ଭିମ୍‌ସାର୍‌ ରାଗିଂ ଘଟଣାର ଭୟାନକ ଚିତ୍ର : ରାତି ୧୨ଟାରୁ ୩ଟା ଯାଏ ନିର୍ଯାତନା

କବାଟ ଭାଙ୍ଗି ପଶିଥିଲେ ବରିଷ୍ଠ ଛାତ୍ର
ମାଡ଼ ମାରି ମୁହଁ ଫଟାଇ‌ ଦେଇଥିଲେ
ପୀଡ଼ିତଙ୍କ ମଧ୍ୟରେ ଜଣେ ଡାକ୍ତରଙ୍କ ପୁଅ
ପୀଡ଼ିତଙ୍କ ବୟାନ ନେଲେ ତଦନ୍ତକାରୀ

ସମ୍ବଲପୁର : ଗତ ମଙ୍ଗଳବାର ରାତିରେ ଭିମସାର୍‌ର କନିଷ୍ଠ ଛାତ୍ରାବାସରେ ବରିଷ୍ଠ ଡାକ୍ତରୀ ଛାତ୍ରମାନେ ରଚିଥିଲେ ତାଣ୍ଡବ। ସବୁ ସୀମା ସରହଦକୁ ଲଂଘି ଯାଇ କରିଥିଲେ ଭୟଙ୍କର ରୢାଗିଂ। ଅଧଘଣ୍ଟା କି ଘଣ୍ଟାଏ ନୁହେଁ, ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିଥିଲା ରୢାଗିଂ। ଘଟଣା ପଛରେ ଥିଲା ଆଦେଶ ଅମାନ୍ୟ କରିବାର ରାଗ।

ସୂଚନା ଅନୁସାରେ, ଭିମସାର୍‌ ୟୁଜି ଛାତ୍ର ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଚତୁର୍ଥ ବର୍ଷ ଛାତ୍ରଙ୍କ ପକ୍ଷରୁ ସଂଧ୍ୟାରେ ଏକ ବୈଠକ ଡକାଯାଇଥିଲା। କିନ୍ତୁ ଏହି ବୈଠକକୁ କିଛି ଦ୍ବିତୀୟ ବର୍ଷ କନିଷ୍ଠ ଛାତ୍ର ଯାଇ ନଥିଲେ। ଏଥିରେ ବରିଷ୍ଠଙ୍କ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା। ନିର୍ଦ୍ଦେଶ ଅମାନ୍ୟ କରି ଥିବାରୁ ସେମାନେ କନିଷ୍ଠଙ୍କୁ ପାନେ ଦେବାକୁ ନିଷ୍ପତ୍ତି ନେଇଥିଲେ। ରାତି ପ୍ରାୟ ୧୨ଟା ବେଳେ ବହୁ ସଂଖ୍ୟାରେ ଚତୁର୍ଥ ବର୍ଷ ଛାତ୍ର ଏକତ୍ର କନିଷ୍ଠ ହଷ୍ଟେଲ୍‌ରେ ପ୍ରବେଶ କରିଥିଲେ। ସେମାନେ ଧଡ଼ଧଡ଼ କରି ବିଭିନ୍ନ କୋଠରିର କବାଟ ବାଡ଼େଇ ଥିଲେ। କିଛି ଛାତ୍ର କବାଟ ଖୋଲି ବାହାରି ଥିଲେ। ଯେଉଁ ଛାତ୍ରମାନେ କବାଟ ଖୋଲି ନଥିଲେ ସେହି କବାଟ ଗୁଡ଼ିକୁ ଭାଙ୍ଗି କୋଠରି ଭିତରେ ପଶିଥିଲେ। ଅମାନ୍ୟ କରିଥିବା ଛାତ୍ରଙ୍କୁ ଅଶ୍ରାବ୍ୟ ଗାଳିଗୁଲଜ କରି ପ୍ରବଳ ମାଡ଼ ମାରିଥିଲେ। ସମସ୍ତଙ୍କୁ ଧାଡ଼ିରେ ଛିଡ଼ା କରାଇ ମୁଣ୍ଡ ତଳକୁ କରିବାକୁ ଆଦେଶ ଦେଇଥିଲେ। ଏହାପରେ ଜଣଜଣ କରି ପଚରାପଚରି କରି ଶାସ୍ତି ଦେଇଥିଲେ। ଆଗାମୀ ଦିନରେ ଆହତ ଲୋକଙ୍କ ଚିକିତ୍ସା କରି ସୁସ୍ଥ କରିବା କାମରେ ନିୟୋଜିତ ହେବାକୁ ଥିବା ଡାକ୍ତରୀ ଛାତ୍ର ମାନେ ମାଡ଼ ମାରି ଜଣେ କନିଷ୍ଠ ଛାତ୍ରଙ୍କ ମୁହଁ ଫଟାଇ ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହୋଇଥିଲା। ୩ ଘଣ୍ଟା ଧରି ଏହି ରୢାଗିଂ ଚାଲିଥିଲା।

ରୢାଗିଂର ଶିକାର କନିଷ୍ଠ ଛାତ୍ରଙ୍କ ମଧ୍ୟରେ ଜଣେ ବରିଷ୍ଠ ଡାକ୍ତରଙ୍କ ପୁଅ ଥିବା ଜଣାପଡ଼ିଛି। ତେବେ ରୢାଗିଂ ଖବର ପାଇବା ମାତ୍ରେ ଭିମସାର୍‌ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆଣ୍ଟି ରେଗିଂ ସେଲ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୁକ୍ରବାର ରାତିରେ ଆଣ୍ଟି ରାଗିଂ ସେଲ୍‌ର ସଦସ୍ୟ ଜଣେ ବରିଷ୍ଠ ଡାକ୍ତର ଯାଇ ପୀଡ଼ିତ ଛାତ୍ରଙ୍କ ଠାରୁ ଲିଖିତ ବୟାନ ନେଇଛନ୍ତି। ଅପରପକ୍ଷରେ ରୢାଗିଂ ଘଟଣାକୁ ଚପାଇ ଦେବା ପାଇଁ ବରିଷ୍ଠ ଛାତ୍ରଙ୍କ ପକ୍ଷରୁ କନିଷ୍ଠଙ୍କ ଉପରେ ପ୍ରବଳ ଚାପ ପକାଯାଉଛି। ଫଳସ୍ବରୂପ ଦ୍ବିତୀୟ ବର୍ଷର ଛାତ୍ର ମାନେ ରୢାଗିଂ ବିଷୟକୁ ଅସ୍ବୀକାର କରୁଛନ୍ତି। ସେମାନେ ମଧ୍ୟ ନିଜ ଆଡ଼ୁ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ କୌଣସି ଅଭିଯୋଗ କରି ନାହାନ୍ତି। ତୃତୀୟ ପକ୍ଷରୁ ଖବର ପାଇ ଭିମସାର୍‌ କର୍ତ୍ତୃପକ୍ଷ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛନ୍ତି। ଭିମସାର୍‌ ୟୁଜି ଛାତ୍ରସଂସଦ ପକ୍ଷରୁ ମଧ୍ୟ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଭିମସାର ଅଧ୍ୟକ୍ଷ ଡା. ଜୟଶ୍ରୀ ଦୋରା କହିଛନ୍ତି ଅଭିଯୋଗ ଆସିବା ପରେ ତୁରନ୍ତ ଆଣ୍ଟି ରୢାଗିଂ ସେଲ୍‌କୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି। ଭିମ୍‌ସାର୍‌ରେ ଛାତ୍ର ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନର ପ୍ରସ୍ତୁତି ପାଇଁ କନିଷ୍ଠ ଛାତ୍ରମାନଙ୍କୁ ଡକାଯାଇଥିଲା। ସେତିକିବେଳେ କିଛି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ତେବେ, ରିପୋର୍ଟ ଆସିବା ପରେ ସେଭଳି ଘଟଣା ଘଟିଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷ ଡା. ଦୋରା କହିଛନ୍ତି। ସେହିପରି ରୢାଗିଂର ପ୍ରଶ୍ନ ଉଠୁ ନାହିଁ ବୋଲି ଭିମ୍‌ସାର୍‌ ୟୁଜି ଛାତ୍ର ସଂଘ ସଭାପତି ପିନାକୀ ପ୍ରସାଦ ଧଳ କହିଛନ୍ତି।

ସମ୍ବନ୍ଧିତ ଖବର