ରାଉରକେଲା/କୋଇଡ଼ା : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଭାତହାଣ୍ଡି ପାହାଡ଼ ପର୍ବତଘେରା ଅଞ୍ଚଳ କୋଇଡ଼ା। ରାଜ୍ୟର ଅର୍ଥନୈତିକ ବିକାଶର ରଥକୁ ଆଗକୁ ନେଉଥିବା ଏହି ଅଞ୍ଚଳ ଆଜି ଅଲୋଡା ଓ ଅବହେଳିତ। ୧୫ଟି ପଞ୍ଚାୟତର ପ୍ରାୟ ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳବାସୀ ବର୍ଷ ବର୍ଷ ଧରି ସେମିତି ଦୟନୀୟ ଜୀବନ ଜୀଉଁଛନ୍ତି। ସ୍ବାଧୀନତାର ୭୬ ବର୍ଷ ପରେ ବି ଦେଖିନାହାନ୍ତି ବିକାଶର ପାଦ ଚିହ୍ନ। ଲୋକଙ୍କ ପାଖରେ ପହଞ୍ଚିଲାନି ମୌଳିକ ସୁବିଧା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଅଞ୍ଚଳରେ ରହିଛି ମୋଟ ୭୫ଟି ଖଣି। ଏଥିରୁ ବନ୍ଦ ପଡିଛି ୪୫ ଓ କାର୍ଯ୍ୟକ୍ଷମ ହେଉଛି ୩୦ ଖଣି। ଅଭିଶପ୍ତ ହୋଇପଡିଛି ଜନ ଜୀବନ। ପରିବାର ପ୍ରତିପୋଷଣ ପାଇଁ ଖଣି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ ଶ୍ରମିକଙ୍କୁ ପୂର୍ବପରି କାମ ମିଳୁନି। ଖଣି ମାଲିକମାନେ ସ୍ଥାନୀୟ ଶ୍ରମିକ ଅପେକ୍ଷା ବାହାର ରାଜ୍ୟର ଶ୍ରମିକଙ୍କୁ ପ୍ରାଥମିକତା ଦେଉଛନ୍ତି।
ପୂର୍ବରୁ ଖଣିଗୁଡ଼ିକରେ ଯେଉଁଠି ୮୦ରୁ ୯୦% ଶ୍ରମିକ କାମ କରୁଥିଲେ, ସେଠି ଏବେ ୫୦ରୁ ୬୦% ଲୋକଙ୍କୁ କାମ ମିଳୁନି। କାରଣ ହେଉଛି ଖଣି ମାଲିକମାନେ ସରକାରଙ୍କ ନୀତିନିୟମକୁ ଫୁ କରି ଦେଇଛନ୍ତି। ବଡବଡିଆ ସରକାରୀ ବାବୁଙ୍କ ସହ ଖଣିମାଲିକଙ୍କ ସମ୍ପର୍କ ଥିବାରୁ ନାଚାର ଶ୍ରମ ବିଭାଗ। କେବଳ ଲୋକଦେଖାଣିଆ ଭାବେ ଖଣିର ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ନିଜର କାମ ସାରି ଦେଉଛନ୍ତି। ଏଥିପାଇଁ ଶହଶହ ଶ୍ରମିକ ଖଣି ଅଞ୍ଚଳରେ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ବି ଖଣିରେ କାମ କରୁଛନ୍ତି, ଅର୍ଦ୍ଧାଧିକ ଦିନ କାମ ପାଉ ନାହାନ୍ତି। ଓଳିଏ ଖାଇଲେ, ଆର ଓଳିକୁ ଓପାସରେ କାଟୁଛନ୍ତି।
ସେପଟେ ସରକାରଙ୍କ ନିର୍ଦ୍ଧାରିତ ନୀତିନିୟମ ଅନୁଯାୟୀ ଖଣି ଅଞ୍ଚଳର ଉତ୍ପାଦନ ବୃଦ୍ଧି ଦ୍ବାରା ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପ୍ରାଥମିକ ଦେବା କଥା। ଏଠି କିନ୍ତୁ ଓଲଟା ଚିତ୍ର। ପାରିପାର୍ଶ୍ବିକ ବିକାଶ ପାଇଁ ଯେତିକି ଅର୍ଥ ଆସୁଛି, ତା’ର କାଣିଚାଏ ବି ଏଠାରେ ଖର୍ଚ୍ଚ ହେଉ ନାହିଁ। ସ୍ବାସ୍ଥ୍ୟସେବା , ଆଲୋକ, ରାସ୍ତାଘାଟ ସବୁ ଏମାନଙ୍କ ପାଇଁ ଅପହଞ୍ଚ। ସ୍ବାସ୍ଥ୍ୟସେବାର ସାହାଭରସା ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥିତି ଦୟନୀୟ। ଜଣେ ମାତ୍ର ଡାକ୍ତର ଓ ହାତ ଗଣତି କେଇଁ ଜଣ କର୍ମଚାରୀଙ୍କୁ ନେଇ ବର୍ଷ ବର୍ଷ ଧରି ଚାଲିଛି। ପ୍ରସୂତି ଡାକ୍ତର, ଟେକ୍ନିସିଆନ ବର୍ଷ ବର୍ଷ ଧରି ନାହାନ୍ତି। ଖାଲି ପଡିଥିବା ଏସବୁ ପଦବୀ ପୂରଣ କରିବାକୁ ଯେମିତି ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ପାଖରେ ସମୟ ନାହିଁ। ସମସ୍ତେ ଜାଣିଶୁଣି ଚୁପ୍ ରହୁଛନ୍ତି। ସ୍ବାସ୍ଥ୍ୟ ସେବା ଠାରୁ ସଙ୍ଗୀନ ହୋଇ ପଡିଛି ରାସ୍ତାଘାଟ ସମସ୍ୟା। ବର୍ଷ ବର୍ଷ ଧରି କାମ ଚାଲୁଛି। କିନ୍ତୁ ରାସ୍ତାର ଅବସ୍ଥା ଯେମିତିକୁ ଯେମିତି। ଖରାଦିନେ ଅଞ୍ଚଳବାସୀ ଧୂଳି ଧୁଆଁରେ ଅତିଷ୍ଠ। ବର୍ଷା ଦିନେ କାଦୁଅରେ ଦହଗଞ୍ଜ। ଆମ୍ବୁଲାନ୍ସଟିଏ ରୋଗୀ ପାଖରେ ନ ପହଞ୍ଚି ପାରି ଅଧା ବାଟରେ କାଦୁଅରେ ଫସି ଯାଉଛି। ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠପ୍। ସ୍କୁଲ, କଲେଜ ପିଲା ବର୍ଷା ଦିନେ ପାଠରେ ଡୋରି ବାନ୍ଧି ଦେଉଛନ୍ତି। କୁନି କୁନି ଛୁଆଙ୍କଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟର ପୀଡାରେ ଜର୍ଜରିତ ବୟସ୍କ ବୃଦ୍ଧ ବୃଦ୍ଧା। ସାଧାରଣ ନିରୀହ ଲୋକଟିଏ ମୌଳିକ ଅଧିକାରରୁ ବଞ୍ଚିତ।
ଖଣି ଅଞ୍ଚଳରୁ ଉତ୍ପାଦନ ବୃଦ୍ଧି ଯୋଗୁ ନିକଟସ୍ଥ ଚିରସ୍ରୋତା ଝରଣାରୁ ଜଳର ଉସ୍ଚ କମି କମି ଯାଉଛି। ଖରାଦିନେ ଅଧିକାଂଶ ବସ୍ତିବାସିନ୍ଦା ପାନୀୟ ଜଳ ଟୋପେ ପାଇଁ ଡହଳବିକଳ ହେଉଛନ୍ତି। କେତେକ ଅଞ୍ଚଳରେ ଲୋକମାନେ ଦୂଷିତ ଖଣି ଆବର୍ଜନା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ବିଡମ୍ବନା, ଗରିବ ଆହୁରି ଗରିବ ହେଉଛି। ଧନୀ ଆହୁରି ଧନୀ ହେଉଛି। ଆଦିବାସୀ ଓ ମୁଣ୍ଡା ଜନଜାତିଙ୍କ ଜୀବନ ଜୀବିକା କଥା ନ କହିବା ଭଲ। ଏମାନଙ୍କ ଜୀବନ ଉତ୍ଥାନ ବଦଳରେ ପତନ ହେବାକୁ ଲାଗିଛି। ତଥାପି ଆଶା ଏବଂ ଆକାଂକ୍ଷାର ଅନ୍ତ ହୋଇନି। ସାଧାରଣ ମଣିଷଟିଏ ଚାହିଁ ରହିଛି ଖଣି ମାଲିକ ଏବଂ ସରକାର ସହାୟତାକୁ। ଅଞ୍ଚଳବାସୀଙ୍କ ବିକାଶ ନିମନ୍ତେ ସାମାନ୍ୟତମ ପ୍ରଚେଷ୍ଟା ପାଇଁ ଯଥୋଚିତ ସାହାଯ୍ୟ ଏବଂ ସହଯୋଗ କଲେ ଅଞ୍ଚଳବାସୀଙ୍କ ଦୁଃଖ ଘୁଞ୍ଚିବ, ବିକାଶ ଦେଖିବେ।