ଛିତ ରଖାଯିବ। ଯଦି ଜଣଙ୍କର ଆରଟିପିସିଆର ପରୀକ୍ଷା ରିପୋର୍ଟ ପଜିଟିଭ ଆସେ, ତେବେ ୮୦ଡିଗ୍ରି ସେଲସିୟସରେ ଗଚ୍ଛିତ ରଖାଯାଇଥିବା ନମୁନାକୁ ଜେନୋମ ସିକ୍ୟୁଏନସିଂ ପାଇଁ ପଠାଯିବ।

ତେବେ ଭୁବନେଶ୍ବରରେ ଥିବା ଡିବିଟି-ଇନଷ୍ଟିଚ୍ୟୁଟ ଅଫ ଲାଇଫସାଇନ୍ସକୁ ଜେନୋମ ସିକ୍ୟୁଏନସିଂ ପାଇଁ ବଛାଯାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂକ୍ରମଣକୁ ସୀମିତ ରଖିବା ପାଇଁ ବ୍ରିଟେନ ଫେରନ୍ତା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ସ୍ବାବ ନମୁନା ପରୀକ୍ଷା କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର