ବାଟରେ ଖରାପ ହୋଇଗଲା ଟ୍ରେନ୍‌ ଇଞ୍ଜିନ୍‌ ଲାଇଟ୍‌: ଟର୍ଚ୍ଚ ଲାଇଟ୍‌ ଜାଳି ଷ୍ଟେସନ୍‌ରେ ପହଞ୍ଚିଲା ଡିଏମ୍‌ୟୁ

କଳାବାଡ଼ିଆ: ଟ୍ରାକ୍‌ରେ ଗଡ଼ୁଥିବାବେଳେ ହଠାତ୍‌ ଖରାପ ହୋଇଗଲା ଟ୍ରେନ୍‌ର ଇଞ୍ଜିନ୍‌ ଲାଇଟ୍‌। ଟ୍ରେନ୍‌ ଚାଳକ (ଲୋକୋ ପାଇଲଟ୍‌) ଯଥାସମ୍ଭବ ଉଦ୍ୟମ କଲେ ଲାଇଟ୍‌କୁ ସଜାଡ଼ିବା ପାଇଁ। ହେଲେ, ସବୁ ପ୍ରୟାସ ଫେଲ୍‌ ମାରିଲା। ଶେଷରେ ଟର୍ଚ୍ଚ ଲାଇଟ୍‌ ଜଳାଇ ରୁପ୍‌ସା-ବାଙ୍ଗିରିପୋଷି ଯାତ୍ରୀବାହୀ ଡିଏମ୍‌ୟୁ (୨୦୦୭୫)କୁ ଷ୍ଟେସନ୍‌ ପର୍ଯ୍ୟନ୍ତ ନେଇଥିଲେ ଚାଳକ।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ରୁପ୍‌ସା ଷ୍ଟେସନ୍‌ରୁ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଆସିବାବେଳେ ରଜାଲୋକା ଷ୍ଟେସନ ପରେ ଆଉ ଡିଏମ୍‌ୟୁର ଇଞ୍ଜିନ୍‌ ଲାଇଟ୍ ଜଳିନଥିଲା। ସେତେବେଳକୁ ସମୟ ପ୍ରାୟ ୫ଟା ୨୦ ମିନିଟ୍‌ ହୋଇଥିଲେ ବି ଶୀତଦିନ ଯୋଗୁଁ ଅନ୍ଧାର ହୋଇ ସାରିଥିଲା। ତେବେ, ଟ୍ରେନ୍‌ ଚାଳକ ଟର୍ଚ୍ଚ ଲାଇଟ୍‌ ଜଳାଇ ଓ ନିୟମିତ ହର୍ଣ୍ଣ ବଜାଇ କୌଣସି ମତେ ଟ୍ରେନ୍‌ଟିକୁ ୫ କିମି ଦୂର ବାଙ୍ଗିରିପୋଷି ଷ୍ଟେସନରେ ଆଣି ପହଞ୍ଚାଇ ଦେଇଥିଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଟ୍ରେନ୍‌ଟି ଷ୍ଟେସନ୍‌ରେ ପହଞ୍ଚିବା ବେଳେ ସେଠାରେ ମଧ୍ୟ ଲାଇନ୍‌ ନଥିଲା। ଫଳରେ ଷ୍ଟେସନ୍‌ରେ ଓହ୍ଲାଇବା ବେଳେ କିଛି ଯାତ୍ରୀ ଅନ୍ଧାରରେ ତଳେ ପଡ଼ି ଖଣ୍ଡିଆଖାବରା ହୋଇଥିଲେ।

ମେକାନିକ୍‌ଙ୍କୁ ଡାକି ଲାଇଟ୍‌ ସଜଡ଼ାଯିବା ପରେ ଟ୍ରେନ୍‌ଟି ପ୍ରାୟ ୨ ଘଣ୍ଟା ବିଳମ୍ବରେ ରୁପ୍‌ସା ଅଭିମୁଖେ ଯାଇଥିବା ଜଣାପଡ଼ିଛି। ବାଙ୍ଗିରିପୋଷି ଷ୍ଟେସନରେ ଜେନେରେଟର୍‌ ବ୍ୟବସ୍ଥା ପାଇଁ ବାରମ୍ବାର ଦାବି ହେଉଥିଲେ ବି ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ରେଳ କ୍ରିୟାନୁଷ୍ଠାନ କମିଟିର ସଭାପତି ଶାନ୍ତନୁ ଦାଶ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର