ଶିକ୍ଷକଙ୍କ ପାଇଁ ପ୍ରଶ୍ନକାଳ ଅଚଳ

ଭୁବନେଶ୍ବର : ଦୁଇ ଦିନ ହେଲା ବିଭିନ୍ନ ଦାବି ନେଇ ରାଜଧାନୀରେ ଶିକ୍ଷକମାନେ ଆନ୍ଦୋଳନ ଚଳାଇଛନ୍ତି। ସୋମବାର ଏହି ପ୍ରସଙ୍ଗରେ ବିଧାନସଭା ସରଗରମ ହୋଇଥିଲା। ପ୍ରଶ୍ନକାଳରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସରକାରଙ୍କୁ ଦାୟୀ କରି ହୋହଲ୍ଲା କରିଥିଲେ। ସେମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ରଖିଥିଲେ। ୧୧ଟା ୩୦ରେ ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହକୁ ଆଉ ୧୫ ମିନିଟ୍‌ ମୁଲତବୀ ରଖିଲେ। ୧୧ଟା ୪୫ରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଲେ, ଶିକ୍ଷକମାନେ ଶୀତ ଦିନ ରାତିରେ ରାସ୍ତାରେ ଶୋଇଛନ୍ତି। ସେମାନଙ୍କ ସହ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି କେହି ଯାଇନାହାନ୍ତି। ସେମାନଙ୍କ ଦାବି କେତେଦୂର ଯୁକ୍ତିଯୁକ୍ତ ତାହା ଭିନ୍ନ କଥା। ବିଧାନସଭା ଚାଲିଥିଲା ବେଳେ ସେମାନେ ଏତେ ସଂଖ୍ୟାରେ ଏକାଠି ହେବା ଚିନ୍ତାଜନକ। କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ନିର୍ବାଚନରେ ବ୍ୟସ୍ତ। ସେମାନଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନର ବାଟ ବାହାର କରାଯାଉ। ‌ଏହି ଆନ୍ଦୋଳନ ଯୋଗୁ ସ୍ଥାନୀୟ ଲୋକ ବି ଅସୁବିଧା ଭୋଗୁଛନ୍ତି। ଭିଡ଼ ଏମିତି ‌ହେଉଛି ଯେ ଆମ୍ବୁଲାନ୍ସ ଫସିଯାଉଛି। ସ୍କୁଲ୍‌ରେ ପାଠପଢ଼ା ପ୍ରଭାବିତ ହେଉଛି। ସରକାର ଏହାକୁ ଖାମଖିଆଲ ଭାବେ ନ ନିଅନ୍ତୁ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ ନୂଆ ପେନ୍‌ସନ୍ ନିୟମ ଲାଗୁ କରିବେ। କିନ୍ତୁ ସେମାନଙ୍କ ଦାବି ହେଉଛି ପୁରୁଣା ପେନ୍‌ସନ୍ ନିୟମ ଲାଗୁ ହେଉ। କଂଗ୍ରେସ ସେମାନଙ୍କ ଏହି ଦାବିକୁ ସମର୍ଥନ କରୁଛି।

କେବଳ ଶିକ୍ଷକ ନୁହେଁ, ବିଭିନ୍ନ‌ ଶ୍ରେଣୀର ଲୋକ ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଛନ୍ତି। କୋଭିଡ୍‌ ସମୟରେ ଯେଉଁମାନେ ସେବା କରିଥିଲେ, ସେମାନଙ୍କୁ ମଧ୍ୟ ବିଭିନ୍ନ ସୁବିଧା ଦିଆଯିବା କଥା। କଂଗ୍ରେସ ବରିଷ୍ଠ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, ଲକ୍ଷାଧିକ ଶିକ୍ଷକ ରାଜଧାନୀରେ ଆନ୍ଦୋଳନ କରୁଛନ୍ତି। ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଗଲାଣି। ସରକାର ବିଭିନ୍ନ ବର୍ଗର ଶିକ୍ଷକ ବ୍ୟବସ୍ଥା କରି ଏମିତି ସମସ୍ୟା ସୃଷ୍ଟି କରାଇଛନ୍ତି। ସରକାର ତୁରନ୍ତ କିଛି ନିଷ୍ପତ୍ତି ନେବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ।

ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଲେ, ଲକ୍ଷାଧିକ ଶିକ୍ଷକ ଦୁଇ ଦିନ ହେଲା ରାଜଧାନୀରେ ଆନ୍ଦୋଳନ ଚଳାଇଛନ୍ତି। ବିଧାୟକମାନଙ୍କ ଘର ସାମ୍ନାରେ ବି ଟେଣ୍ଟ୍‌ ବାନ୍ଧି ବହୁ ଶିକ୍ଷକ ବସିଛନ୍ତି। କିନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କର ଦରଦ ନାହିଁ। ଶିକ୍ଷକ ଆନ୍ଦୋଳନ ପ୍ରତି ତାଙ୍କ କିଛି ଯାଏ ଆସ ନାହିଁ। କିଛି ଦିନ ତଳେ ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ ବୋଲି ଘୋଷଣା କରି ତାହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଲେ। କିନ୍ତୁ ସେଥିରେ ଏତେ ଅସଙ୍ଗତି ଯେ କର୍ମଚାରୀମାନେ ଆନ୍ଦୋଳନ ଜୋର୍‌ଦାର କରୁଛନ୍ତି। ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦିଅନ୍ତୁ।

ଶାସକ ଦଳର ବରିଷ୍ଠ ବିଧାୟକ ଅମର ଶତପଥୀ କହିଲେ, ରାଜ୍ୟ ସରକାର ଶିକ୍ଷକମାନଙ୍କର ଅନେକ ସମସ୍ୟା ସମାଧାନ କରିଛନ୍ତି। ସେମାନଙ୍କ ସମସ୍ୟା ପ୍ରତି ସରକାର ସଚେତନ ଅଛନ୍ତି। ଗଣତାନ୍ତ୍ରିକ ଉପାୟରେ ଶିକ୍ଷକମାନଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ।

ଆଲୋଚନା ପରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଥିଲେ। ରୁଲିଂ ଦିଆଯିବ ବୋଲି ବାଚସ୍ପତି କହିବାରୁ ସେମାନେ ନିଜ ନିଜ ଆସନକୁ ଫେରିଯାଇଥିଲେ। ଶିକ୍ଷକମାନଙ୍କ ଦାବି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ବିଚାର କରିବାକୁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର