୯ ନଂ ସ୍ଥାନରେ ତାଳଚେର-ବିମଳାଗଡ଼ ରେଳପଥ : ଆନ୍ଦୋଳନକୁ ଓହ୍ଳାଇବ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଗ୍ରାଧିକାର ତାଲିକାରେ ନିର୍ମାଣାଧୀନ ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ତାଳଚେର-ବିମଳାଗଡ଼ ରେଳପଥ ୯ମ ସ୍ଥାନରେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତାର ଶିକାର ହୋଇଛି ଏହି ପ୍ରକଳ୍ପ। ପାଖାପାଖି ୫୦ ବର୍ଷ ଧରି ଏହି ପ୍ରକଳ୍ପ ପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ସଂଗ୍ରାମ ଜାରି ରଖିଛି। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଆଗଉ ନାହିଁ। ଏଣିକି ନିର୍ଦିଷ୍ଟ ତଥା ଆବଶ୍ୟକ ପଦକ୍ଷେପ ନିଆନଗଲେ, ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି ଏହି କମିଟି।

ଆଜି ପାନ୍ଥନିବାସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତାଳଚେର-ବିମଳାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ପୂର୍ବତନ ପରିବହନ ମନ୍ତ୍ରୀ ତଥା ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ଷ୍ଟିଅରିଂ କମିଟି ସଦସ୍ୟ ବିଷ୍ଣୁ ମହାନ୍ତି, ହରି ରାଉତରାୟ, ନାରୀ ନେତ୍ରୀ ଛବି ମହାନ୍ତି, ବରିଷ୍ଠ ଆଇନଜୀବୀ ରମେଶ ବଳ, ସୁଧୀର ସୁନ୍ଦରରାୟ, ମିହିର ରାୟ ପ୍ରମୁଖ ଆଗାମୀ ଦିନରେ କମିଟି ଆନ୍ଦୋଳନ କାର୍ଯ୍ୟପନ୍ଥା ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ। ଆଗାମୀ ୨୦ ତାରିଖରେ ଏହି ପ୍ରସଙ୍ଗ ନେଇ ରାଉରକେଲାର ଭଞ୍ଜ ଭବନ ପରିସରରେ ଗଣଧାରଣାର ଆୟୋଜନ କରାଯାଉଛି। ଏଥିରେ ତାଳଚେର-ବିମଳାଗଡ଼ ରେଳପଥ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାର ପ୍ରମୁଖ ଜନପ୍ରତିନିଧିଙ୍କୁ ଆମନ୍ତ୍ରଣ କରାଯାଉଛି। ଆଗାମୀ ଦିନରେ ଦାବି ପୂରଣ ପାଇଁ ଅର୍ଥନୈତିକ ଅବରୋଧ, ଇସ୍ପାତ କାରଖାନାଗୁଡ଼ିକୁ ଲୁହାପଥର ଯୋଗାଣ ବନ୍ଦ, ମୁମ୍ବାଇ-ହାଓଡ଼ା ରେଳଲାଇନ ଅଚଳ ଭଳି ଚରମ ପଦକ୍ଷେପ ନିଆଯିବ ବୋଲି ଆପାତତଃ ସ୍ଥିର ହୋଇଛି।

କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ କହିଛନ୍ତି ଯେ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅନୁନ୍ନତ ବ୍ୟାପକ ଆଦିବାସୀ ଅଞ୍ଚଳର ବିକାଶ ହେବା ସହିତ ପାରାଦୀପ ବନ୍ଦରର ଆର୍ଥିକ ଉନ୍ନତି ସାଧିତ ହୋଇପାରିବ। ଏହା ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ଵିତ କରିବ। ଏହା ସତ୍ତ୍ୱେ ଏହି ପ୍ରକଳ୍ପକୁ ରାଜ୍ୟ କି କେନ୍ଦ୍ର ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର ବଜେଟ୍‌ ବେଳକୁ ଅଧିକ କିଛି ଟଙ୍କା ବ୍ୟୟବରାଦ କରିବାକୁ ପ୍ରସ୍ତାବ ଦେଇ ଚୁପ୍‌ ବସିଯାଉଛନ୍ତି। କେନ୍ଦ୍ର ସରକାର ଅର୍ଥ କିପରି ତ୍ୱରାନ୍ଵିତ ଭାବେ ଖର୍ଚ ହେବ, ପ୍ରକଳ୍ପ କିପରି ସଂପୂର୍ଣ୍ଣ ହେବ ସେ ନେଇ ରାଜ୍ୟ ଉପରକୁ ଦାୟିତ୍ୱ ଠେଲିଦେଇ ଚୁପ୍‌। ଫଳରେ ରେଳପଥ ନିର୍ମାଣ ମାତ୍ର ୨୦ କି.ମି. ସରିଛି। ଏ ନେଇ ଆସନ୍ତାକାଲି କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ପରିବହନ ମନ୍ତ୍ରୀ, ପୂର୍ବତଟ ରେଳ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ପଦାଧିକାରୀମାନଙ୍କୁ ସାକ୍ଷାତ କରିବେ। ଆସନ୍ତା ମୌସୁମୀ ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିବା ସେମାନେ କହିଥିଲେ।

ସମ୍ବନ୍ଧିତ ଖବର