‘ସ୍ୱଚ୍ଛତା’ ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶା ନାହିଁ

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସ୍ୱଚ୍ଛତା ପାଲଟିଛି ପ୍ରହସନ

ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ’ ସ୍ଳୋଗାନ ଦେଇ ସରକାରୀ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଘରୋଇ ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ, ସବୁଠି ବର୍ଷ ସାରା ହେଉଛି ସଫେଇ କାର୍ଯ୍ୟକ୍ରମ। କ୍ୟାମ୍ପସରେ ବୃକ୍ଷରୋପଣ ସହ ଝାଡୁ ଧରି ନେତା, ମନ୍ତ୍ରୀମାନେ ମଧ୍ୟ କ୍ୟାମେରା ଲେନ୍ସରେ ରହିବାକୁ ଆଗେଇ ଆସୁଛନ୍ତି। ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀରେ ବି ବ୍ୟାପକ କାର୍ଯ୍ୟକ୍ରମ ହେଉଛି। ହେଲେ ସେଗୁଡ଼ିକ କିଭଳି ପ୍ରତିଫଳିତ ହେଉଛି ତାହା ଏବେ ପଦାକୁ ଆସିଛି। ଦେଶରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୨୦୧୭ ମସିହା ଲାଗି କରାଯାଇଥିବା ‘ସ୍ୱଚ୍ଛତା’ ର‍୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇନି ଓଡ଼ିଶାର ଗୋଟିଏ ବି ଶିକ୍ଷାନୁଷ୍ଠାନ। ଯେତେବେଳେ କି ଏଠାରେ ୨୦ରୁ ଅଧିକ ବିଶ୍ୱବିଦ୍ୟାଳୟ ସମେତ ଦୁଇ ହଜାରରୁ ଅଧିକ କଲେଜ ରହିଛି।

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ କରାଯାଇଥିବା ଏହି ସର୍ଭେରେ କ୍ୟାମ୍ପସ୍‌ର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଥିଲା। କ୍ୟାମ୍ପସ୍‌ରେ ଛାତ୍ରଛାତ୍ରୀ ଏବଂ ଶୌଚାଳୟ ଅନୁପାତ, ପରିଷ୍କାର ରୋଷେଇ ଘର, ପାନୀୟ ଜଳ, ଶୌଚାଳୟର ଅତ୍ୟାଧୁନିକୀକରଣ, ସବୁଜ କ୍ୟାମ୍ପସ, ହଷ୍ଟେଲରେ ବର୍ଜ୍ୟବସ୍ତୁ ପରିଚାଳନା, ପ୍ରଶାସନିକ କୋଠା, କ୍ୟାମ୍ପସ ନିକଟରେ ଥିବା ଅଞ୍ଚଳରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପରି ବିଷୟକୁ ସର୍ଭେରେ ସ୍ଥାନିତ କରାଯାଇଥିଲା। ଏହି ର‍୍ୟାଙ୍କିଙ୍ଗ୍‌ ପାଇଁ ଦେଶର ୩୫୦୦ ଶିକ୍ଷାନୁଷ୍ଠାନ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ସେଗୁଡ଼ିକ ମଧ୍ୟ ୧୭୪ଟି ଶିକ୍ଷାନୁଷ୍ଠାନ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିଲେ। ୟୁଜିସି ଏବଂ ଏଆଇସିଟିଇ ପ୍ରତିନିଧିମାନେ ମଧ୍ୟ ଉକ୍ତ ଶିକ୍ଷାନୁଷ୍ଠାନକୁ ଗସ୍ତ କରିବା ସହ ଯାଞ୍ଚ କରି ସେଥିମଧ୍ୟରୁ ୨୫ଟି ଶିକ୍ଷାନୁଷ୍ଠାନକୁ ବିଭିନ୍ନ ବିଭାଗରେ ଚୟନ କରିଥିଲେ। ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ବିଭାଗରେ ୫ଟି, ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ବିଭାଗରେ ୭ଟି, ଶ୍ରେଷ୍ଠ କଲେଜ ବିଭାଗରେ ୬ଟି ଏବଂ ଶ୍ରେଷ୍ଠ ସରକାରୀ ଶିକ୍ଷାନୁଷ୍ଠାନ ବିଭାଗରେ ୭ଟି ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇ ଗତ ସେପ୍ଟେମ୍ବର ମାସରେ ପୁରସ୍କୃତ କରାଯାଇଛି। ଏହି ୨୫ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଗୋଟିଏ ବି ହେଲେ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାନ ପାଇ ନାହିଁ। ଯେତେବେଳେ କି କେବଳ ତାମିଲନାଡୁର ୧୨ଟି ଶିକ୍ଷାନୁଷ୍ଠାନ ପୁରସ୍କାର ହାତେଇବାରେ ସକ୍ଷମ ହୋଇଛନ୍ତି।

ଓଡ଼ିଶାରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ କ୍ୟାମ୍ପସର ସ୍ୱଚ୍ଛତା ଏହି ର‍୍ୟାଙ୍କିଙ୍ଗ୍‌ରୁ ସ୍ପଷ୍ଟ ଜଣାପଡ଼ିଛି। ଏନ୍‌ଏସ୍‌ଏସ୍‌, ଏନ୍‌ସିସି ମାଧ୍ୟମରେ କ୍ୟାମ୍ପସ୍‌ରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ସ୍ୱଚ୍ଛତା ରଖିବାରେ ସଫଳତା ମିଳିନି। ଗୋଟିଏ ବି ହେଲେ ସରକାରୀ ଶିକ୍ଷାନୁଷ୍ଠାନ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇନାହାନ୍ତି। ଏପରିକି ରାଜ୍ୟର କେତେକ ପ୍ରମୁଖ ବିଶ୍ୱବିିଦ୍ୟାଳୟ ଏହି ର‍୍ୟାଙ୍କିଙ୍ଗ୍‌ ପାଇଁ ଆବେଦନ କରି ନ ଥିବା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି।

ଘରୋଇ ବିଶ୍ୱବିିଦ୍ୟାଳୟଗୁଡ଼ିକ ମଧ୍ୟ ସ୍ୱଚ୍ଛତା କ୍ଷେତ୍ରରେ ପଛରେ ପଡ଼ିଛନ୍ତି। ଶ୍ରେଷ୍ଠ ୫ ତାଲିକାରେ ନାଁ ନାହିଁ। ଯେତେବେଳେ ବି ହରିୟାଣା, ରାଜସ୍ଥାନ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶର ଗୋଟିଏ ଲେଖାଏ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇ ପୁରସ୍କାର ହାତେଇଛନ୍ତି। ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଅବସ୍ଥା ମଧ୍ୟ ସମାନ। ଏହି ବିଭାଗରେ ୭ଟି ପୁରସ୍କାର ମଧ୍ୟରୁ ତାଲିମନାଡୁର ୫ଟି କଲେଜ ରହିଥିବା ବେଳେ ଶ୍ରେଷ୍ଠ କଲେଜରେ ୬ଟି ପୁରସ୍କାରରୁ ୫ଟି ତାମିଲନାଡୁର କଲେଜ ହାତେଇଛନ୍ତି।

ସମ୍ବନ୍ଧିତ ଖବର