ଗାନ୍ଧୀ ମାର୍ଗରେ ଗୁରୁଙ୍କ ଗର୍ଜନ

ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଜାରି ରହିଛି ଗୁରୁଙ୍କ ଗର୍ଜନ। ୨୩ ଦିନ ହେଲା ବ୍ଳକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଅହୋରାତ୍ର ଧାରଣା ଜାରି ରଖିଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିବା ଶିକ୍ଷକଙ୍କ ସହ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି। ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇ ମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରିଛନ୍ତି। ସମାଜକୁ ଦୀର୍ଗର୍ଦର୍ଶନ ଦେଉଥିବା ଗୁରୁଙ୍କ ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ସେ କହିଲେ ଏହି ଆନ୍ଦୋଳନ କେବଳ ଶିକ୍ଷକଙ୍କ ଦରମା ସହ ସଂଶ୍ଳିଷ୍ଟ ନୁହେଁ। ବରଂ ୩୫ ଲକ୍ଷ ଓଡିଆ ପିଲାଙ୍କ ଭବିଷ୍ୟତ ସହ ଜଡିତ। ଯଦି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ପିଲାଙ୍କ ପାଠପଢା ପ୍ରଭାବିତ ହେବ ତେବେ ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ। ରାଜ୍ୟ ସରକାର ଦେଶର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଭାଙ୍ଗି ‘ଆମ ଗାଁ-ଆମ ବିକାଶ’ ନାଁରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ଏଥିସହ ୪୫୦ କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନାଁରେ ଦଳୀୟ କର୍ମୀଙ୍କ ପକେଟ୍‌ରେ ଟଙ୍କା ଦେବା ପାଇଁ ଚାହୁଁଛନ୍ତି। ହେଲେ ଶିକ୍ଷକଙ୍କୁ ଦରମା ଦେବା ବାବଦରେ ୭୦୦/୮୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ କାହିଁକି କୁଣ୍ଠିତ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ୨୦୧୪ରେ ରାଜ୍ୟ ସରକାରଙ୍କର ତେଲରୁ ଟିକସ ୩ ହଜାର କୋଟି ଟଙ୍କା ଥିବା ବେଳେ ୨୦୧୮ରେ ଏହା ୭ ହଜାର କୋଟିରେ ପହଞ୍ଚିଛି। ତେଲରୁ ଏତେ ଟିକସ ନେବା ପରେ ମଧ୍ୟ ସେଥିରୁ ୭୦୦/୮୦୦ କୋଟି ଟଙ୍କା ଶିକ୍ଷକଙ୍କୁ ଦରମା ଦେବାକୁ ସରକାର କୁଣ୍ଠାବୋଧ କରନ୍ତୁ ନାହିଁ ବୋଲି ଶ୍ରୀ ପ୍ରଧାନ ଆହ୍ଵାନ ଜଣାଇଛନ୍ତି।

ଶିକ୍ଷକ ଆନ୍ଦୋଳନ ଓ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ଯେ ସରକାର କାହାକୁ ନାଲିଆଖି ଦେଖାନ୍ତି ନାହିଁ। ସେମାନେ ଆମର ଶିକ୍ଷକ, ଭାଇ ପରି। କୌଣସି କଲେଜରେ ଏପର୍ଯ୍ୟନ୍ତ ତାଲା ପଡ଼ିନି। ସବୁଠି ପାଠପଢ଼ା ଚାଲିଛି। ଶିକ୍ଷକଙ୍କ ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କିଛି ଜାଣିନାହାନ୍ତି। ଏହା ଭିତରେ ନପଶି ସେ ଅନେକ କଥା କହୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି ଚେତାବନୀ ଦେଇଛନ୍ତି ଯେ ଏଣିକି ପଞ୍ଚାୟତ ସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ।

ସମ୍ବନ୍ଧିତ ଖବର