ସେବା କେନ୍ଦ୍ର ମାଲିକଙ୍କୁ ରିମାଣ୍ଡରେ ନେଲା ମୁମ୍ବାଇ ପୁଲିସ

ମୁମ୍ବାଇରୁ ବାଲିଆପାଳ ଲମ୍ବିଛି ସାଇବର ଠ‌କେଇର ଚେର

ବାଲିଆପାଳ: ମୁମ୍ବାଇରୁ ବାଲେଶ୍ବରର ବାଲିଆପାଳ ଯାଏ ଲମ୍ବିଛି ସାଇବର ଠ‌କେଇ ଚେର। ଏକ ଠକେଇ ମାମଲା‌ରେ ଏଠିକାର ଜଣେ ଗ୍ରାହକ ସେବାକେନ୍ଦ୍ରର ମାଲିକଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ସହ ରିମା‌ଣ୍ଡରେ ନେଇଛି।

ବାଲିଆପାଳ ଥାନା ଦେଉଳା ଷ୍ଟେଟ୍‌ବ୍ୟାଙ୍କ ଶାଖାର ଏକ ଗ୍ରାହକ ସେବାକେନ୍ଦ୍ର ରହିଛି। ରଂଜନ ରଣା ହେଉଛନ୍ତି ଏହାର ମାଲିକ। ଅନେକ ଲୋକ ତାଙ୍କ ପାଖକୁ ଟଙ୍କା ନେଣଦେଣ ପାଇଁ ଆସନ୍ତି। ସେ ବିଶ୍ବାସ ଜନ୍ମାଇ କିଛି ଲୋକଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଓ ଏଟିଏମ୍‌ କାର୍ଡ ନିଜ ପାଖରେ ରଖନ୍ତି। ଯେଉଁ ପାସ୍‌ବୁକ୍‌ ଦ୍ବାରା ଏବଂ ଏଟିମ୍‌ ଦ୍ବାରା ସେ ସାଇବର ଠକେଇ ଟଙ୍କା କାରବାର କରନ୍ତି। ଏକ ସାଇବର ଠକେଇ ମାମଲାର ଯାଞ୍ଚ କରୁଥିବା‌ ମୁମ୍ବାଇ ସାଇବର ପୁଲିସ ଖୋଳିତାଡ଼ କରି ଦୁଇଦିନ ତଳେ ବାଲିଆପାଳରେ ପହଂଚିଥିଲା ଏବଂ ବାଲିଆପାଳ ପୁଲିସ ସହାୟତାରେ ତଦନ୍ତ ଚଳାଇଥିଲା। ଏପରି ସମୟରେ ଦେଉଳା ଗ୍ରାମର ଜଣେ ମହିଳା ଚାଷୀ ଏବଂ ମାନନ୍ଦାତା ଗ୍ରାମର ଜଣେ ଯୁବକଙ୍କ ସହ ଅନ୍ୟ ୩ ଜଣଙ୍କୁ ଥାନା ଆଣି ପଚରାଉଚରା କରାଯାଇଥିଲା।

ଏହି ସମୟରେ ସଂପୃକ୍ତ ବ୍ୟକ୍ତିମାନେ ଗ୍ରାହକ ସେବାକନ୍ଦ୍ର ମାଲିକ ରଂଜନ ସେମାନଙ୍କ ପାସ୍‌ବୁକ୍‌ ଓ ଏଟିଏମ୍‌ ନିଜ ପାଖରେ ରଖିଥିବା କହିଥିଲେ। ଫଳରେ ସାଇବର ପୁଲିସ ରଂଜନଙ୍କୁ ଦେଉଳାସ୍ଥିତ ତାଙ୍କ ଘରୁ ଗିରଫ କରି ଥାନା ଆଣିଥିଲା। ସେଠାରେ ପଚରାଉଚରା ପରେ ତାଙ୍କୁ ବସ୍ତା କୋର୍ଟରେ ହାଜର କରାଯାଇଥିଲା। ପରେ ମୁମ୍ବାଇ ସାଇବର ପୁଲିସ ରଂଜନଙ୍କୁ ରିମାଣ୍ଡରେ ନେଇ ଯାଇଥିବା ଜଣାପଡ଼ିଛି। ସେହିପରି ପଚରାଉଚରା ପାଇଁ ଡକାଯାଇଥିବା ଖାତାଧାରୀଙ୍କୁ ସର୍ତ୍ତମୂଳେ ଛଡ଼ାଯାଇଛି। ତେବେ ଘଟଣା ବାବଦରେ ଜଣାପଡ଼ିବା ପରେ ରଂଜନଙ୍କ ପାଖରେ ବ୍ୟାଙ୍କ ପାସ୍‌ବୁକ୍‌ ଖୋଲିଥିବା ଅନେକ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବାଲିଆପାଳ ପୁଲିସକୁ ପଚାରିବାରୁ ସେ ମୁମ୍ବାଇ ସାଇବର ପୁଲିସ ମାମଲାର ତଦନ୍ତ କରୁଛି। ତେଣୁ କିଛି କହିପାରିବନି ବୋଲି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର