ବେଜବରୁଆଙ୍କ ଶ୍ରାଦ୍ଧବାର୍ଷିକୀରେ ପହଞ୍ଚିଲେ ଆସାମ ପ୍ରତିନିଧି ଦଳ

ସମ୍ବଲପୁର: ସମ୍ବଲପୁରରେ ଚାଲୁଥିବା ବେଜବରୁଆ ଭବନର ଜୀର୍ଣ୍ଣୋଦ୍ଧାର ପାଇଁ ଆସାମ ସରକାର ଦ୍ବିତୀୟ କିସ୍ତିରେ ୪୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ପ୍ରଥମ ଦଫାରେ ଆସାମ ସରକାର ୫୦ ଲକ୍ଷ ଟଙ୍କା ଏବଂ ଓଡ଼ିଶା ସରକାର ୫୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହି ଅନୁଦାନ ବ୍ୟତୀତ ବେଜବରୁଆ ବାସଗୃହ ସମ୍ମୁଖରେ ସାହିତ୍ୟରଥୀଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପାଇଁ ଆସାମ ସରକାର ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ପ୍ରଥମ କିସ୍ତିରେ ୨୫ ଲକ୍ଷ ଟଙ୍କା ବେଜବରୁଆ ସ୍ମ୍ରୁତି କମିଟି ଗୌହାଟିକୁ ପ୍ରତିମୂର୍ତ୍ତି ନିର୍ମାଣ ନିମନ୍ତେ ପ୍ରଦାନ କରାସରିଛି। ଗୌହାଟି ଓ ସମ୍ବଲପୁର ମଧ୍ୟରେ ସପ୍ତାହକୁ ତିନିଦିନ ଟ୍ରେନ ଚଳାଇବା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏହାଛଡ଼ା ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ବେଜବରୁଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ୮୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସମ୍ବଲପୁର ଆସିଥିବା ବେଜବରୁଆ କମିଟି ଆସାମର କର୍ମକର୍ତ୍ତାଗଣ ଉପରୋକ୍ତ ସୂଚନା ଦେଇଛନ୍ତି। ରବିବାର ପୂର୍ବାହ୍ନରେ ଏଡିଏମ ଅଜାମ୍ବର ମହାନ୍ତି ତଥା ସମ୍ବଲପୁରର ବୁଦ୍ଧିଜୀବୀ, କବି, ଲେଖକଙ୍କ ସାନିଧ୍ୟରେ ବେଜବରୁଆ କମିଟି ଆସାମର ସଭାପତି ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପ୍ରଦ୍ୟୁତ କୁମାର ଚୌଧୁରୀ, ସମ୍ପାଦକ ରଣ୍ଟୁ ଡେକା, ଜିଏସଟି ଏବଂ ଅବକାରୀ କମିସନର ରାକେଶ ଅଗ୍ରୱାଲ, ଲେଖକ ଗୋପାଲ ଜଲାନ, କମଳେନ୍ଦ୍ର ଭରାଲି, ସପନଶୀଲ ଶର୍ମା, ଗୌହାଟି ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ର. ହରିପ୍ରସାଦ ଶର୍ମା, ଓଡ଼ିଆ-ଅହମିଆ ଅନୁବାଦିକା ତଥା ଲେଖିକା ନିର୍ମାଲି ମହାନ୍ତ ପ୍ରମୁଖ ସାଧନା ଗୃହରେ ପୁଷ୍ପ ଅର୍ପଣ ପୂର୍ବକ ବେଜବରୁଆଙ୍କୁ ଶ୍ରଦ୍ଧାଞ୍ଜଳି ‌େଦଇଥିଲେ। ସାଧନା ଗୃହର ଜୀର୍ଣ୍ଣୋଦ୍ଧାରରେ ଆନନ୍ଦ ବ୍ୟକ୍ତ କରିବା ସହିତ ବାସଗୃହର ପୁନଃନିର୍ମାଣ କାର୍ଯ୍ୟର ନିରୀକ୍ଷଣ କରିଥିଲେ। ସଂଧ୍ୟାରେ ସାଧନା ଗୃହରେ ଅତିଥିମାନଙ୍କ ଗହଣରେ ୮୫ଟି ଦୀପ ପ୍ରଜ୍ବଳନ କରା ଯାଇଥିଲା।

୮୫ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ଶନିବାର ସଂଧ୍ୟାରେ ସାମ୍ବାଦିକ ଭବନରେ ଦୀପକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇ ଭାବ ବିନିମୟ କରା ଯାଇଥିଲା। ଓଡିଶା-ଆସାମ ମଧ୍ୟରେ ସାହିତ୍ୟ-ସଂସ୍କୃତିର ସମନ୍ବୟ ଉପରେ ଗୁରୁତ୍ବ ଦିଆ ଯାଇଥିଲା। ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ଭୀମଭୋଇ ଚେୟାରର ଅଧ୍ୟକ୍ଷ କବି ପ୍ରଦୀପ ପଣ୍ଡା ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। କବି ସୈଭାଗ୍ୟବନ୍ତ ମହାରଣା, ଡା. ଗୁଣ ସାଗର ଦାଶ, କବି ଦୁର୍ଗା ପଣ୍ଡା ଏବଂ ଆସାମ ପରିଦର୍ଶନକାରୀ ଦଳର ସଦସ୍ୟଗଣ ବକ୍ତବ୍ୟ ରଖିଥିଲେ। ସ୍ଥାନୀୟ କବି, ଲେଖକମାନେ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର