ଦୁଇ କୋଟିର ଅଷ୍ଟଧାତୁ ମୂର୍ତ୍ତି ଚୋରି

୬୦୦ ବର୍ଷର ପୁରୁଣା ମନ୍ଦିରର ଘଟଣା, ରାତି ଅଧରେ ଉଠାଇ ନେଇଛନ୍ତି ଦୁର୍ବୃତ୍ତ

ସାଲେପୁର : କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୩ଟି ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ୨ କ୍ବିଣ୍ଟାଲରୁ ଅଧିକ ଓଜନର ଏହି ମୂର୍ତ୍ତି ଗୁଡ଼ିକୁ ଦୁର୍ବୃତ୍ତମାନେ ରାତିଅଧରେ ଗାଁ ଭିତରୁ କିଭଳି ଉଠାଇ ନେବାରେ ସଫଳ ହେଲେ, ତାହା ସମସ୍ତଙ୍କୁ ଚକିତ କରିଛି। ଚୋରି ହୋଇଥିବା ମୂର୍ତ୍ତି ମଧ୍ୟରେ ରହିଛନ୍ତି ମା’ କାଳୀ, ଚନ୍ଦ୍ରଶେଖର ଓ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି। ସୋମବାର ସକାଳେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାକୁ ନେଇ ଛାନ୍‌ଭିନ୍ ଆରମ୍ଭ କରିଛି।

ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ପଞ୍ଚାୟତ ବଟେଶ୍ୱର ଗ୍ରାମରେ ରହିଛି ୬୦୦ ବର୍ଷର ପୁରାତନ ମା’ ଭଗବତୀ ମନ୍ଦିର। ଏହି ମନ୍ଦିରରେ ଏବେ ଶାରଦୀୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ପୂଜକମାନେ ମା’ଙ୍କ ପୂଜାର୍ଚ୍ଚନା ସାରି ରବିବାର ରାତିରେ ପହଡ଼ ପକାଇଥିଲେ। ସୋମବାର ଭୋର୍‌ରୁ ପୂଜକ ମନ୍ଦିରରେ ପହଞ୍ଚିବା ପରେ ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଭିତରେ ଦେଖିଲା ବେଳକୁ ତିନିଟି ବିରଳ ମୂର୍ତ୍ତି ନଥିଲା। ଏହି ଘଟଣା ପ୍ରଚାରିତ ହେବାପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଘଟଣା ସମ୍ପର୍କରେ ମା’ ଭଗବତୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ମ୍ୟାନେଜିଂ ଟ୍ରଷ୍ଟି ଗଗନବିହାରୀ ଦୀକ୍ଷିତ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଦୁର୍ବୃତ୍ତ ମନ୍ଦିରର ସମ୍ମୁଖ ତାଲା ଭାଙ୍ଗି ପୂଜା ପାଉଥିବା ଅଷ୍ଟ ଧାତୁରେ ନିର୍ମିତ ଏକ କ୍ବିଣ୍ଟାଲ୍‌ ଓଜନର ପଶ୍ଚିମମୁଖୀ କାଳୀ ମୂର୍ତ୍ତି, ୫୦ କିଲୋଗ୍ରାମ ଓଜନର ଚନ୍ଦ୍ରଶେଖର ମୂର୍ତ୍ତି ଓ ୫୦ କିଲୋଗ୍ରାମ ଓଜନର ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଚୋରି କରି ନେଇଥିବା ଏତଲାରେ ଦର୍ଶାଯାଇଛି। ଏ ନେଇ ଥାନାରେ ଏକ ମାମଲା (କେସ୍‌ ନଂ-୨୯୨/୨୨) ରୁଜୁ କରାଯାଇଛି। ଏଥିରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଖୁବ୍‌ଶୀଘ୍ର ଧରିବା ସହ ତିନିଟି ମୂର୍ତ୍ତି ଉଦ୍ଧାର କରାଯିବ ବୋଲି ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକ କହିଛନ୍ତି।

ମୂର୍ତ୍ତି ଚୋରି ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିକାରୀ, କଟକ ଉପଜିଲ୍ଲାପାଳ ଓ ସାଲେପୁର ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି। ଏହି ଐତିହାସିକ ମନ୍ଦିରଟି ଦେବୋତ୍ତର ବିଭାଗ ଅଧୀନରେ ରହିଛି।

ସମ୍ବନ୍ଧିତ ଖବର