ବିଳମ୍ବିତ ହେବ ତାଳଚେର ସାର କାରଖାନା, ୨୦୨୪ ସେପ୍ଟେମ୍ବର ପୂର୍ବରୁ ଖୋଲିବା ଆଶା କ୍ଷୀଣ

ଅନୁଗୁଳ : ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ। ଧାର୍ଯ୍ୟ ସମୟ ଭିତରେ ଏହାର ନିର୍ମାଣ ଶେଷ ହେବାର ସମ୍ଭାବନା ନାହିଁ। ଏଥିନେଇ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ(ଟିଏଫଏଲ) ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କାରଖାନା ଚାଲିବା ପାଇଁ ୨୦୧୩ ଜୁଲାଇ ପରିବର୍ତ୍ତେ ୨୦୨୪ ସେପ୍ଟେମ୍ବରରୁ ବ୍ରାହ୍ମଣୀରୁ ପାଣି ଦେବାପାଇଁ ଏହି ଚିଠିରେ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଟିଏଫଏଲ୍‌ ପକ୍ଷରୁ ପୂର୍ବରୁ ୨୦୧୩ ଜୁଲାଇରୁ ପାଣି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଆବେଦନ କରାଯାଇଥିଲା। ତେଣୁ ୨୦୨୪ ସେପ୍ଟେମ୍ବର ପୂର୍ବରୁ ଏହି କାରଖାନା କାର୍ଯ୍ୟକ୍ଷମ ନ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ରାଜ୍ୟ ଜଳସଂପଦ ବିଭାଗକୁ ଲେଖାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ନିର୍ମାଣ କାର୍ଯ୍ୟ ପାଇଁ ୨୦୨୦ ଏପ୍ରିଲରୁ ୨୦୨୩ଜୁନ୍ ପର୍ଯ୍ୟନ୍ତ ଦୈନିକ ୧ କ୍ୟୁସେକ୍‌ ପାଣି ଏବଂ କାରଖାନା କାର୍ଯ୍ୟକ୍ଷମ ପାଇଁ ୨୦୨୩ ଜୁଲାଇରୁ ଦୈନିକ ୩୦ କ୍ୟୁସେକ୍‌ ପାଣିର ଆବଶ୍ୟକତା ନେଇ ବିଭାଗଠାରୁ ପୂର୍ବରୁ ଅନୁମତି ନିଆଯାଇଥିଲା। କିନ୍ତୁ କୋଭିଡ ମହାମାରୀ ପାଇଁ ସାର କାରଖାନା କାମ ବି ବାଧାପ୍ରାପ୍ତ ହୋଇଛି। ତେଣୁ ପୂର୍ବରୁ ନିଆଯାଇଥିବା ଅନୁମତି ଅନୁସାରେ ଏବେ ପାଣି ଦରକାର ନାହିଁ। ଏବେ ନିର୍ମାଣ କାର୍ଯ୍ୟ ପାଇଁ ୨୦୨୧ ଜାନୁଆରିରୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ଦୈନିକ ୧ କ୍ୟୁସେକ୍‌ ପାଣି ଏବଂ କାରଖାନା କାର୍ଯ୍ୟକ୍ଷମ ପାଇଁ ୨୦୨୪ ସେପ୍ଟେମ୍ବରରୁ ଦୈନିକ ୩୦ କ୍ୟୁସେକ୍‌ ପାଣି ଆବଶ୍ୟକ ବୋଲି ଚିଠି ଲେଖି କୁହାଯାଇଛି।

www.odishanewsinsight.com

ଏହି ଚିଠି ଅନୁସାରେ, ୨୦୨୪ ସେପ୍ଟେମ୍ବର ପହିଲା ପୂର୍ବରୁ ତାଳଚେର ସାର କାରଖାନାରୁ ଉତ୍ପାଦନ ଆରମ୍ଭ ହେବାର ସମ୍ଭାବନା ପ୍ରାୟ ନାହିଁ। ଫଳରେ ଦୁଇବର୍ଷ ପରେ ପ୍ରକଳ୍ପ ଆରମ୍ଭ ହେବା ନେଇ ଯେଉଁ ଆଶା ସଂଚାର ହୋଇଥିଲା ସେଥିରେ ପାଣି ଭରି ଯାଇଛି। ଗତ ମାସରେ ତାଳଚେର ଫର୍ଟିଲାଇଜର‌୍ କାରଖାନାର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ପ୍ରକଳ୍ପ ପରିଦର୍ଶନ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଟିଏଫ୍ଏଲ୍ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଆରୋରା, ଅର୍ଥ ବିଭାଗ ନିର୍ଦେଶକ ଅଭିଜିତ୍ ଗୋସ୍ବାମୀ, ମହାପ୍ରବନ୍ଧକ ପଞ୍ଚାନନ ହଳଧର, ବଳବନ୍ତ ଗୋସେଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପର ସମୀକ୍ଷା ପରେ ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ ଅଗ୍ରଗତି କାମ ସନ୍ତୋଷଜନକ ବୋଲି ମତ ଦେଇଥିଲେ। କାମ ଆଗେଇ ଥିବାରୁ ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଥିଲେ।

ଏହି କାରଖାନାର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୩,୨୭୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଦେଶରେ କୋଇଲା ପର୍ଯ୍ୟାପ୍ତ ଉପଲବ୍ଧ ହେଉଛି। ଏଥିସହିତ ଏହାର ଦରରେ ମଧ୍ୟ ପ୍ରାୟତଃ ଅସ୍ଥିରତା ନଥାଏ। ତେଣୁ କୋଇଲାରୁ ଗ୍ୟାସ୍‌ ଏବଂ ଗ୍ୟାସ୍‌ରୁ ୟୁରିଆ ଉତ୍ପାଦନ ପାଇଁ ଉକ୍ତ ପ୍ରଯୁକ୍ତି ବ୍ୟବହାର କରାଯିବ। ଫଳରେ ଭାରତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଇଥିଲା। ଅପରପକ୍ଷରେ ତାଳଚେର ସାର କାରଖାନା ସହ ତେଲେଙ୍ଗାନାର ରାମଗୁଣ୍ଡମ, ଝାଡ଼ଖଣ୍ଡର ସିନ୍ଧ୍ରୀ ଓ ଉତ୍ତରପ୍ରଦେଶର ଗୋରଖପୁର ସାର କାରଖାନାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାମଗୁଣ୍ଡମ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହୋଇଥିଲାବେଳେ ଅନ୍ୟ ଦୁଇ ପ୍ରକଳ୍ପର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ତାଳଚେରରେ ଏହା ଦିନକୁ ଦିନ ବିଳମ୍ବିତ ହେବାରେ ଲାଗିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବି ବଢିଲାଣି।

ସମ୍ବନ୍ଧିତ ଖବର