ଲୋକସେବା ଭବନରେ ପ୍ରଥମ ଥର ଶପଥ ପାଠ

ସାଧାରଣତଃ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ରାଜଭବନ ପରିସରରେ ଅନୁଷ୍ଠିତ ହୁଏ। ନଚେତ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ କୌଣସି ଖୋଲାପଡ଼ିଆରେ ବ୍ୟବସ୍ଥା କରାଯାଏ। କିନ୍ତୁ ଏଥର ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଲୋକସେବା ଭବନ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି। ଲୋକସେବା ଭବନରେ ଏପରି କାର୍ଯ୍ୟକ୍ରମ ଆୟୋଜନକୁ କିଛି ମହଲରେ ନାପସନ୍ଦ କରିଛନ୍ତି। ଏ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳିଛି।

୫ ଜଣଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ପୁନର୍ବାର ଆସ୍ଥା
ନୂଆ ମନ୍ତ୍ରିମଣ୍ଡଳରେ ୫ ଜଣ ପୂର୍ବତନ ମନ୍ତ୍ରୀ ସାମିଲ ହୋଇଛନ୍ତି। ସେମାନେ ନବୀନଙ୍କ ପୂର୍ବ ପାଳିଗୁଡ଼ିକରେ ବିଭିନ୍ନ ସମୟରେ ମନ୍ତ୍ରୀ ଥିଲେ। ଏମାନେ ହେଲେ ପ୍ରଦୀପ କୁମାର ଅମାତ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚ୍ଚୀ ନାୟକ। ଏହି ପାଞ୍ଚ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଛି। ସମସ୍ତଙ୍କୁ ଅପେକ୍ଷାକୃତ ଗୁରୁତ୍ବପୂର୍ଣ୍ଣ ବିଭାଗ ବି ଦିଆଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଏମାନଙ୍କ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରିଥିବା କୁହାଯାଉଛି।

ପ୍ରଥମଥର ମନ୍ତ୍ରୀ ହେଲେ ୭
ନବୀନଙ୍କ ମନ୍ତ୍ରିମଣ୍ଡଳରେ ୭ ଜଣ ନୂଆ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରାଜେନ୍ଦ୍ର ଢୋଲକିଆ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍। ଶ୍ରୀ ଢୋଲକିଆଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି। ତେବେ ନୂଆ କରି ଦାୟିତ୍ବ ନେଇଥିଲେ ବି ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ନୂଆ ଚେହେରାଙ୍କ ଉପରେ ଭରସା ସ୍ଥାପନ କରିଥିବା ସ୍ପଷ୍ଟ ହୋଇଛି।

ବତେଇ ଦେଲେ ରାଜ୍ୟପାଳ
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଉଥିଲେ। ଯେଉଁମାନେ କିଛି ଶବ୍ଦ ପଢ଼ିଲା ବେଳେ ଝୁଣ୍ଟିପଡ଼ୁଥିଲେ, ରାଜ୍ୟପାଳ ସେହି ଶବ୍ଦଟି କହି ସେମାନଙ୍କୁ ସଂଶୋଧନ କରାଇଦେଉଥିଲେ। ବାସନ୍ତୀ ହେମ୍ବ୍ରମ୍ ଶପଥ ପାଠ କଲା ବେଳେ ୨/୩ ଥର ଝୁଣ୍ଟିଥିଲେ। ରାଜ୍ୟପାଳ ସେହି ଶବ୍ଦଗୁଡ଼ିକ ନିଜେ କହି ଦେଲେ। ଫଳରେ ସେ ସେହି ଶବ୍ଦଗୁଡ଼ିକୁ ସଂଶୋଧିତ କରି ଆଉ ଥରେ ଉଚ୍ଚାରଣ କରିଥିଲେ। ସେହିପରି ଦୁଇ ଜଣ ମନ୍ତ୍ରୀ କହିଲା ବେଳେ ମାଇକ୍ରୋଫୋନ୍‌ରେ ସେମାନଙ୍କ ସ୍ବର ଠିକ୍ ଆସୁ ନ ଥିଲା। ରାଜ୍ୟପାଳ ନିଜେ ଯାଇ ମାଇକ୍ରୋଫୋନ୍‌ଟିକୁ ସେମାନଙ୍କ ମୁହଁ ପାଖକୁ ଲଗାଇଥିଲେ। ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲେ।

ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଲେ ୬ ବିଦାୟୀ ମନ୍ତ୍ରୀ
ମନ୍ତ୍ରିମଣ୍ଡଳ ପରିବର୍ତ୍ତନରେ ୧୧ ପୁରୁଣା ମନ୍ତ୍ରୀ ବାଦ୍ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ଆଜି ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା। ସେମାନେ ହେଲେ ବିକ୍ରମ କେଶରୀ ଆରୁଖ, ପ୍ରତାପ ଜେନା, ସୁଦାମ ମାର୍ଣ୍ଡି, ସୁଶାନ୍ତ ସିଂହ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଦିବ୍ୟଶଙ୍କର ମିଶ୍ର। ଅନ୍ୟ ୫ ଜଣ ଉତ୍ସବକୁ ଆସି ନ ଥିଲେ।

ସାମିଲ ହେଲେ ବିଧାୟକ, ଅଧିକାରୀ
ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ସବୁ ବିଧାୟକ ଓ ବିଭିନ୍ନ ବିଭାଗର ସଚିବମାନଙ୍କୁ ଗତକାଲି ରାତିରେ ନିମନ୍ତ୍ରଣ କରାଯାଇଥିଲା। ଆଜି ବହୁ ବରିଷ୍ଠ ଆଇଏଏସ୍ ଅଧିକାରୀ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଅଧିକାଂଶ ବିଧାୟକ ଶପଥ ଗ୍ରହଣ ଉତ୍ସବକୁ ଆସି ନ ଥିଲେ।

ସମ୍ମିଳନୀ କକ୍ଷରେ ଗହଳି
ଶପଥ ଗ୍ରହଣ ଉତ୍ସବ ସ୍ଥଳ ଲୋକସେବା ଭବନର ସମ୍ମିଳନୀ କକ୍ଷକୁ ପ୍ରବେଶ ପାଇଁ କଡ଼ାକଡ଼ି ଯାଞ୍ଚ୍ ବ୍ୟବସ୍ଥା କରାଯାଇଥିଲା। ସେଠାକୁ ପ୍ରବେଶ କରିବା ପାଇଁ ନିମନ୍ତ୍ରଣ ପତ୍ର ବାଧ୍ୟତାମୂଳକ କରାଯାଇଥିଲା। ସୀମିତ ସଂଖ୍ୟାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ମିଳିଥିଲା। କିନ୍ତୁ ଶପଥ ଗ୍ରହଣ ବେଳକୁ ସମ୍ମିଳନୀ କକ୍ଷରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ନିମନ୍ତ୍ରିତ ବ୍ୟକ୍ତି ଆସନ ନ ପାଇ ଠିଆ ହୋଇ ରହିଥିଲେ। କିଛି ବିଧାୟକ ସେମାନଙ୍କ ଗାଡ଼ିରେ ସମର୍ଥକମାନଙ୍କୁ ନେଇ ପ୍ରବେଶ କଲା ବେଳେ ଫାଟକ ନିକଟରେ ପୁଲିସ ଯାଞ୍ଚ୍ କରୁ ନ ଥିଲା। ଫଳରେ ହଲ୍‌ରେ ଭିଡ଼ ହୋଇଯାଇଥିବା କୁହାଯାଉଛି। ନବାଗତ ମନ୍ତ୍ରୀମାନଙ୍କର ବହୁ ସମର୍ଥକ ଭିତରକୁ ପ୍ରବେଶ କରି ନ ପାରି ବାହାରେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର