ଶରୀର ସହ ସମ୍ପତ୍ତି ଦାନ ପାଇଁ ଇଚ୍ଛାପତ୍ର ସ୍ବାକ୍ଷର କଲେ ମହିଳା

ପୁଅର ଶେଷଇଚ୍ଛାକୁ  ସମ୍ମାନ ଜଣାଇଲେ ମା’

ବାଲେଶ୍ୱର: ପୁଅର ଶ୍ରାଦ୍ଧବାର୍ଷିକୀରେ ଦୁଃଖିନୀ ମାଆ ନିଜର ଶରୀର ଦାନ ପାଇଁ ଇଚ୍ଛାପତ୍ର ସ୍ବାକ୍ଷର କରିଛନ୍ତି। କେବଳ ଏତିକି ନୁହେଁ, ପୁଅ ନାମରେ ଗୋଟିଏ ଟ୍ରଷ୍ଟ ଗଢି ଏକ ବୃଦ୍ଧାଶ୍ରମ କରିବା ପାଇଁ ନିଜର ସମସ୍ତ ସମ୍ପତ୍ତିକୁ ଦାନ କରିଦେଇଛନ୍ତି। ବାଲେଶ୍ବର ସୋର ବ୍ଲକ ଅଇଁରି ଗ୍ରାମର ସୁଷମା ପାଢ଼ୀ ଏପରି କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ସୁଷମାଙ୍କ ପୁଅ ଦୀପ୍ତିକାନ୍ତ ଜଣେ ଯୁବ ସମାଜସେବୀ ଭାବେ ଉକ୍ତ ଅଂଚଳରେ ପରିଚିତ ଥିଲେ। ସେ ଅନେକ ସାମାଜିକ ସଂଗଠନ ସହ ଯୋଡ଼ି ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ କାମ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ମହତ୍ କାର୍ଯ୍ୟ ପାଇଁ ସେ ବିଭିନ୍ନ ସଙ୍ଗଠନ ଦ୍ୱାରା ସମ୍ମାନିତ ହୋଇଥିଲେ। ଦୁଇବର୍ଷ ତଳେ ଦୀପ୍ତିକାନ୍ତ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସ୍ୱାମୀ ପରିତ୍ୟକ୍ତା ସୁଷମା ତାଙ୍କର ଏକମାତ୍ର ପୁଅକୁ ହରାଇ ସମ୍ପୂର୍ଣ୍ଣ ଏକାକୀ ହୋଇଗଲେ।

ପୁଅର ଶୋକରେ ଦିନରାତି ବୁଡ଼ିରହି ଜୀବନ ବଞ୍ଚିବାର ସ୍ପୃହା ମଧ୍ୟ ହରାଇବସିଲେ। ସମୟ ଗଡ଼ିବା ସହ ସୁଷମା ପୁଅର ସାମାଜିକ କାର୍ଯ୍ୟପ୍ରତି ଆଗ୍ରହ ଏବଂ ଶେଷଇଚ୍ଛା ବିଷୟରେ ଚିନ୍ତା କରି ସେ ସବୁକୁ ପୂରଣ କରିବା ପାଇଁ ନିଷ୍ପତ୍ତି ନେଲେ। ଦୀପ୍ତିକାନ୍ତଙ୍କ ନାମରେ ‘ଦୀପ୍ତିବନ୍ଧୁ’ ସ୍ବେଚ୍ଛାସେବୀ ସଙ୍ଗଠନଟିଏ ଗଢି ଏହା ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଲେ। ଏପରିକି ତାଙ୍କର ସମସ୍ତ ସମ୍ପତ୍ତି ସେହି ଟ୍ରଷ୍ଟକୁ ଦାନ କରି ତାଙ୍କର ନିଜ ବାସଭବନରେ ଗୋଟିଏ ବୃଦ୍ଧାଶ୍ରମ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଦୀପ୍ତିକାନ୍ତଙ୍କର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ନିଜ ଶରୀର ଦାନ କରିବା ପାଇଁ ଇଛାପତ୍ର ସ୍ବାକ୍ଷର କରିଛନ୍ତି।

ଏ ସମ୍ପର୍କରେ ସୁଷମା କହନ୍ତି, ମୋ ପୁଅ ସବୁବେଳେ ମତେ କହୁଥିଲା ମୋ ଶରୀରକୁ ସେ ଦାନ କରିଦେବ। ସମାଜର କଲ୍ୟାଣରେ ମୋ ଶରୀର ଲାଗିପାରିଲେ ମୋ ପୁଅ ଖୁସି ହେବ। ପୁଅ ତ ରହିଲା ନାହିଁ। ଆଉ ମୋର ଏ ସମ୍ପତ୍ତି କଣ ହେବ। ଦୁଃଖୀ ଅସହାୟ ଲୋକଙ୍କ ସେବାରେ ମୋ ପୁଅ ସବୁବେଳେ ତତ୍ପର ଥିଲା। ସେଥିପାଇଁ ସେଇ କାମରେ ମୁଁ ମୋ ପୁଅର ଇଚ୍ଛା ପୂରଣ କରିପାରିବି। ଏ ସମ୍ପର୍କରେ ତାଙ୍କ ମାମୁ ମନୋରଞ୍ଜନ ମହାପାତ୍ର କୁହନ୍ତି, ବୟସରେ ଛୋଟ ହେଲେ ବି ମୋ ଭଣଜା ଆମ ସମସ୍ତଙ୍କର ଆଦର୍ଶ ଥିଲା। ତାର ଇଚ୍ଛା ପୂରଣ ପାଇଁ ମୋ ଭଉଣୀ ଯେଉଁ ମହତ କାମ କରିଛି ମୁଁ ସେଥିପାଇଁ ଗର୍ବିତ ଏବଂ ଏଥିରେ ସବୁପ୍ରକାର ସହଯୋଗ କରିବି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ମାନସ କୁମାର ପଣ୍ଡା, ସମାଜସେବୀ ବିକ୍ରମ ନାୟକଙ୍କ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ। ସୁଷମାଙ୍କର ଏହି ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର