ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ବିଧାନସଭାରେ ଦାବି ଉଠାଇଲେ ବିଧାୟକ

ରାଇରଙ୍ଗପୁର: ବାମନଘାଟି ଉପଖଣ୍ଡ ରାଇରଙ୍ଗପୁରକୁ ଜିଲ୍ଲା ଗଠନ ପାଇଁ ସୋମବାର ଦିନ ବିଧାନସଭାରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଦାବି ଉପସ୍ଥାପନ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ହେଉଛି ରାଜ୍ୟର ସବୁଠାରୁ ବୃହତ୍ତ ଜିଲ୍ଲା। ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର। ବାମନଘାଟି ଉପଖଣ୍ଡର ତିରିଂ, ଜାମଦା, ବହଳଦା, କୁସୁମୀ, ରାଇରଙ୍ଗପୁର, ବିଶୋଇ, ବିଜାତଳା ପ୍ରଭୃତି ବ୍ଲକ୍‌ ମାନଙ୍କରୁ ଜିଲ୍ଲା ମୁଖ୍ୟାଳୟକୁ ଦୂରତା ୧୦୦ କିମିରୁ ଅଧିକ। ଫଳରେ ଜନସାଧାରଣ କୌଣସି କାମରେ ଜିଲ୍ଲା ମୁଖ୍ୟାଳୟକୁ ଗଲେ ଗୋଟିଏ ଦିନରୁ ଅଧିକ ସମୟ ବିତିଯାଉଛି। ଏହାବ୍ୟତୀତ ଅଧରାସ୍ତାରେ ପଡ଼େ ବିପଜ୍ଜନକ ଦ୍ୱାରଶୁଣି ଘାଟି ରାସ୍ତା। ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇଥାଏ। ବାରିପଦା ଆସୁଥିବା ଲୋକେ ସେଠାରେ ଅଟକିବା ଫଳରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରକୁ ଜିଲ୍ଲା ଗଠନ ପାଇଁ ବିଧାୟକ ନବଚରଣ ମାଝୀ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପିତ ହେବା ପରେ କ୍ରିୟାନୁଷ୍ଠାନ କମିଟି ସମେତ ବିଭିନ୍ନ ମହଲରୁ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର