ଛତିଶଗଡ଼ରେ ଆରମ୍ଭ ହେଲା ଅପରେସନ ମନସୁନ୍‌

ମାଲକାନଗିରି : ଦୁଇ ଦିନ ପରେ ଆରମ୍ଭ ହେବ ସହିଦ ସପ୍ତାହ। ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଏହାକୁ ପାଳନ କରିବେ ନକ୍ସଲ। ତେବେ ଏହା ପୂର୍ବରୁ ହିଁ ଛତିଶଗଡ଼ରେ ଆରମ୍ଭ ହୋଇଯାଇଛି ଅପରେସନ ମନସୁନ୍।

ସହିଦ ସ୍ତମ୍ଭକୁ ଭାଙ୍ଗିବା, ନକ୍ସଲଙ୍କୁ ଦମନ କରି ଗିରଫ କରିବା ଏହି ଅପରେସନର ମୂଳ ଲକ୍ଷ୍ୟ। କିନ୍ତୁ ଭିନ୍ନ ରଣନୀତି ନେଇ ସୁରକ୍ଷା କର୍ମୀ ଏହି ଅପରେସନକୁ ଜୋରଦାର କରିଛନ୍ତି। ପ୍ରଥମ ଥର ପାଇଁ ମହିଳା କମାଣ୍ଡୋଙ୍କୁ ଅପରେସନରେ ସାମିଲ କରାଯାଇଛି। ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ଅପରେସନ ନିମନ୍ତେ ସ୍ବତନ୍ତ୍ର ମହିଳା କମାଣ୍ଡୋ ୟୁନିଟ୍ ଗଠନ କରାଯାଇଛି। ଏହାକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଦନ୍ତେଶ୍ବରୀଙ୍କ ନାମରେ ନାମିତ କରାଯାଇଛି। ବଛା ବଛା ମହିଳା ସୁରକ୍ଷା କର୍ମୀଙ୍କୁ ନେଇ ଏହି ୟୁନିଟ୍‌କୁ ତାଲିମ ଦିଆଯାଇଛି। ନଦୀ ପାରିହେବା, ବଜ୍ରପାତରୁ କିଭଳି ବ‌ର୍ତ୍ତିବେ, ସାପ ଦାଉରୁ କିପରି ରକ୍ଷା ପାଇବେ, ଜଂଗଲରେ ଦିନ ବିତାଇବା, କଣ ଖାଇବେ ଏବଂ ସତର୍କ ରହିବା ନିମନ୍ତେ ତାଲିମ ପ୍ରଦାନ କରାଯାଇଛି। ତାଲିମ ପରେ ଏହି ମହିଳା କମାଣ୍ଡୋ ଅପରେସନ ଆରମ୍ଭ କରିଛନ୍ତି।

ମହିଳା କମଣ୍ଡୋଙ୍କ ଏଭଳି ଦୁଃସାହସିକ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେହିପରି ମହିଳା କମାଣ୍ଡୋମାନେ ଜଂଗଲରେ ରହି ଅଲମ୍ପିକ୍ସ୍‌ରେ ଭାଗ ନେଇଥିବା ୧୨୭ ଜଣ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ସ୍ଲୋଗାନ ମଧ୍ୟ ଦେଉଛନ୍ତି।

ସମ୍ବନ୍ଧିତ ଖବର