ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷା ଅନୁବାଦକ, ରାଜ୍ୟ ଉପଦେଷ୍ଟା ବୋର୍ଡର ପ୍ରଥମ ବୈଠକ

ଭୁବନେଶ୍ୱର: ଭିନ୍ନକ୍ଷମ ଅଧିକାର ଆଇନ ୨୦୧୬ ଅଧୀନରେ ଗଠିତ ରାଜ୍ୟ ଉପଦେଷ୍ଟା ବୋର୍ଡର ପ୍ରଥମ ବୈଠକ ଆଜି ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଦିବ୍ୟାଙ୍ଗମାନଙ୍କ ଗମନାଗମନକୁ ସହଜ କରିବା ପାଇଁ ସମସ୍ତ ପୁରାତନ ଓ ନୂତନ ସରକାରୀ କୋଠାଗୁଡ଼ିକୁ ସୁଗମ୍ୟ କରାଯିବ। େଓ୍ଵବସାଇଟକୁ ସୁଗମ୍ୟ କରିବା ସହିତ ଲେଖାରୁ କଥାକୁ ପରିବର୍ତନ କରିପାରୁଥିବା ସଫଟେଓ୍ଵୟାର ତିଆରି କରାଯିବ। ବ୍ୟାଙ୍କିଂ ଓ ଅନ୍ୟ ଆର୍ଥିକ ଅନୁଷ୍ଠାନ, ଶିକ୍ଷା ପାଠ୍ୟକ୍ରମ ଓ ପ୍ରତିଷ୍ଠାନ, ମନରେଗା, ଗୃହନିର୍ମାଣ, ଆତ୍ମନିଯୁକ୍ତି କାର୍ଯ୍ୟକ୍ରମ, ସାଧାରଣ ବଣ୍ଟନ ବ୍ୟବସ୍ଥା, ପରିବହନ, ନିରାପଦ ପାନୀୟ ଜଳ, ଅନଲାଇନ ସରକାରୀ ସେବା, ଆଧାର କାର୍ଡ, ପଡ଼ି କାର୍ଡ, ଭୋଟର ପରିଚୟ ପତ୍ର, ବିପିଏଲ କାର୍ଡ ଆଦି ସେବା ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ଦିବ୍ୟାଙ୍ଗମାନଙ୍କ ପାଇଁ ସହଜ କରାଯିବ। ଆସନ୍ତା ୨୦୧୯ ନିର୍ବାଚନରେ ଭିନ୍ନକ୍ଷମମାନଙ୍କ ପାଇଁ ମତଦାନ କେନ୍ଦ୍ରଗୁଡ଼ିକୁ ସୁଗମ୍ୟ କରିବା ସହିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସେମାନଙ୍କ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ। ସମସ୍ତ ବିଦ୍ୟାଳୟରେ ସ୍ୱତନ୍ତ୍ର ପ୍ରଶିକ୍ଷକ ନିଯୁକ୍ତି ଓ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସମସୁଯୋଗ ପ୍ରକୋଷ୍ଠ ପ୍ରତିଷ୍ଠା ହେବ। ରାଜ୍ୟର ସମସ୍ତ ଦିବ୍ୟାଙ୍କୁ ସୁବିଧାରେ ସରକାରୀ ସେବା ପ୍ରଦାନ ପାଇଁ ସାଙ୍କେତିକ ଭାଷା ଅନୁବାଦକ ନିଯୁକ୍ତି କରାଯିବ।

ଉଲ୍ଲେଖ ଯେ, ୩ଲକ୍ଷ ୩୯ହଜାର ୮୧୫ଜଣ ଦିବ୍ୟାଙ୍ଗ ୟୁଡିଆଇଡି ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ବେଳେ ୧ଲକ୍ଷ ୩୯ହଜାର ୩୬୨ଜଣଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ୬୯୧ଜଣଙ୍କୁ ସଂଶୋଧିତ ଅସ୍ତ୍ରୋପଚାର ଦ୍ୱାରା ସମର୍ଥ କରାଯାଇଛି। ଭୀମଭୋଇ ସାମର୍ଥ୍ୟ ଅଭିଯାନରେ ୩୬୯ଟି ଶିବିର ଆୟୋଜନ କରାଯାଇ ୨ଲକ୍ଷ ୧୩ହଜାର ୮୪୦ଜଣ ଦିବ୍ୟାଙ୍ଗଙ୍କୁ ପଞ୍ଜୀକୃତ କରାଯାଇଛି। ୨୩ହଜାର ୭୬୪ ଉପକରଣ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଛି। ୩୬୭ଜଣ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରାଯାଇଛି ଓ ୫୨ଟି ନୂତନ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ୧୦୦ଟି ଲାପଟପ୍‌ ଓ ୪୪ହଜାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ୧୦ହଜାର ୪୭୫ ଦିବ୍ୟାଙ୍ଗଙ୍କୁ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ୬୪ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ୨୬୨୦ଜଣ ବୌଦ୍ଧିକ ଭିନ୍ନକ୍ଷମଙ୍କୁ ସେବା ପ୍ରଦାନ କରାଯାଇଛି। ସରକାରୀ ଚାକିରିରେ ଭିନ୍ନକ୍ଷମଙ୍କ ପାଇଁ ୪ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହିତ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ୪୧୩ଜଣ ଭିନ୍ନକ୍ଷମ ସରକାରୀ ଚାକିରି ପାଇଛନ୍ତି। ଏକ ତାଲିମ ତଥା ଉତ୍ପାଦନ କେନ୍ଦ୍ର ରାଜଧାନୀରେ ପ୍ରତିଷ୍ଠା କରାଯାଇଛି। ନୂତନ କାର୍ଯ୍ୟନ୍ଵୟନ ସଂସ୍ଥା ଚିହ୍ନଟ କରାଯାଉଛି ଯାହାଦ୍ୱାରା ଦିବ୍ୟାଙ୍ଗଙ୍କ ଦକ୍ଷତା ବିକାଶରେ ଉନ୍ନତି ହୋଇପାରିବ। ବିବାହ ପ୍ରୋତ୍ସାହନ ଯୋଜନାରେ ୪୬୪ଟି ଭିନ୍ନକ୍ଷମ ଦମ୍ପତି ଉପକୃତ ହୋଇଛନ୍ତି। ୩ଲକ୍ଷ ୫୦ହଜାର ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି ଓ ବ୍ୟବସାୟ କରିବା ପାଇଁ ୮ହଜାର ୧୬ଜଣ ଦିବ୍ୟାଙ୍ଗଙ୍କୁ ଡିଆରଆଇ ଋଣ ଓ ୧୧୩୮ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଦିଆଯାଇଛି। ରାଜଧାନୀରେ ୨୨ଟି ସରକାରୀ କୋଠାକୁ ସୁଗମ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି ଓ ୧୬ଟି କୋଠାର କାମ ସରିଛି। ବ୍ରେଲି ଭାଷାରେ କ୍ୟାଲେଣ୍ଡର ମୁଦ୍ରିତ ସହିତ ସରକାରୀ େଓ୍ଵବସାଇଟ ସୁଗମ୍ୟ କରାଯାଇଛି। ଦିବ୍ୟାଙ୍ଗମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରାଯାଇଥିବା କୁହାଯାଇଛି। ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ନିତେନ ଚନ୍ଦ୍ର, ବିଭାଗୀୟ ପ୍ରତିନିଧି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଭାଗୀୟ ନିର୍ଦେଶକ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର