୨୦୨୩ ସୁଦ୍ଧା ତାଳଚେର ସାରଖାନା କାର୍ଯ୍ୟକ୍ଷମ

ଅନୁଗୁଳ: ତାଳଚେର ସାର କାରଖାନା ପୁନରୁଦ୍ଧାର କାମ ଜୋରସାରରେ ଚାଲିଛି। ଆଜି କାମରେ ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିବା ସହ ବକେୟା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଇଛନ୍ତି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ପୁନରୁଦ୍ଧାର କାମ ସାରିବାକୁ ଟାର୍ଗେଟ ରଖାଯାଇଛି। ଏହାସହିତ ତାଳଚେର ଫର୍ଟିଲାଇଜର୍‌ କାରଖାନାର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି।
ତାଳଚେର ଫର୍ଟିଲାଇଜର କାରଖାନାର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି ତାଳଚେର ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଟିଏଫ୍ଏଲ୍ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଆରୋରା, ଅର୍ଥ ବିଭାଗ ନିର୍ଦେଶକ ଅଭିଜିତ୍ ଗୋସ୍ବାମୀ, ମହାପ୍ରବନ୍ଧକ ପଞ୍ଚାନନ ହଳଧର, ବଳବନ୍ତ ଗୋସେଇଁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକଳ୍ପର ସମୀକ୍ଷା ପରେ ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ କହିଛନ୍ତି ଯେ ଏହି ପ୍ରକଳ୍ପର ଅଗ୍ରଗତି କାମ ସନ୍ତୋଷଜନକ। ଆଜି ସୁଦ୍ଧା ପ୍ରକଳ୍ପ ଅଞ୍ଚଳରେ ମାଟି ସମତୁଲ, ପାଚେରି ଓ ଚତୁଃପାର୍ଶ୍ବରେ ସୁରକ୍ଷା ୱାଚ୍ ଟାୱାର ନିର୍ମାଣ ଶେଷ ହୋଇଛି। ସେହିପରି ପ୍ରକଳ୍ପ ଭିତରେ ରାସ୍ତା, ଡ୍ରେନ, କଲଭର୍ଟ ଓ ପାର୍କିଂ ସ୍ଥଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପ୍ରକଳ୍ପ ତିଆରି ନିମନ୍ତେ ପାଣି ଓ ବିଜୁଳିର ବ୍ୟବସ୍ଥା, ପ୍ରଶାସନିକ କୋଠାର ପୁନରୁଦ୍ଧାର କରାଯାଇଛି। ଏବେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରି ୨୦୨୩ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମୟରେ ସେ ପ୍ରକଳ୍ପର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପରିଚାଳନା ନିର୍ଦେଶକ ଶ୍ରୀ ଯାଦବଙ୍କ କହିବାନୁଯାୟୀ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଏ ଅଞ୍ଚଳର ଅର୍ଥନୈତିକ ବିକାଶ ତ୍ବରାନ୍ବିତ ହୋଇପାରିବ। ଏଥିନିମନ୍ତେ ସମସ୍ତ ଜନସାଧାରଣ, ପ୍ରଶାସନ ଓ ଜନପ୍ରତିନିଧିଙ୍କ ସହଯୋଗ ରହିଲେ ଏହି ପ୍ରକଳ୍ପ ଦେଶର ପ୍ରଥମ କୋଇଲା ଭିତ୍ତିକ ଗ୍ୟାସ୍ ମାଧ୍ୟମରେ ୟୁରିଆ ଉତ୍ପାଦନ ପ୍ରକଳ୍ପ ହେବ ଓ ଏହା ଦେଶବାସୀଙ୍କର ରୋଲ୍‌ ମଡେଲ ହୋଇପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ଆଜିଠାରୁ ଏହି ପ୍ରକଳ୍ପର ସୁରକ୍ଷା ଦାୟିତ୍ବ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି। ତାଳଚେର ଫର୍ଟିଲାଇଜର କାରଖାନାର ପରିଚାଳନା ନିର୍ଦେଶକ ଶ୍ରୀ ଯାଦବ ସିଆଇଏସ୍ଏଫ୍ ଡିଆଇଜି ଏମ. ରସିଦ୍‌ଙ୍କୁ ବିଧିବଦ୍ଧ ଭାବେ ସୁରକ୍ଷା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଏହି ସମୟରେ ସିଆଇଏସ୍ଏଫ୍ ବରିଷ୍ଠ କମାଣ୍ଡାଣ୍ଟ ବି. ସୁନ୍ଦ୍ରାଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର