‘ବଜେଟ୍ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ଭୁଲ’

ଭୁବନେଶ୍ବର : କେନ୍ଦ୍ର ବଜେଟରେ ମନରେଗା ଅର୍ଥ କମିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଗତକାଲି ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଓ ନିରାଧାର ବୋଲି ବିଜେପିର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଗତକାଲି କେନ୍ଦ୍ର ବଜେଟ୍ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମିଛ କହି ରାଜ୍ୟବାସୀଙ୍କୁ ଠକିବା ଉଚିତ୍ ନୁହେଁ। ମୁଖ୍ୟମନ୍ତ୍ରୀ ବଜେଟକୁ ଭଲରେ ବୁଝି ଟୁଇଟ୍ କରିଛନ୍ତି ନା ତାଙ୍କ ଅଜାଣତରେ କିଏ ଟୁଇଟ୍ କରିଛି? ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟିରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ୮୦ ହଜାର କୋଟି ଟଙ୍କାର ସହାୟତା ମିଳିଛି। ୯ହଜାରରୁ ଅଧିକ ଜନଔଷଧୀ କେନ୍ଦ୍ରରେ ଗରିବଙ୍କୁ ୨୦ ହଜାର କୋଟି ଟଙ୍କାର ଲାଭ ମିଳିଛି। ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ୧ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି। ଆୟୁଷ୍ମାନ ଭାରତ କ’ଣ, ତାହା ଦେଶ ଓ ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି।

ସେହିପରି ୨୦୨୩-୨୪ କେନ୍ଦ୍ର ବଜେଟରେ ମନରେଗା ଯୋଜନା ପାଇଁ ୬୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏପରିକି ଗତ ୯ବର୍ଷରେ ମନରେଗା ଯୋଜନାରେ ୬.୫ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ଏହି ଯୋଜନାରେ ୫.୭୭କୋଟି ପରିବାର ଲାଭବାନ ହୋଇଛନ୍ତି। ମନରେଗାରେ ଓଡ଼ିଶାକୁ ୨୦୧୪-୧୫ ରୁ ୨୦୨୩ ମଧ୍ୟରେ ୧୦୭ କୋଟି ଦିନର କାମ ସୃଷ୍ଟି କରାଯାଇଛି। ଓଡ଼ିଶାକୁ ଏଥିପାଇଁ ୨୬,୧୬୬କୋଟି ଟଙ୍କା ଦିଆଯାଇଛି। ବିଜେଡି କାରଣରୁ ମନରେଗା ଯୋଜନା ପଥଭ୍ରଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ପୁଞ୍ଜିନିବେଶ କରିବା କହୁଛନ୍ତି ମାତ୍ର ଦାଦନ ଖଟିବା ପାଇଁ ଓଡ଼ିଆ ପିଲା କାହିଁକି ବାହାରକୁ ଦାଦନ ଯାଉଛନ୍ତି ‌େବାଲି ସେ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ‌େର ମୁଖପାତ୍ର ଠାକୁର ରଣଜିତ୍ ଦାସ ଏବଂ ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର