ଗୁପ୍ତ ଟେଣ୍ଡର କେଳେଙ୍କାରୀ : ଯାଜପୁର ବାହାରେ ବି ଘୋଟାଲା

ଠିକାଦାର-ଯନ୍ତ୍ରୀ ମାଲାମାଲ

ଭୁବନେଶ୍ୱର/ଯାଜପୁରରୋଡ୍ : ପୁଣି ଲୋକଲୋଚନକୁ ଆସିଛି ଗୁପ୍ତ ଟେଣ୍ଡର କେଳେଙ୍କାରୀ। ଏଥର ଯାଜପୁର ଓ କଟକ ଜିଲ୍ଲା ସୀମାନ୍ତ ପୂର୍ତ୍ତ ବିଭାଗ ରାସ୍ତାରେ ହୋଇଛି କୋଟି କୋଟି ଟଙ୍କାର ଗୁପ୍ତ ଟେଣ୍ଡର। ସବୁ ନୀତିନିୟମକୁ ମୋଡି ମକଚି ବିଭାଗୀୟ ଅଧିକାରୀ ଠିକାଦାରଙ୍କ ହାତରେ ଟେକି ଦେଇଛନ୍ତି କୋଟି କୋଟି ଟଙ୍କା। ମିଳିମିଶି ଆଖିବୁଜା ଲୁଟ୍ କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ଟେଣ୍ଡର ହୋଇଥିବା ରାସ୍ତା ଉପରେ ପି-୧ ଓ ଏଫ୍-୨ ନାମରେ ଶହ ଶହ ଗୁପ୍ତ ଟେଣ୍ଡର କରାଯାଇଛି। ପୂର୍ତ୍ତ ବିଭାଗର କଟକ ଡିଭିଜନ୍-୨ ଅଧୀନ ଯାଜପୁର-କଟକ ସୀମାନ୍ତ ରାସ୍ତାରେ ବିଭିନ୍ନ ଯୋଜନାରୁ ଆସିଥିବା ଅର୍ଥକୁ ବିକାଶ ନାମରେ ହଡ଼ପ କରାଯାଇଛି।

ଯାଜପୁର ଜିଲ୍ଲା ସୀମାନ୍ତ ଛତିଆ-ସାଲେପୁର(କଟକ) ରାସ୍ତାରେ ୨୦୧୨-୧୩ ରୁ ୨୦୧୭-୧୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ‌େଟଣ୍ଡର୍‌ କାମ ହୋଇଛି। ଏହା ସତ୍ବେ ଶତାଧିକ ଗୁପ୍ତ ଟେଣ୍ଡର କରାଯାଇଛି। ସରକାରୀ ଅନୁଦାନ ପକେଟରେ ପୂରାଇଛନ୍ତି। ଏହି ରାସ୍ତାଟି ପୂର୍ତ୍ତ ବିଭାଗର କଟକ ଡିଭିଜନ୍-୨ର ସାଲେପୁର ସବ୍ଡ଼ିଭିଜନ୍ ଅଧୀନରେ ୧୭କିମି ଓ ଚାରବାଟିଆ ଡିଭିଜନ୍‌ର ବଡ଼ଚଣା ସବ୍ ଡିଭିଜନ୍ ଅଧୀନରେ ୨କିମି ରହିଛି। ବଡ଼ଚଣା ଅଧୀନରେ ଥିବା ରାସ୍ତାର ୨୬ କିମିରୁ ୨୮କିମିରେ ଗତ ୬ବର୍ଷ ମଧ୍ୟରେ ୨ଟି ଟେଣ୍ଡର ଜରିଆରେ ୬୨ ଲକ୍ଷ ୬୪ ହଜାର ୮୪୬ ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଯାଇଛି। ଏହା ବାଦ୍‌ ଆଉ ୨୬ଟି ଗୁପ୍ତ ଟେଣ୍ଡର୍‌ କରାଯାଇ ୩୧.୬୬ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହରିଲୁଟ୍ କରାଯାଇଛି।

ସାଲେପୁର ସବଡ଼ିଭିଜନ୍ ଅଧୀନରେ ଥିବା ଏହି ରାସ୍ତାର ୯କିମି ରୁ ୨୬କିମି ମଧ୍ୟରେ ମାତ୍ର ୩ ବର୍ଷରେ ୨ଟି ଟେଣ୍ଡରରେ ୪ କୋଟି ୧୧ଲକ୍ଷ ୫୭ହଜାର ୪୪୯ଟଙ୍କା ବ୍ୟୟ କରାଯାଇଥିଲା। ଏହା ସହ ଆଉ ୫୫ଟି ଗୁପ୍ତ ଟେଣ୍ଡର କରାଯାଇ ୨କେ‌ାଟି ୨୩ଲକ୍ଷ ୭୪ ହଜାର ୮୯ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ଏହି ଗୋଟିଏ ରାସ୍ତାର ୧୯କିମି ମଧ୍ୟରେ ମୋଟ ୪ଟି ଟେଣ୍ଡରରେ ୪କୋଟି ୭୪ଲକ୍ଷ ୨୨ହଜାର ୨୯୫ ଟଙ୍କା ବ୍ୟୟ କରାଯାଇଥିବା ବେଳେ ୮୧ଟି ଗୁପ୍ତ ଟେଣ୍ଡର କରାଯାଇ ୨କୋଟି ୫୫ଲକ୍ଷ ୪୦ହଜାର ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ କରାଯାଇଛି।

କେବଳ ଏହି ରାସ୍ତା ନୁହେଁ ବାଲିଚନ୍ଦ୍ରପୁର- ଲଳିତିଗିରି ରାସ୍ତାରେ ମଧ୍ୟ ବ୍ୟାପକ ହରିିଲୁଟ୍ ହୋଇଛି। ଗତ ୩ବର୍ଷ ୩୯ଟି ଗୁପ୍ତ ଟେଣ୍ଡର ଜରିଆରେ ୧କୋଟି ୫୭ଲକ୍ଷ ୮ହଜାର ୧୮୨ଟଙ୍କା ଖର୍ଚ୍ଚ କରାଯାଇଛି। ଏବେ ପୁଣି ଏହି ରାସ୍ତା ପାଇଁ ୬.୩୫କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାସ୍ତାଟି ସାଲେପୁର ସବଡ଼ିିଭିଜନ୍ ଅଧୀନରେ ରହିଛି।

ଏ ସଂପର୍କରେ ସା‌େଲପୁର ଏସଡିଓ ଶ୍ୟାମସୁନ୍ଦର ଦାଶଙ୍କୁ ପଚାରିବାରୁ ସେ ଏହାକୁ ଏଡ଼ାଇ ଯାଇଛନ୍ତି। ସେ ନୂଆରେ ବଦଳି ହୋଇ ଆସିଥିବାରୁ ଏ ସଂପର୍କରେ ବିଶେଷ କିଛି ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ସରକାରଙ୍କ ନୀତିନିୟମକୁ ଜଳାଞ୍ଜଳି ଦେଇ ଗୁପ୍ତ ଟେଣ୍ଡର କରାଗଲା ସେ ନେଇ ପ୍ରଶ୍ନ ଉଠୁଛି। ଏହା ସହ ଜଣେ ଜଣେ ଠିକାଦାରଙ୍କ ନାମରେ ଗୋଟିଏ ଦିନରେ ସମାନ କାମ ପାଇଁ ଏକାଧିକ ୫୦ ହଜାର ଟଙ୍କାରୁ କମ୍ ସ୍ପ୍ଲିଟ୍ ଅପ୍ କାମ କରାଯାଇଛି। ସେହିପରି ୫ ଲକ୍ଷ ମୂଲ୍ୟର କାମ ହେଲେ ଟେଣ୍ଡର କରିବାକୁ ନିୟମ ଥିବାରୁ ୫ଲକ୍ଷରୁ କମ୍ ଦର୍ଶାଇ ଅନେକ ପି-୧ କାମ କରାଯାଇଛି। ଏହା ଅନୁସନ୍ଧାନ କଲେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପଦାକୁ ଆସିପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର