ହାଇକୋର୍ଟରେ ଢିଙ୍କିଆ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ: ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଠାରେ ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ ବେଳେ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଂଗକୁ ନେଇ ଦାୟର ସମସ୍ତ ମାମଲାର ଶୁଣାଣିରେ ଆଜି ହୋଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୧୧ର ନିର୍ଦ୍ଦେଶ ଅନୁସାରେ ଜଗତସିଂହପୁର ଏସପି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଭୟରେ ଢିଙ୍କିଆକୁ ଫେରି ପାରୁ ନଥିବା ବ୍ୟକ୍ତିଙ୍କ ବିରୋଧରେ ୨୦୨୨, ଜାନୁଆରି ୧୪ ଘଟଣା ପୂର୍ବରୁ ରହିଥିବା ମାମଲା ସଂକ୍ରାନ୍ତରେ ସତ୍ୟପାଠରେ ତଥ୍ୟ ଦାଖଲ କରାଯାଇଥିଲା। ଢିଙ୍କିଆରେ ମାର୍ଚ୍ଚ ୫ ତାରିଖ ଦିନ ଅନୁଷ୍ଠିତ ବୈଠକରେ ଯେଉଁ ଗ୍ରାମବାସୀମାନେ ଆଇନଜୀବୀ କମିଟି ସମ୍ମୁଖରେ ମତ ରଖି ପାରି ନଥିଲେ ସେମାନେ ହାଇକୋର୍ଟଙ୍କ ମାର୍ଚ୍ଚ ୧୧ ନିର୍ଦ୍ଦେଶ ପରେ ସତ୍ୟପାଠ ଦାଖଲ କରିଛନ୍ତି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଓମକାର ଦେବଦାସ ଦର୍ଶାଇଥିଲେ ଯେ ଢିଙ୍କିଆ ଅଞ୍ଚଳର ତିନି ଶହ ବ୍ୟକ୍ତିଙ୍କ ସତ୍ୟପାଠ ଆଜି ଦାଖଲ କରାଯିବ।

ଏହିସବୁ ସତ୍ୟପାଠକୁ ଜଗତସିଂହପୁର ଜିଲ୍ଲାପାଳ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିକଟକୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ପଠାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଚାରିଟି ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଜଗତସିଂହପୁର ଏସପି, ପାରାଦୀପ ଅତିରିକ୍ତ ଏସପି ପ୍ରମୁଖ ହାଇକୋର୍ଟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର