ପ୍ରେମିକାଙ୍କୁ ଗୁଳିମାଡ଼ କଲା ପ୍ରେମିକ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ପ୍ରତିଶୋଧପରାୟଣ ହୋଇ ଜଣେ ଲୋକ ନିଜ ବିଗତଦିନର ପ୍ରେମିକାଙ୍କୁ ଗୁଳିମାଡ଼ କରିଛନ୍ତି। ଏହାପରେ ତାଙ୍କୁ ୫ଦିନ ଧରି ଲୁଚାଇ ରଖିଥିଲେ ବି ଶେଷରେ ଧରାପଡ଼ିଛନ୍ତି ଏହି ବ୍ୟକ୍ତି ଜଣକ। ତାଙ୍କୁ ଓ ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଗିରଫ ପ୍ରେମିକ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ଅଁଳାଡ଼ୁବା ଗ୍ରାମର ସୂରଜ ପଣ୍ଡାଙ୍କ ପୁଅ ଅର୍ଜୁନ(୨୯)। ବିଶୋଇ ଥାନା ଅଞ୍ଚଳରେ ଜଣେ ୧୮ ବର୍ଷୀୟ ଆଦିବାସୀ ଯୁବତୀଙ୍କ ସହିତ ଅର୍ଜୁନଙ୍କର ଦୀର୍ଘ ୩ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ତେବେ ବର୍ଷକ ପୂର୍ବେ ଅର୍ଜୁନ ନିଜ ପ୍ରେମିକାକୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରିଥିଲେ। ବିବାହ ପରେ ବି ସେ ନିଜ ସମ୍ପର୍କ ରଖିବାକୁ ପ୍ରେମିକାଙ୍କୁ ବାଧ୍ୟ କରୁଥିଲେ। ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିବାରୁ ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ଅର୍ଜୁନ। ଗତ ଗୁରୁବାର ଦିନ ଉକ୍ତ ଯୁବତୀଙ୍କୁ ଅପହରଣ କରି ନେଇ ନିଚ୍ଛାଟିଆ ସ୍ଥାନରେ ଗାଡ଼ି ରଖିଥିଲେ। ସେଠାରେ ଏକ ବନ୍ଧୁକରେ ଯୁବତୀଙ୍କ ଜଙ୍ଘକୁ ଗୁଳି କରିଥିଲେ। ଯୁବତୀ ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଘଟଣା ଲୋକଲୋଚନକୁ ଆସିବା ଭୟରେ ଏକ ଭଡ଼ାଘ‌େର ଲୁଚେଇ ରଖିଥିଲେ। ଯୁବତୀ କ୍ଷତାକ୍ତ ଅବସ୍ଥାରେ ରହିଥିବା ବେଳେ ଗତକାଲି ସନ୍ଧ୍ୟାରେ କୌଶଳକ୍ରମେ ଏକ ଫୋନ୍‌ ଯୋଗେ ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ।ଘଟଣା ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଅର୍ଜୁନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର