ବକେୟା ବିଲ୍‌ ଆଦାୟ ନାମରେ ମନମାନି ଅଭିଯୋଗ: ବିଜୁଳି ସଂସ୍କାର ପାଇଁ ବିଧାନସଭାରେ ଆଲୋଚନା ଜରୁରୀ

ଭୁବନେଶ୍ବର : ବକେୟା ବିଲ୍‌ ଆଦାୟ ନାମରେ ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ ମନମାନି କରୁଛି। ଏଭଳି ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପାର୍ଟି ରାଜ୍ୟ ସଭାପତି ରବି ବେହେରା। ତାଙ୍କ ଅଭିଯୋଗ ମୁତାବକ, ବିଦ୍ୟୁତ ବିଲ୍‌ ବାକି ପଡ଼ିଛି କହି ସଂସ୍ଥା ବିନା ନୋଟିସ୍‌ରେ ସ୍କୁଲ, କଲେଜ, ସରକାରୀ ଦପ୍ତର ଓ ଘରୋଇ ଉପଭୋକ୍ତାମାନଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେଉଛି। ପ୍ରତିବାଦ କଲେ, ଶୁଣିବାକୁ କେହି ନାହାନ୍ତି। ଗଣପର୍ବ ଦୋଳପୂର୍ଣ୍ଣିମା ଓ ହୋଲିରେ ମଧ୍ୟ ସମ୍ପୃକ୍ତ ସଂସ୍ଥା ବିଭିନ୍ନ ଜାଗାରେ ଲାଇନ୍ କାଟି ଦେଇଥିବା ଅଭିଯୋଗ ହୋଇଛି। ଧାନମଣ୍ଡଳ ଗାଁର ଜଣେ ଶିକ୍ଷୟିତ୍ରୀ ବିଧୁସ୍ମିତା ମିଶ୍ରଙ୍କ ଅଭିଯୋଗ ମୁତାବକ, ୧୧ହଜାର ଟଙ୍କା ବାକି ପଡ଼ିଥିଲା। ତୁରନ୍ତ ପୈଠ କରା ନଗଲେ ଲାଇନ୍ କାଟି ଦିଆଯିବ ବୋଲି ସେମାନେ ଧମକ ଦେଇଛନ୍ତି। ଲାଗିଥିବା ମିଟର ଚାଲୁଥିଲେ ମଧ୍ୟ ତାକୁ ଜବରଦସ୍ତି ବାହାର କରି ଚାଇନା ମିଟର ଲଗାଇ ଦେଇଛନ୍ତି। ଯେଉଁଥିରେ ବିଲ୍‌ ଅଧିକ ଆସୁଛି। ଏହିଭଳି ହଜାର ହଜାର ଅଭିଯୋଗ ପ୍ରତିଦିନ ପାର୍ଟି ପାଖରେ ପହଞ୍ଚୁଛି। ସରକାର ଯଦି ଏଥିରେ ହସ୍ତକ୍ଷେପ ନ କରନ୍ତି, ତାହେଲେ ଆଗାମୀ ଦିନରେ ଏହି ଜନଅସନ୍ତୋଷ ଆନ୍ଦୋଳନ ରୂପ ନେବ ବୋଲି ଶ୍ରୀ ବେହେରା ଚେତାବନୀ ଦେଇଛନ୍ତି।

ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଓଇଆରସି ୨୦୨୨- ୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ନିଷ୍ପତ୍ତି ଶୁଣାଇବାର ସମ୍ଭାବନା ରହିଛି। ଯଦି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରାଯାଏ, ତା’ହେଲେ ଭୟଙ୍କର ପରିସ୍ଥିତି ଉପୁଜିବ। ଆଗାମୀ ବିଧାନସଭା ଅଧବେଶନ ସମୟରେ ବିଜୁଳି ସଂସ୍କାର ଉପରେ ଏକ ସ୍ଵତନ୍ତ୍ର ଆଲୋଚନା ହେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଓ ଓଇଆରସି କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ନୋଡାଲ ଅଫିସର ନିଯୁକ୍ତି କରିବା ସହ ଏକ ଦେୟମୁକ୍ତ ଟୋଲ ଫ୍ରି’ ନମ୍ବର ଜାରି କରି ଉପଭୋକ୍ତଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର