ପୁଲିସ ନକ୍ସଲ ମୁହାଁମୁହିଁ, ଜଣେ ଯବାନ ସହିଦ

୩ଟି ଟିଫିନ ବୋମା ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।ଆଜି ସକାଳ ପ୍ରାୟ ସାଢେ ଆଠଟା ସମୟରେ ନାରାୟଣପୁର ଏବଂ ଦନ୍ତେଵାଡା ଜିଲ୍ଲା ସୀମାନ୍ତ ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ଡିଆରଜି ଯବାନ ସୂଚନା ପାଇଁ କମ୍ବିଂ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିବା ପରେ ନକ୍ସଲ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ସାମଗ୍ରୀ ଯବାନ ଜବତ କରିଥିଲେ ମଧ୍ୟ ହେଡକନେଷ୍ଟବଲ ସାଲିକ ରାମ ମାରକମ ନକ୍ସଲ ଗୁଳିରେ ମୃତ୍ୟୁବରଣ କରିଥିଲେ। ସହିଦ ଯବାନ କଂକେର ଜିଲ୍ଲାର ଚବେଲା ଗ୍ରାମର ବୋଲି ଜଣାପଡିଛି। ପୁଲିସ ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଥିବା ବେଳେ ନକ୍ସଲ ତରଫରୁ ମଧ୍ୟ ମୃତାହତ ହୋଇଥିବା ସୂଚନା ମିଳୁଛି।ତେବେ ନକ୍ସଲ ନିଜ ସାଥିଙ୍କୁ ନେବାରେ ସଫଳ ହୋଇଛନ୍ତି।

ଅନ୍ୟପଟରେ କାଂକେର ଜିଲ୍ଲାରେ ୩ଟି ଟିଫିନ ବୋମାକୁ ଉଦ୍ଧାର କରିଛି ପୁଲିସ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଏହି ଟିଫିନ ବୋମାକୁ ଖଞ୍ଜିଥିଲେ। ଅନ୍ତଗଡ ଥାନା ଅଂଚଳରେ ବିଏସଏଫ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ରାସ୍ତା କଡରେ ନକ୍ସଲ ତିନୋଟି ଟିଫିନ ବୋମା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ। ତେବେ ଯବାନ ଠିକ ସମୟରେ ଏହି ବୋମାକୁ ଠାବ କରିବା ସହ ବୋମାକୁ ମାଟି ତଳୁ ଉଦ୍ଧାର କରିଥିଲେ। ପରେ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଟିଫିନ ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ଏକ ବଡ ଧରଣର ଅଘଟଣକୁ ଯବାନ ଏଡାଇ ପାରିଥିଲେ। ଏହି ଟିଫିନ ବୋମାଗୁଡିକ ୭ କିଲୋ ଲେଖାଏଁ ଓଜନ ରହିଥିବା ପୁଲିସ କହିଛି। ସୁରକ୍ଷାକର୍ମୀ ନକ୍ସଲଙ୍କ ସମସ୍ତ ଚାଲକୁ ନଷ୍ଟ କରୁଥିବାରୁ ନକ୍ସଲ ଏବେ ଦୁର୍ବଳ ହେଉଥିବା ଜଣାପଡିଛି। କେନ୍ଦ୍ର ଓ ରାଜ୍ୟ ସରକାର ନକ୍ସଲ ବିରୋଧରେ ଲଗାତାର ଅପରେସନ ଜାରି ରଖିଥିଲେ ବି ମାଓବାଦୀମାନେ ମଧ୍ୟ ହିଂସା ପାଇଁ ବିକଳ୍ପ ଚିନ୍ତା କରୁଛନ୍ତି।

ସମ୍ବନ୍ଧିତ ଖବର