କେଳେଙ୍କାରୀ ସୀମା ଟପିଲାଣି!

ବିଜୁଳି ଗଲାଣି ହୁଗୁଳି, ବିକ୍ରି ପୂର୍ବରୁ ସେସୁ ମୂଲ୍ୟ କାହା ଦ୍ବାରା ନିର୍ଧାରଣ ହୋଇଥିଲା?

ଭବାନୀ ଶଙ୍କର ତ୍ରିପାଠୀ
ଭୁବନେଶ୍ବର: ବିଧାନସଭାରେ ଯେତେବେଳେ ଶକ୍ତି ବିଭାଗ ସଂପର୍କରେ ଆଲୋଚନା ହୁଏ, େସବେ ଗୋଟିଏ ବାକ୍ୟ ନିଶ୍ଚିତ ବିଧାୟକମାନେ ବ୍ୟବହାର କରିଥାନ୍ତି; ତାହା ହେଲା- ବିଜୁଳି ..ଶାସନ ଗଲାଣି ହୁଗୁଳି। ଆଜି ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦୀର୍ଘ ୨୦ବର୍ଷ ଧରି ଶାସନ ଚାଲିଛି। ନବୀନ ଲଗାତାର ପଞ୍ଚମ ଥର ପାଇଁ ଦାୟିତ୍ବ ନେଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। କିନ୍ତୁ ସମସ୍ତେ ପ୍ରାୟ ଏକଥା ସ୍ବୀକାର କଲେଣି ଯେ ରାଜ୍ୟରେ ବିଜୁଳି ବ୍ୟବସ୍ଥାଟି ହୁଗୁଳି ଯାଇଛି। ଆହୁରି ସ୍ପଷ୍ଟ ଭାବେ କହିଲେ, ବିଜୁଳି କ୍ଷେତ୍ରରେ ସମ୍ଭବତଃ ରାଜ୍ୟରେ ସବୁଠାରୁ ବଡ଼ କେଳେଙ୍କାରୀ ଘଟି ଚାଲିଛି। ଖଣି, ଚିଟ୍‌ଫଣ୍ଡ ଠାରୁ ବି ବିଶାଳ। ଏହାର ପରିମାଣ କେତେ ହଜାର କୋଟି ହେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ୍। ଗୋଟିଏ ଗୋଟିଏ ଘଟଣାକୁ ନିରେଖି ଦେଖିଲେ, ପ୍ରଶାସନିକ ଅପାରଗତା, ଦୂରଦୃଷ୍ଟି ହୀନତା, ରାଜ୍ୟବାସୀଙ୍କ ପ୍ରତି ମିଥ୍ୟାଚାର ଓ ଦୁର୍ନୀତି ସ୍ପଷ୍ଟ ହୋଇଯିବ। ରାଜ୍ୟରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ମୂଲ୍ୟରେ ଉନ୍ନତମାନର ତଥା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇବା ପାଇଁ ୧୯୯୫ ମସିହାରେ ଏକ ବିଧେୟକକୁ ବିଧାନସଭା ପାରିତ କରିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର ୧୯୯୬ ମସିହା ଏପ୍ରିଲ ପହିଲାରୁ ବିଦ୍ୟୁତ ସଂସ୍କାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ। ସେ ସମୟରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ହିଁ ଏଭଳି ଏକ ସଂସ୍କାରର ନେତୃତ୍ବ ନେଇଥିଲା।

ହେଲେ ଆଜି ଦିନରେ ଏହି ସଂସ୍କାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଯେଉଁ ଘରୋଇକରଣ ପ୍ରକ୍ରିୟାକୁ ସରକାର ଉତ୍ସାହିତ କରୁଛନ୍ତି, ତାହା ପଛରେ ଦୁର୍ନୀତି ଗନ୍ଧ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଲାଣି। କିଛି ଦିନ ତଳେ ସେସୁର ୫୧ପ୍ରତିଶତ ଅଂଶଧନ ଟିପିସିଓଡିଏଲ୍‌ (ଟାଟା ପାଵାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌)ହାତରେ ଟେକି ଦିଆଗଲା, ପାଖାପାଖି ୧୭୮.୫ କୋଟି ଟଙ୍କା ବିନିମୟରେ। ହେଲେ ସେସୁର ମୂଲ୍ୟ କିଏ ନିର୍ଧାରଣ କଲେ? ଏହା ପୂର୍ବରୁ ସେସୁର ସଂପତ୍ତି ତୃତୀୟ ପକ୍ଷ ଦ୍ବାରା ମୂଲ୍ୟାୟନ ହୋଇଥିଲା ନା ନାହିଁ? କିଏ ଏହି କାର୍ଯ୍ୟ କରିଥିଲେ? ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ରାଜ୍ୟ ସରକାର ସେସୁର ସଂପତ୍ତିର ଆକଳନ କଲେ କେମିତି?

ଆହୁରି ସାଂଘାତିକ କଥା ହେଲା, ଏବେ ଟିପିସିଓଡିଏଲ୍‌ କିଭଳି କାର୍ଯ୍ୟ କରୁଛି, ତାହା ସରକାର ବା ରାଜ୍ୟବାସୀ କିମ୍ବା ବିଦ୍ୟୁତ ନିୟାମକ ଆେୟାଗ କେହି ଯାଞ୍ଚ କରିନାହାନ୍ତି। ଏଥିପାଇଁ ପାଖାପାଖି ଏକବର୍ଷର ସମୟ ଦରକାର। ଏହି ସଂସ୍ଥା ଯେଉଁ ପ୍ରତିଶ୍ରୁତି ଦେଇଛି, ସେଥିରୁ କେତେ ପ୍ରତିଶତ ପୂରଣ କରିପାରୁଛି, ତାହା ଅନୁଧ୍ୟାନ ହେବା ଦରକାର। ଏବେ ଯାଏ ବିଲ୍ ଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମାଳ ମାଳ ଅଭିଯୋଗ ନ୍ୟାୟ ଅପେକ୍ଷାରେ ରହିଛି।

ଏହା ସତ୍ତ୍ବେ କାହା ସ୍ବାର୍ଥରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ୱେସ୍କୋ, ସାଉଥ୍‌କୋର ୫୧% ଅଂଶଧନ ପୁଣି ଥରେ ଏହି ସଂସ୍ଥାକୁ ଦେବା ଲାଗି ନିଜଆଡୁ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଛନ୍ତି? ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଏ କ୍ଷେତ୍ରରେ ନିରବଦ୍ରଷ୍ଟା କାହିଁକି? କୌତୂହଳର କଥା ହେଲା, ସେସୁକୁ ଏହି ସଂସ୍ଥାକୁ ଟେକିଦିଆଯିବା ବେଳେ ସର୍ବଶ୍ରେଷ୍ଠ ବିଡିଂ ହୋଇନାହିଁ। ବରଂ ବୈଷୟିକ କାରଣରୁ ଅନ୍ୟ ସମସ୍ତଙ୍କୁ ବାଦ୍ ଦିଆଯିବା ପରେ ପାଖାପାଖି ୨୭ଲକ୍ଷ ଉପଭୋକ୍ତାଙ୍କ ଭାଗ୍ୟ ଅଯାଚିତ ଭାବେ କର୍ତ୍ତୃପକ୍ଷ ଏହି ସଂସ୍ଥା ହାତରେ ଧରାଇଛନ୍ତି। ସେସୁ ସମେତ ବିଭିନ୍ନ ବଣ୍ଟନ କଂପାନିଙ୍କ ଭବିଷ୍ୟତ କଣ ହେବ, ସେ ନେଇ ବର୍ଷ ବର୍ଷ ଧରି କାଳକ୍ଷେପଣ ନୀତି ଅବଲମ୍ବନ କରି ଆସିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଏତେ ତରତର କାହିଁକି?

ଏଠାରେ ସ୍ମରଣଯୋଗ୍ୟ ଯେ ରାଜ୍ୟ ସରକାର ୧୯୯୫ ମସିହାରେ ବିଦ୍ୟୁତ ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ପୂର୍ବରୁ ସେ ସମୟରେ ଏ କ୍ଷେତ୍ରରେ ଥିବା ସବୁ ପ୍ରମୁଖ ସଂସ୍ଥାର ସଂପତ୍ତି ଆକଳନ ତୃତୀୟ ପକ୍ଷ ଦ୍ବାରା କରାଯାଇଥିଲା। ମେକନ୍ ସଂସ୍ଥା ତୃତୀୟ ପକ୍ଷ ଅଡିଟ୍ କରି ଏସବୁର ମୂଲ୍ୟ ନିର୍ଧାରଣ କରିଥିଲେ। ଏବେ ସରକାର ଏ କ୍ଷେତ୍ରରେ ପଛଘୁଞ୍ଚା କାହିଁକି ଦେଉଛନ୍ତି ତାହା ବୁଝାପଡ଼ୁନାହିଁ। ହିସାବ କଲେ ଦେଖାଯାଉଛି, କେବଳ ସେସୁରେ ପାଖାପାଖି ୭ହଜାରରୁ ଅଧିକ କୋଟି ଟଙ୍କା ରାଜ୍ୟ ଓ କେନ୍ଦ୍ର ସରକାର ନିବେଶ କରି ବିଦ୍ୟୁତ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ସେସୁର ମୂଲ୍ୟାୟନ କରାଯିବା ବେଳେ ଏସବୁକୁ ବିଚାରକୁ ନିଆଯାଇଛି ନା ନାହିଁ?

ଏହି ପ୍ରଶ୍ନ ଆଦୌ ଉଠିନଥାନ୍ତା, ଯଦି ଟିପିସିଓଡିଏଲ୍ ଗତ ଜୁଲାଇ ମାସରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିନଥାନ୍ତେ। ଏହି ପିଟିସନ୍ ଜଣାଇ ଦେଉଛି ଯେ ବିଦ୍ୟୁତ ବିଭାଗରେ ସାଂଘାତିକ କେଳେଙ୍କାରୀ ହୋଇଛି ବା ଏକ ବଡ଼ ପରିମାଣର ଅର୍ଥକୁ ରଫାଦଫା କରିବା ଲାଗି ସମସ୍ତେ ମିଶି ଷଡ଼୍‌ଯନ୍ତ୍ର ଆରମ୍ଭ କରିଦେଇଛନ୍ତି। ସଂସ୍ଥା ଏକ ପିଟିସନ୍‌ରେ ଦର୍ଶାଇଛି ଯେ ତାକୁ ୨୦୨୦-୨୧ବର୍ଷରେ ୩୪୪କୋଟି ୪୪ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଏଥିରେ ଆହୁରି କୁହାଯାଇଛି ଯେ ଗତ ୧୦ବର୍ଷ ଭିତରେ ସେସୁରେ ଯେତେଗୁଡିଏ ବିଦ୍ୟୁତ ସଂଯୋଗ ଦିଆଯାଇଛି ଏବଂ ସବ୍‌ ଷ୍ଟେସନ୍ ନିର୍ମାଣ କରାଯାଇଛି, ସେଗୁଡିକରେ ନିମ୍ନମାନର କାମ ହୋଇଛି। ୩୩/୧୧ କେଭି ପ୍ରାଇମେରି ସବ୍‌ଷ୍ଟେସନଗୁଡିକ ଠିକଣା ଭାବେ ହୋଇନାହିଁ। ଗତ ୧୦ବର୍ଷ ଭିତରେ ଯେତେଗୁଡିଏ ବାତ୍ୟା ଓ ଦୈବୀ ଦୁର୍ବିପାକ ହୋଇଛି, ବିଶେଷକରି ଫନିରେ ଯେଉଁ କ୍ଷତି ହୋଇଛି ସେଥିରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି, ତାର ସଠିକ୍ ବିବରଣୀ ନାହିଁ।

ଏହି ରିପୋର୍ଟ ଆହୁରି ଏକ ସାଂଘାତିକ ଚିତ୍ରକୁ ସାମ୍ନାକୁ ଆଣିଛି। ଏଥିରେ କୁହାଯାଇଛି, ଗତ ୧୦ବର୍ଷ ଭିତରେ ୭୩୫ଟି ବିଦ୍ୟୁତ ଦୁର୍ଘଟଣା ଘଟିଛି ଓ ୪୩୯ ଜଣଙ୍କର ମୃତ୍ୟୁ ହୋଇଛି। ୩୫୬ ଜଣ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ୧୭୧ଟି ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି ଓ ୪୨ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଏଇଥିପାଇଁ ହୋଇଛି, କାରଣ ଲାଇନ୍ ଏବଂ ସବ୍‌ଷ୍ଟେସନଗୁଡିକ ଠିକଣା ଭାବେ ହୋଇନାହିଁ। ଯେଉଁଥିପାଇଁ ଏହି ସଂସ୍ଥା ୩୪୪ କୋଟି ଟଙ୍କା ୨୦୨୦-୨୧ବର୍ଷରେ ଖର୍ଚ୍ଚ ପାଇଁ ଦର୍ଶାଇଛି। ଏଇଠି ପ୍ରଶ୍ନ ଉଠୁଛି, ଯଦି ଟିପିସିଓଡିଏଲ୍ ରିପୋର୍ଟ ସତ, ତେବେ ପୂର୍ବରୁ ସେସୁ ବିଦ୍ୟୁତ ସଂଯୋଗ, ଭିତ୍ତିଭୂମି ନିର୍ମାଣରେ ଏକ ବଡ଼ ଧରଣର କେଳେଙ୍କାରୀ ହୋଇଛି। ବିଶେଷକରି ଫନିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଏହା କେଉଁଠି କିଭଳି ହୋଇଛି, ତାହା ଏବେ ବଡ଼ ତଦନ୍ତକୁ ଅପେକ୍ଷା କଲାଣି। କେବଳ ସେତିକି ନୁହେଁ, ଏହି ସମୟରେ ସେସୁ ଓ ଶକ୍ତି ବିଭାଗରେ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କାହିଁକି ସରକାର ବା ଓଇଆର୍‌ସି ତଦନ୍ତ ପରିସରକୁ ଏଯାଏ ନେଇନାହାନ୍ତି ତାହା ବି ବୁଝାପଡୁନାହିଁ। ଯଦି ଟାଟା ରିପୋର୍ଟରେ ସତ୍ୟତା ନାହିଁ, ତେେବ ସରକାର ନିଜ ଆଡୁ ଏ ସଂପର୍କରେ ଓଇଆର୍‌ସି ପାଖରେ ଜଣାଇବା କଥା।

ସମ୍ବନ୍ଧିତ ଖବର