ବନ୍ଧ ନିଲାମକୁ ନେଇ ଉତ୍ତେଜନା, ପିଇଓ ଅଟକ

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ୍‌ ଜଗୁଆ ପଞ୍ଚାୟତ ତୁର୍ଲା ଗାଁର ବନ୍ଧ ନିଲାମକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ ଇଓଙ୍କୁ ଅଟକ ରଖିଥିଲେ।

ସୂଚନା ଅନୁସାରେ, ଜଗୁଆ ପଞ୍ଚାୟତ ତୁର୍ଲା ଗାଁର ସିଙ୍ଗେଲ ବନ୍ଧର ନିଲାମ ଗୁରୁବାର ଟିଟିଲାଗଡ଼ ବ୍ଲକ୍‌ ଅଫିସ ପରିସରରେ ଅନୁଷ୍ଠିତ ହୋଇଥିଲା। ତୁର୍ଲା ଗାଁର ଦୁଇଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାଣିକେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ମା’ ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ନିଲାମ ଡାକ ହୋଇଥିଲା। ବନ୍ଧ ନିଲାମ ୧ ଲକ୍ଷ ୨୨ ହଜାର ଟଙ୍କା ପଞ୍ଚାୟତ ରଖିଥିଲା। ୩ ଲକ୍ଷ ୨୦ ହଜାର ଟଙ୍କା ଡାକ ନେଇ ନିଲାମକୁ ନିଜ ପାଖରେ ରହିଥିଲା ଶିବଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ। ହେଲେ ୩ ଲକ୍ଷ ଡାକରେ ରହିଥିବା ମା’ ମାଣିକେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଲାମରେ ଦେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ଶିବଶକ୍ତି ଗୋଷ୍ଠୀ ପିଇଓ ଅନଙ୍ଗ ପ୍ରସାଦ ଚୌଧୁରୀଙ୍କୁ ଅଟକ ରଖିଥିଲେ।

ଅନ୍ୟପଟେ ଠିକ ସମୟରେ ନିଲାମ ନେଇଥିବା ଗୋଷ୍ଠୀ ୭୫ ପ୍ରତିଶତ ରାଶି ଜମା ନକରିବାରୁ ଅନ୍ୟ ଗୋଷ୍ଠୀକୁ ନିଲାମ ଦିଆଯାଇଥିବା ବ୍ଲକ୍‌ ପ୍ରଶାସନ କହିଛି। ଏହାକୁ ନେଇ ବହୁ ସମୟ ପର୍ଯ୍ୟନ୍ତ ହୋହଲ୍ଲା ସହ ନାରାବାଜି ହୋଇଥିଲା। ପରେ ବିଡିଓ ନବୀନ ନାୟକ ପହଞ୍ଚି ନିଲାମ ପ୍ରକ୍ରିୟାକୁ ସାମୟିକ ଭାବରେ ସ୍ଥଗିତ ରଖିଥିଲେ। ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଅଟକ ଥିବା ଅଧିକାରୀଙ୍କୁ ଛାଡ଼ିଥିଲେ।

ସମ୍ବନ୍ଧିତ ଖବର