ଚାଷଜମିରେ ପଡ଼ି ହାତୀ ଛୁଆ  ଗୁରୁତର ଘଟଣା, ୩୦ ଘଣ୍ଟା ପରେ ସୁସ୍ଥ ହୋଇ ଜଙ୍ଗଲକୁ ଗଲା

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥ ବନାଞ୍ଚଳ ମୂଷାନାଳ ସେକ୍ସନ ପାହାଡ଼ପଦର ପଞ୍ଚାୟତ ସିମେଲପଦର ଗାଁ ନିକଟ ଏକ ଚାଷଜମିରେ ବୁଧବାର ରାତିରେ ଏକ ହାତୀ ଛୁଆ ପଡ଼ି ଗୁରୁତର ହୋଇଥିଲା। ଖବରପାଇ ବନ ବିଭାଗ ଓ ପ୍ରାଣୀଧନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଦିନ ଧରି ଆବଶ୍ୟକ ଚିକିତ୍ସା କରିବା ପରେ ହାତୀ ଛୁଆଟି ସୁସ୍ଥ ହୋଇ ଜଙ୍ଗଲକୁ ଚାଲିଯାଇଥିବା ବନ ବିଭାଗ ସୂଚନା ଦେଇଛି।

ସୂଚନା ମତେ ବୁଧବାର ରାତିରେ ହାତୀପଲ ସହ ଏକ ଛୁଆ ହାତୀ ଆସି ଚାଷ ଜମି କାଦୁଅରେ ପଡ଼ିଯାଇ ଆଉ ଉଠିପାରି ନଥିଲା। ଗୁରୁବାର ସକାଳେ ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝୀଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ଭିଏସ୍‌ ଜ୍ୟୋତ୍ସ୍ନାରାଣୀ ସିଂ, ଏଭିଏସ୍‌ ବିଶ୍ବଜିତ ମିଶ୍ର, ଏଲ୍‌ଟି ମହେନ୍ଦ୍ର ସାହୁ ଓ ସୀମାଞ୍ଚଳ ଗୌଡ଼, ଏଟିଟିଡି କ୍ଷିତୀଶ ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀ ଛୁଆର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆଜି ଦିନ ୧୧ଟାରେ ହାତୀ ଛୁଆଟି ସୁସ୍ଥ ହେବା ପରେ ଜଙ୍ଗଲକୁ ଚାଲି ଯାଇଥିବା ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର