ନିର୍ବାଚନ ପାଇଁ ପୂର୍ତ୍ତ ବିଭାଗର ତାଳିପକା କାମ: ଭଲ ରାସ୍ତାରେ ପିଚୁ ଢାଳୁଛନ୍ତି

ପୁରୀ: ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ସହ ଆଚରଣ ବିଧି ଲାଗୁ ପରେ ପୂର୍ତ୍ତ ବିଭାଗ ଆରମ୍ଭ କରି ଦେଇଛି ତାଳିପକା କାମ। ପୁରୀ ପୌରାଞ୍ଚଳରେ ପୁରୀ ସଦର ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖ ଭଲ ରାସ୍ତାରେ ପିଚୁ ଢେ,ୁଛି ପୂର୍ତ୍ତ ବିଭାଗ। ଏହି ପିଚୁ ରାସ୍ତା ସଂପୂର୍ଣ୍ଣ ଭଲ ଥିଲେ ବି ଏହା ଉପରେ ପୁଣିଥରେ ପିଚୁ କାମ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନ ପାଖେଇବାରୁ ପାଣ୍ଠି ଯୋଗାଡ଼ ପାଇଁ ଏଭଳି ତରବରିଆ କାମ କରାଯାଉଛି ଓ ଏହା ପଛରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି।

ପୁରୀ ରେଳ ଷ୍ଟେସନ୍‌ରୁ ଓଡ଼ିଶା ବେକରି ଛକ ଦେଇ ହେଲିପ୍ୟାଡ୍‌କୁ ସଂଯୋଗ କରୁଥିବା ରାସ୍ତା ନିକଟରେ ପିଚୁ ହୋଇଥିଲା। ଏହି ପିଚୁ ରାସ୍ତା ନଷ୍ଟ ହୋଇନି। ତଥାପି ଏହା ଉପରେ ପିଚୁ କାମ ପୁଣିଥରେ ଆରମ୍ଭ ହୋଇଛି। ଏଥର ଏହି ପିଚୁ ରାସ୍ତା ଉପରେ ମାଷ୍ଟିକ୍‌ ପିଚୁ କାମଚାଲିଛି। କେବଳ ଏହି ରାସ୍ତା ନୁହେଁ, ସର୍ବୋଦୟ ନଗର ଓ ଅନ୍ୟାନ୍ୟ ଅଞ୍ଚଳରେ ବି ଏଭଳି ମାଷ୍ଟିକ୍‌ କାମ ଆରମ୍ଭ ହୋଇସାରିଛି। ଅପରପକ୍ଷେ ଯେଉଁ ରାସ୍ତା ଖରାପ ଅଛି, ସେ ରାସ୍ତାରେ ହାତ ମାରୁନି ପୂର୍ତ୍ତ ବିଭାଗ। ପୁରୀ ସୁଭାଷ ବୋଷ ଛକରୁ ପେଣ୍ଟକଟା ଦେଇ ଭୂଦାନ ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ୩ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ଏହି ରାସ୍ତା ୨୦ ପ୍ରତିଶତ ବି ଶେଷ ହୋଇନି।।

ପ୍ରାୟ ୧୪ କୋଟି ଟଙ୍କାର ଏହି ରାସ୍ତାର ଟେଣ୍ଡର ନେବା ପରେ କାମ କରିବା ଆଳରେ ଠିକାଦାର ଏହି ରାସ୍ତା ଏଭଳି ଖୋଳି ଦେଇଛି ଯେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାକୁ ତିଆରିବା ବଦଳରେ ପୂର୍ତ୍ତ ବିଭାଗ ଭଲ ରାସ୍ତାକୁ ତିଆରିବାରେ ମାତିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ସ୍ମୃତିରଂଜନ ଦଳାଇ କହିଛନ୍ତି, ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସର୍ବଦା ଲୋକେ ପାଣି ଢାଳି ଦେଉଥିଲେ। ରାସ୍ତାରେ ପାଣି ଜମି ରହୁଥିଲା। ସେ ଦୃଷ୍ଟିରୁ ଏହି ରାସ୍ତାକୁ ମାଷ୍ଟିକ୍‌ ପିଚୁ କରାଯାଉଛି। ଯଦ୍ବାରା ରାସ୍ତାରେ ଆଉ ପାଣି ଜମିବନି କି ରାସ୍ତା ନଷ୍ଟ ହେବନି।

ସମ୍ବନ୍ଧିତ ଖବର