ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲେ ତାଳଧ୍ୱଜ ଓ ଦର୍ପଦଳନ

ପୁରୀ: ରଥଯାତ୍ରା ଇତିହାସରେ ଯୋଡ଼ି ହୋଇଗଲା ଏକ ନୂଆ ଫର୍ଦ୍ଦ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଲା ରଥ। ନିକଟ ଅତୀତରେ ଏଭଳି ରଥଯାତ୍ରା ଆୟୋଜିତ ହୋଇଥିବାର ନଜିର ନାହିଁ। ଭକ୍ତଙ୍କୁ ଦର୍ଶନ ଦେବାକୁ ଲୀଲାମୟ ରତ୍ନବେଦୀ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି। ଆଜି କିନ୍ତୁ ଭକ୍ତଗହଣରେ ବିରାଜି ନାହାନ୍ତି ଭକ୍ତବତ୍ସଳ କାଳିଆ ସାଆନ୍ତ। କରୋନା ମହାମାରୀ କବଳିତ ବିଶ୍ୱରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା।

ଆଜି ଚତୁର୍ଦ୍ଧା ମୁରତିଙ୍କର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଯାଇଛି। ରଥଟଣା ଦିନ ୧୨ଟାରେ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା ଏବଂ ପ୍ରାୟ ସେଇ ସମୟରେ ହିଁ ଆରମ୍ଭ ହୋଇଥିଲା ରଥଟଣା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଶତାଧିକ ସେବାୟତ  ବଡ଼ଦାଣ୍ଡରେ ଗଡ଼ାଇ ଥିଲେ। ପ୍ରଥମେ ଧୀରେଧୀରେ ତାଳଧ୍ୱଜ ଗଡ଼ିବା ପରେ କ୍ରମଶଃ ବେଗ ବଢ଼ିଥିଲା।  ତାଳଧ୍ୱଜ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଟଣା ଆରମ୍ଭ ହୋଇଥିଲା। ଦିନ ପ୍ରାୟ ୧ଟା ସମୟରେ ବଡ଼ଦାଣ୍ଡରୁ ଗୁଣ୍ଡିଚା ଅଭିମୁଖେ ବାହାରି ଥିଲା ଦର୍ପଦଳନ। ଏହାପରେ ଭାଇଭଉଣୀଙ୍କୁ ସାଥୀରେ ଧରି ମଧ୍ୟାହ୍ନ ୨ଟା ପାଖାପାଖି ଶ୍ରୀମନ୍ଦିର ସମ୍ମୁଖରୁ ବାହାରି ଥିଲେ କାଳିଆ ସାଆନ୍ତ।

ପ୍ରାୟ ୪ଟାରୁ ୪.୩୦ ମଧ୍ୟରେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି। ପ୍ରଥମେ ତାଳଧ୍ବଜ ଓ କିଛି ସମୟ ପରେ ଦର୍ପଦଳନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ଦୃଶ୍ୟମାନ ହୋଇଛି।  ଘଣ୍ଟଘଣ୍ଟା ମାଡ଼ରେ ଘୁଁ ଘୁଁ ନାଦରେ ତ୍ରିରଥ ବଡ଼ଦାଣ୍ଡରେ ଗଡ଼ି ଚାଲିଛି। ମୁଣ୍ଡ ଉପରେ ଟାଇଁ ଟାଇଁ ଖରା। ତଥାପି ସେବାୟତ ଭିଡ଼ି ନେଉଛନ୍ତି ତିନିଠାକୁରଙ୍କୁ। ହାଲିଆ ଲାଗିଲେ ଟିକିଏ ଅଟକୁଛନ୍ତି ସେବାୟତ। ପୁଣି ନୂଆ ଶକ୍ତି ନେଇ ଟାଣି ନେଉଛନ୍ତି ରଥ।

ସମ୍ବନ୍ଧିତ ଖବର