ଆର୍‌ଡି ଠିକାକାମରେ ଟେଣ୍ଡର ଫିକ୍ସିଂ!

ଦୁର୍ନୀତି ପାଇଁ ସମସ୍ତେ ଏକାଠି, ୩% ଚାନ୍ଦାରେ ଫିକ୍ସିଂ ଷଡ଼୍‌ଯନ୍ତ୍ର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଠିକା କାମରେ ଟେଣ୍ଡର ଫିକ୍ସିଂ! ବହୁ କାମରେ ଜଣେ ମାତ୍ର ଠିକାଦାର ଟେଣ୍ଡର୍‌ ଦାଖଲ କରିଥିବାରୁ ଏହିଭଳି ଏକ ସନ୍ଦେହ ସୃଷ୍ଟିହୋଇଛି। ଟେଣ୍ଟର ଫିକ୍ସିଂ ଯୋଗୁ ଗୋଟିଏପଟେ ସରକାର ରାଜସ୍ବ ହରାଉଥିବାବେଳେ ଅନ୍ୟପଟେ ଠିକାଦାରମାନେ ମାଲାମାଲ ହେଉଛନ୍ତି।

କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିମନ୍ତେ ଭବାନୀପାଟଣା କେସିଙ୍ଗା ଓ ଧର୍ମଗଡ଼ ଡିଭିଜନରେ ୪୪ଟି ଟେଣ୍ଡର ଦାଖଲ ହୋଇଥିଲା। ବିଡ୍‌ ନଂ. ୬୬୨ ତା.୧୧.୪.୨୦୨୨ରେ ଭବାନୀପାଟଣା ଡିଭିଜନର ୧୩ଟି କାର୍ଯ୍ୟ, ଧର୍ମଗଡ଼ ଡିଭିଜନର ୧୮ଟି କାର୍ଯ୍ୟ ଓ କେସିଙ୍ଗା ଡିଭିଜନର ୧୧ଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଠିକା ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହି ୪୪ଟି ଠିକା କାର୍ଯ୍ୟ ନିମନ୍ତେ ଚଳିତ ମାସ ମଇ ୧୦ ତାରିଖ ‌ଟେଣ୍ଡର ଦାଖଲର ସମୟସୀମା ଥିଲା। ଏହି ଠିକା ନିମନ୍ତେ ଠିକାଦାରଙ୍କ ତୁହାକୁ ତୁହା ଗୁପ୍ତ ବୈଠକ ହୋଇଥିଲା। ଠିକାଦାରଙ୍କ ମଧ୍ୟରେ ସହମତି ନେଇ ପ୍ରାୟ କାର୍ଯ୍ୟକୁ ଜଣେ ଠିକାଦାରକୁ ଦେଇ ‘ସିଙ୍ଗଲ’ କରିବା ପାଇଁ ପ୍ରାୟ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ କୁଆଡ଼େ ପ୍ରତିକାର୍ଯ୍ୟର ୩% ଠିକାଦାରଙ୍କ ଠାରୁ ଆଦାୟ ନିମନ୍ତେ ପ୍ରତିଶ୍ରୁତି ମଧ୍ୟ ହୋଇଥିଲା। କିନ୍ତୁ, କିଛି ଠିକାଦାର ‌ଶେଷ ମୁହୂର୍ତ୍ତରେ ସିଙ୍ଗଲ ଟେଣ୍ଡର ବଦଳରେ କିଛି ‘ଡମି’ ଠିକାଦାର ଟେଣ୍ଡର ପକାଇଥିଲେ।

ବର୍ତ୍ତମାନ ଟେଣ୍ଡର ଖୋଲାଯାଇଥିବାବେଳେ ଟେକ୍ନିକାଲ ବିଡିଂ ଆରମ୍ଭ ହୋଇଛି। ଏହାପରେ ଫାଇନାନ୍ସସିଆଲ ବା ଆର୍ଥିକ ବିଡିଂ ପରେ ଟେଣ୍ଡର ଚୂଡ଼ାନ୍ତ ହେବ। ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଠିକାକାମରେ ସିଙ୍ଗଲ୍‌ ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ସେହିଭଳି ଏକରୁ ଅଧିକ ପଡ଼ିଥିବା ଟେଣ୍ଡରରେ ମଧ୍ୟ ଗୁପ୍ତ ବୁଝାମଣା ହୋଇ ‘ଡମି’ ଟେଣ୍ଡର ପଡ଼ିଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ବିଭାଗର ଯନ୍ତ୍ରୀ ଓ ଅଧିକାରୀଙ୍କୁ ହାତବାରିସି କରି ଟେଣ୍ଡରକୁ ନିଜଆଡ଼କୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।

ସମ୍ବନ୍ଧିତ ଖବର