ଭୂବନେଶ୍ବର: କରୋନା ମହାମାରୀରେ ଛଟପଟ ହେଉଥିବା ଲୋକ ଏବେ ଟିକାକୁ ଅନାଇ ବସିଛନ୍ତି। ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା କେବେ ଟିକା ଆସିବ ଓ କେବେ ଟିକାକରଣ ଆରମ୍ଭ ହେବ? ଏହା ଭିତରେ କେନ୍ଦ୍ର ସରକାର ଟିକା ନେଇ ରାଜ୍ୟମାନଙ୍କୁ ପ୍ରସ୍ତୁତ ହୋଇ ରହିବାକୁ ନିର୍ଦେଶ ଦେବା ପରେ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢ଼ି ଯାଇଛି। ରାଜ୍ୟ ସରକାର ମଧ୍ୟ କିଭଳି ଟିକାକରଣକୁ ସଫଳ କରିବେ ସେଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି।
ପ୍ରାଥମିକ ପର୍ଯ୍ୟାୟରେ ୩.୨ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେଉଁମାନେ ଟିକା ପ୍ରଦାନ କରିବେ ଓ ଟିକାକୁ ସଂରକ୍ଷିତ ରଖିବା ଲାଗି ଅଧିକ ସଂଖ୍ୟାରେ ଯନ୍ତ୍ରପାତି ପାଇଁ ବରାଦ ଦିଆଯାଇଛି। ଯଦିଓ ରାଜ୍ୟରେ ପୂର୍ବରୁ ନିୟମିତ ଟିକାକରଣ ବା ଆର୍ଆଇ ଜାରି ରହିଛି। ମାତ୍ର କରୋନା କ୍ଷେତ୍ରରେ ସବୁ ବର୍ଗର ଲୋକମାନଙ୍କୁ ଟିକା ପ୍ରଦାନ କରିବା ଏକ ବଡ଼ ଆହ୍ବାନ ହେବ। ଏଥିପାଇଁ ତୃଣମୂଳ ସ୍ତରରେ ଯୋଜନା ହିଁ ରାଜ୍ୟରେ ସଫଳ କରୋନା ଟିକାକରଣର ଭାଗ୍ୟ ନିର୍ଧାରଣ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ରାଜ୍ୟରେ ଏବେ ଗୋଟିଏ ରାଜ୍ୟସ୍ତରୀୟ ଭ୍ୟାକ୍ସିନ୍ ଷ୍ଟୋର ଥିବା ବେଳେ ୯ଟି ଆଞ୍ଚଳିକ ଭ୍ୟାକ୍ସିନ୍ ଷ୍ଟୋର ଓ ୩୨ଟି ଷ୍ଟୋର ଜିଲ୍ଲାସ୍ତରରେ ରହିଛି। ଜିଲ୍ଲାସ୍ତରରେ ଥିବା ୧୨୨୨ କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ପଠାଯାଇଥାଏ। ତେଣୁ ଟିକା ରଖିବା ଲାଗି ରାଜ୍ୟ ସରକାର ଏସବୁ ଭ୍ୟାକ୍ସିନ୍ ଓ କୋଲ୍ଡ ଚେନ୍ ପଏଣ୍ଟକୁ ସଂପ୍ରସାରିତ କରିବା ଲାଗି ଯୋଜନା କରିଛନ୍ତି। ଏଥିପାଇଁ ୯୩୬ ଆଇସ-ଲାଇନ୍ଡ ରେଫ୍ରିଜରେଟର ବା ଆଇଏଲଆର, ୭୦ ବଡ଼ ଆଇଏଲଆର, ୩୦ ବୃହତ ଡିପ୍ ଫ୍ରଜିର, ୭୩୩୧ ନିଡିଲ ତଥା ହବ୍ କଟର, ୫୦୬ ସାର୍ପ ପିଟ୍, ୧୪୭୩ ଡାଟା ଲଗର୍ସ, ୨ଟି ୱାକ୍ ଇନ କୁଲର ଓ ୨ଟି ୧୫ କେଭିଏ ଜେନେରେଟ୍ର ଆବଶ୍ୟକ। ଏହାସହ ୧୦ କୋଟିରୁ ଅଧିକ ସିରିଞ୍ଜର ମଧ୍ୟ ଆବଶ୍ୟକତା ରହିଛି। ଆସନ୍ତା ମାର୍ଚ ସୁଦ୍ଧା ଟିକା ଷ୍ଟୋର ଓ କୋଲ୍ଡ ଚେନ୍ ପଏଣ୍ଟର କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ଆଶା ରଖିଛନ୍ତି। ରାଜ୍ୟରେ ଥିବା ୧୨୨୨ କୋଲ୍ଡ ଚେନ୍ ପଏଣ୍ଟ ମଧ୍ୟରୁ ୬୮୦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍ସି, ୩୮୧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବା ସିଏଚ୍ସିରେ ରହିଛି। ଜନସଂଖ୍ୟାକୁ ନଜରରେ ରଖି ରାଜ୍ୟରେ କୋଲ୍ଡ ଚେନ୍ ପଏଣ୍ଟ ନିର୍ମାଣ କରାଯାଇଥାଏ। ତେଣୁ ଏବେ ସବୁ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଥିବାରୁ ତୃଣମୂଳସ୍ତରରେ ଏଥିପାଇଁ ସମସ୍ୟା ଉପୁଜିପାରେ। ପୂର୍ବରୁ ଚାଲିଥିବା ନିୟମିତ ଟିକାକରଣ ସହିତ କରୋନା ଟିକାକୁ ମିଶାଇଲେ ଆଇଏଲଆର ଉପରେ ସର୍ବାଧିକ ଚାପ ପଡ଼ିବ। ଏହାସହ ଟିକାକରଣ ଉପରେ ତୀକ୍ଷ୍ଣ ନଜର ରଖିବା ଜରୁରୀ।
ରାଜ୍ୟରେ ପ୍ରଥମ ଟିକାକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରିଷ୍ଠ ଚିକିତ୍ସକ ଡା.କ୍ଷୀରୋଦ ରାଉତ କହିଛନ୍ତି ଯେ କରୋନା ଟିକାକରଣ ଏତେ ସହଜ ହେବ ନାହିଁ। ଏ ପର୍ଯ୍ୟନ୍ତ ଯେଉଁ ଟିକା ଲୋକଙ୍କୁ ଦିଆଯିବ ବୋଲି ଅନୁମାନ କରାଯାଉଛି ସେସବୁ ଟିକା ୨-୮ ଡିଗ୍ରି ତାପମାତ୍ରାରେ ରହିପାରିବ। ଏ ଦୃଷ୍ଟିରୁ ଡିପ୍ ଫ୍ରିଜର ନୁହେଁ, ଆଇଆଲଆରର ଆବଶ୍ୟକତା ପଡ଼ିବ। ତେଣୁ ଏହାର ଠିକ୍ ପରିଚାଳନା କରାଯିବା ଉଚିତ୍। ପୂର୍ବରୁ ନିୟମିତ ଟିକାକରଣ ଚାଲୁଥିବାରୁ ଆଇଏଲଆର ଉପରେ ଚାପ ପଡ଼ିପାରେ। ଏହାସହ ପୂର୍ବରୁ ଗୋଟିଏ ଗୋଟିଏ ଆଇଏଲଆରର ଯେଉଁ କ୍ଷମତା ରହିଥିଲା ତାହାର ବୃଦ୍ଧି କରାଯିବା ଜରୁରୀ। ଏହାସହ ଟିକାକରଣ କେନ୍ଦ୍ରକୁ ନେବା ଲାଗି ଟିକାକୁ ବଡ଼ ବଡ଼ ଆଇସ୍ ପ୍ୟାକ୍ ବକ୍ସର ଆବଶ୍ୟକତା ପଡ଼ିବ। ଏଥିରେ ମଧ୍ୟ ଆବଶ୍ୟକ ତାପମାତ୍ରା ବଜାୟ ରହିବା ଜରୁରୀ। ଅନ୍ୟ ସାଧାରଣ ଟିକା ଭଳି କରୋନା ଟିକା ଅତି ତରବରିଆ ଢଙ୍ଗରେ ପ୍ରସ୍ତୁତ ହୋଇଥିବାରୁ ଏଥିରେ କେତେ ସମସ୍ୟା ଉପୁଜିପାରେ। ଯେହେତୁ ଲୋକଙ୍କୁ ଟିକା ନେବା ପରେ ଅଧଘଣ୍ଟାରେ ନିରୀକ୍ଷଣରେ ରଖାଯିବ ତେଣୁ ଏହି ସମୟରେ ଯଥେଷ୍ଟ ପରିମାଣର ଏଇଏଫ୍ଆଇ ବା ଟିକାକରଣ ବାଦ୍ ପାର୍ଶ୍ବ ପ୍ରତକ୍ରିୟା କିଟ୍ ମହଜୁଦ ରଖିବା ଗୁରୁତ୍ବପୂର୍ଣ୍ଣ।
ସେହିପରି ଟିକାଦାନ ସମୟରେ ଯଦି କୌଣସି ବ୍ୟାଚ୍ର ଟିକାରେ ସମସ୍ୟା ଦେଖାଦିଏ ତା’ହେଲେ ସେହି ବ୍ୟାଚ୍କୁ ସଂପୂର୍ଣ୍ଣ ବନ୍ଦ କରିବାକୁ ହେବ। ଏଭଳି ପରିସ୍ଥିତିରେ ଟିକା ନେବା ପାଇଁ ଆସୁଥିବା ଲୋକଙ୍କୁ ପୁନର୍ବାର ଅନ୍ୟ ଏକ ଦିନ ସହିତ ସେମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବାକୁ ପଡ଼ିବ। ତେଣୁ ତୃଣମୂଳସ୍ତରରେ ହିଁ ଏ ସଂକ୍ରାନ୍ତ ଯୋଜନା କରାଯିବା ଜରୁରୀ। ସେହି ଅନୁଯାୟୀ ରାଜ୍ୟସ୍ତରରେ ଏହାର ଏକ ମଡେଲ ପ୍ରସ୍ତୁତ ହେବା ସହିତ ତାଲିମ ଓ ଅନ୍ୟ କାର୍ଯ୍ୟ କରିବାକୁ ହେବ। ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ଦୃଢ଼ତା ଆବଶ୍ୟକ। ସହରାଞ୍ଚଳ ଓ ଅପହଞ୍ଚ ଅଞ୍ଚଳରେ ହିଁ ଟିକାକରଣ ପ୍ରମୁଖ ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଟିକାକରଣ ପରେ ବ୍ୟାପକ ନିରୀକ୍ଷଣ କରିବାକୁ ହେବ ବୋଲି ଡା.ରାଉତ କହିଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିବା କଥା, ପ୍ରାଥମିକ ପର୍ଯ୍ୟାୟରେ ଯେତିକି ଟିକା ଆସିବ ତାହାର ସଫଳ ଟିକାକରଣ ପାଇଁ ସବୁ ବ୍ୟବସ୍ଥା କରାଯାଇଛି। ଯେହେତୁ ଟିକା ଏକକାଳୀନ ନ ଆସି ପର୍ଯ୍ୟାୟକ୍ରମେ ଆସିବ ତେଣୁ ଟିକାକରଣରେ ବିଶେଷ ସମସ୍ୟା ହେବ ନାହିଁ। ଆବଶ୍ୟକ ପଡ଼ିଲେ ଯେଉଁ ପିଏଚ୍ସି ସ୍ତରରେ କୋଲ୍ଡ ଚେନ୍ ପଏଣ୍ଟ ନାହିଁ ସେଠାରେ ଏହାର ବ୍ୟବସ୍ଥା କରାଯାଇ ପାରେ। କେଉଁମାନେ ଟିକା ପ୍ରଦାନ କରିବେ ତାହାର ମଧ୍ୟ ତାଲିକା ରହିଛି। ଆଗକୁ ରାଜ୍ୟରେ ମିଜିଲ୍ସ ରୁବେଲ ବା ଏମ୍ଆର ଟିକା ସଫଳତାର ସହ ହୋଇଥିବାରୁ କରୋନା ଟିକାକରଣ ମଧ୍ୟ ସମସ୍ୟା ହେବ ନାହିଁ ବୋଲି ଅଧିକାରୀମାନେ ଦୃଢ଼ତା ପ୍ରକାଶ କରିଛନ୍ତି।