ସରିଲା ପଦୋନ୍ନତି ଅଦାଲତ: ୧୦୨୧ଟି ଅଭିଯୋଗର ଶୁଣାଣି ଓ ୭୮୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ

ଭୁବନେଶ୍ବର : ଚଳିତମାସ ୧ତାରିଖରୁ ଆରମ୍ଭ ହୋଇଥିବା ପଦୋନ୍ନତି ଅଦଲାତ ଶେଷ ହୋଇଛି। ସରକାରୀ କର୍ମଚାରୀଙ୍କୁ ଠିକ୍ ସମୟରେ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦୋନ୍ନତି ଅଦାଲତରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଠାରୁ ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିଲା। ତହିଁରୁ ୧୦୨୧ ଜଣଙ୍କ ଆବେଦନର ଶୁଣାଣି ହୋଇଥିଲା। ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି।

ଶେଷ ଦିନରେ ଜଙ୍ଗଲ ଓ ପରିବେଶ, କ୍ରୀଡ଼ା ଓ ଯୁବସେବା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସମବାୟ, ବାଣିଜ୍ୟ ଓ ପରିବହନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ପଦୋନ୍ନତି ଅଦାଲତରେ ୬ ଜଣ ଅତିରିକ୍ତ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମି, ଦେଓ ରଂଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ମୋନା ଶର୍ମା ଇଡ୍‌କୋ ସମ୍ମିଳନୀ କକ୍ଷ, ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଓ ସତ୍ୟବ୍ରତ ସାହୁ ଏସ୍ଆଇଆରଡି ସମ୍ମିଳନୀ କକ୍ଷରେ ଗତ ତିନି ଦିନ ଧରି ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ଭାଗ ନେଇଥିବା କର୍ମଚାରୀମାନେ ପଦୋନ୍ନତି ଅଦାଲତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଗୁଡ଼ିକର ଶୁଣାଣି ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ବର୍ଷରେ ଏହି ପ୍ରକ୍ରିୟା ଯାରି ରହିବା ନେଇ ସେମାନେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର