ଦୁର୍ନୀତିର ଗନ୍ତାଘର ସାଜିଛି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ : ବିଜେପି

ଭୁବନେଶ୍ବର : ଶାସକ ବିଜେଡିର ପ୍ରତ୍ୟକ୍ଷ ହସ୍ତକ୍ଷେପ କାରଣରୁ ରାଜ୍ୟର ସମବାୟ ଆନ୍ଦୋଳନ ପ୍ରାୟତଃ ଧ୍ୱଂସ ହୋଇଗଲାଣି। କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ସମବାୟ ସଂସ୍ଥାକୁ ହାତଉଥିବା କାରଣରୁ ସମବାୟ ବ୍ୟାଙ୍କ୍ ମୂଳ ଉଦ୍ଦେଶ୍ୟରୁ ଦୂରେଇ ଗଲାଣି। ରାଜ୍ୟ ସରକାରଙ୍କ ପକ୍ଷପାତିତା, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ରାଜ୍ୟର ସମସ୍ତ ୧୭ଟି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆଜି ଦୁର୍ନୀତିର ଗନ୍ତାଘର ପ‌ାଲଟିଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଲେ ଯେ ଶାସକ ବିଜେଡିର ସୁରକ୍ଷା ବଳୟ ଭିତରେ ଥିବା ଅପରାଧିକତତ୍ୱମାନେ ବ୍ୟାଙ୍କ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁନ୍ଦରଗଡ ଜିଲ୍ଲା ସମବାୟ ବ୍ୟାଙ୍କ୍। ବ୍ୟାଙ୍କର ସିଇଓ ସୁରେଶ ଦାଶଙ୍କ ନିଯୁକ୍ତି ପ୍ରଥମରୁ ବେଆଇନ ରହିଥିଲା। ଏହାସତ୍ତ୍ବେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଦୁର୍ନୀତିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବ୍ୟାଙ୍କ କର୍ମଚାରୀ ଓ ଅଡିଟ୍ ଅଧିକାରୀଙ୍କୁ ଆକ୍ରୋଶମୂଳକ ଭାବେ ବଦଳି କରାଯାଇଛି। ଏପରିକି ଜଣେ ଦିବ୍ୟାଙ୍ଗ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବେ ମାଲକାନଗିରିକୁ ବଦଳି କରାଯିବା ଅତ୍ୟନ୍ତ ବେଆଇନ। ବିବାଦୀୟ ସିଇଓ ଶ୍ରୀ ଦାଶଙ୍କୁ ରିଲିଭ କରାଯାଇ ଗତ ୩୧ ଜାନୁଆରୀ ୨୦୨୨ରେ ରଞ୍ଜନ ପଟେଲଙ୍କୁ ନୂତନ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ବିଭାଗୀୟ ମନ୍ତ୍ରୀଙ୍କ ସୁରକ୍ଷା ବଳୟ ଭିତରେ ଥିବା ଶ୍ରୀ ଦାଶ ବର୍ତମାନ ସୁଦ୍ଧା ନିଜକୁ ସିଇଓ ବୋଲି ଦାବି କରୁଛନ୍ତି। ଶ୍ରୀ ଦାଶ ଗତ କୃଷି ସେବା ସମବାୟ ସମିତିର ପ୍ରାଥମିକ ନିର୍ବାଚନରେ ଭାଗ ନେଇ ବୋର୍ଡ ଅଫ୍ ଡାଇରେକ୍ଟର ଭାବେ ନିର୍ବାଚିତ ମଧ୍ୟ ହୋଇଛନ୍ତି। ଏଭଳି ବେଆଇନ ନିଯୁକ୍ତି ଓ ଆର୍ଥିକ ଅନିୟମିତତାରେ ସଂପୃକ୍ତ ଥିବା ସିଇଓଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ ଓ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର