ଗଛର ଚିହ୍ନବର୍ଣ୍ଣ ନାହିଁ, ଖାଇଗଲେ ୭୦ ଲକ୍ଷ!

ଗୋଟିଏ ପଞ୍ଚାୟତର ରାସ୍ତା ୫୩ କିମି! ଜିଲ୍ଲା ପରିଷଦ ସଭ୍ୟଙ୍କ ବାଡ଼ିରେ ଲୁଚା ହୋଇଛି ନାମ ଫଳକ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ଅଭୟମୁଖୀ ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ କିଭଳି ଦୁର୍ନୀତିର ସବୁ ସୀମା ଲଂଘିଛି, ତାହା ପଦାକୁ ଆସିଛି। ଚାରା କି ଗଛର ଚିହ୍ନବର୍ଣ୍ଣ ନ ଥିବାବେଳେ ଏହି ଗୋଟିଏ ପଞ୍ଚାୟତରେ ଆମ୍ବ ଓ ନଡିଆ ଗଛ ଲଗାଇବା ନାମରେ ୭୦ ଲକ୍ଷ ଟଙ୍କା ବିଲ୍‌ ନିଆଯାଇସାରିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଏହି କାର୍ଯ୍ୟରେ ଶହେ ଗଛ ବି ପଞ୍ଚାୟତରେ ଦେଖିବାକୁ ମିଳୁନି। ଆଦୌ ଗଛ ନ ଲଗାଇ ମିଥ୍ୟା ବିଲ୍ କରି ସରକାରୀ ଟଙ୍କା ହଡ଼ପ ‌ହୋଇଛି। ମନରେଗାରେ ହେଉଥିବା ଏହି କାମକୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଲୁଟି ନେଇଛନ୍ତି। ପଞ୍ଚାୟତରେ ଚାରା ଦୁର୍ନୀତି କଲାବେଳେ ‌ଏହି କର୍ମଚାରୀ ଆଗପଛ ବିଚାର କରିନାହାନ୍ତି। ପଞ୍ଚାୟତରେ ୫୩ କିମି ରସ୍ତାରେ ଚାରା ରୋପଣ କରାଯାଇଥିବା ଦର୍ଶାଯାଇଛି। ଗୋଟିଏ ପଞ୍ଚାୟତରେ ୫୩ କିମି ରାସ୍ତା କେଉଁଠୁ ଆସିଲା ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ‌ରେ ହୋଇଥିବା ଏହି ଦୁର୍ନୀତିକୁ ଲୁଚାଇବାକୁ ଉଦ୍ୟମ କରାଯାଇଛି। ବ୍ଲକ୍‌ରେ ମୃତ୍ତିକା ସଂରକ୍ଷଣ ବିଭାଗରେ ହୋଇଥିବା ପ୍ରକଳ୍ପ ସଂପର୍କିତ ଫଳକ କେଉଁଠି ଲଗାଯାଇନାହିଁ। ସବୁ ଫଳକକୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ବାଡ଼ିରେ ଲୁଚାଇ ରଖାଯାଇଛି। ଫଳକ ଲାଗିଲେ ଦୁର୍ନୀତି ଧରାପଡ଼ିବାର ଭୟ ଥିବାରୁ ଫଳକ ସବୁ ଗୋଟିଏ ଜାଗାରେ ଲୁଚାଇ ରଖାଯାଇଛି।

ମନରେଗା ଯୋଜନାର ରୂପାୟନ କରୁଥିବା ମୃତ୍ତିକା ସଂରକ୍ଷଣ ବିଭାଗ ନଡ଼ିଆ ଓ ଆମ୍ବ ଚାରା ରୋପଣ‌ରେ ବ୍ୟାପକ ଅନିୟମିତତା କରିଛି। ମୋଟ ଏକ କୋଟି ୧୦ ଲକ୍ଷ ୬୭ ହଜାର ଟଙ୍କାର ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ହୋଇଛି। ଗାଁ’ ରାସ୍ତା ଓ ସରକାରୀ ଜମିରେ ଚାରା ରୋପଣ କରିବା ପାଇଁ ଯୋଜନା ହୋଇଥିଲା ହେଁ ଚାରା ନଲଗାଇ ବିଲ୍ କରାଯାଇଛି। ଏ ବାବଦରେ ୭୦ଲକ୍ଷ ଟଙ୍କା ବିଲ ହୋଇସାରିଛି। ବିପୁଳ ବ୍ୟୟ ସତ୍ତ୍ବେ ପଞ୍ଚାୟତରେ ଶହେ ଗଛ ବି ବଂଚିନଥିବା ଅଭିଯୋଗ ହୋଇଛି। ତଥ୍ୟ ମୁତାବକ, ଗଛର ଚିହ୍ନବର୍ଣ୍ଣ ନଥିବା ବେଳେ ଅଭୟମୁଖୀ ପଞ୍ଚାୟତ ଅଫିସ ଠାରୁ ନଡ଼ାଖଣ୍ଡ ଲେଙ୍କା ସାହି କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତାରେ ନଡିଆ ଗଛ ଲଗାଇବାକୁ ୫ ଲକ୍ଷ ୮ ହଜାର ଟଙ୍କା, ଆମ୍ବ ଚାରା ରୋପଣ ପାଇଁ ରାମଚନ୍ଦ୍ରପୁର ଠାରେ ୩ ଲକ୍ଷ ୨୨ ହଜାର ଟଙ୍କା, ଇନ୍ଦିପୁର ଦେଉଳିରେ ୪ ଲକ୍ଷ ୭୩ ହଜାର ଟଙ୍କା, ପ୍ରଚଣ୍ଡପୁରରୁ ନାଗଣ କେନାଲ ବନ୍ଧରେ ୨ ଲକ୍ଷ ୫୧ ହଜାର ଟଙ୍କା, ଇନ୍ଦିପୁରରୁ ନଡାଖଣ୍ଡ ୪ ଲକ୍ଷ ୨୪ ହଜାର ଟଙ୍କା ନିଆଯାଇଛି। ଏଠାରେ ୨ କିମି ରାସ୍ତାକୁ ୪ କିମି ଦର୍ଶାଯାଇଛି। ସେହିଭଳି ଇନ୍ଦିପୁର ଉତ୍ସସାଗର ପୋଖରୀ ଠାରୁ ପକ୍ଷୀମୁଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ୩ ଲକ୍ଷ ୫୨ ହଜାର ଟଙ୍କା, ଇନ୍ଦିପୁର କଲେଜ ଛକଠାରୁ କୁମାରେଶ୍ବର ୨ ଲକ୍ଷ ୮୬ ହଜାର ଟଙ୍କା, ଅଭୟମୁଖୀ ପୋଖରୀ ହୁଡ଼ାରେ ୩ ଲକ୍ଷ ୫ ହଜାର ଟଙ୍କାର ବିଲ୍‌ ହୋଇଛି। ସମସ୍ତ ବିଲ୍‌ ମିଥ୍ୟା ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପରେ ଗଛ ନଥିବା ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ଧରାପଡ଼ିବା ଭୟର କୌଣସି ସ୍ଥାନରେ କାର୍ଯ୍ୟ ସଂପର୍କିତ ଫଳକ ଲଗାଇ ନାହିଁ। ସୂଚନା ଫଳକ ଗୁଡିକୁ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ବାଡ଼ିରେ ଲୁଚାଇ ରଖାଯାଇଛି। ଯାହାର ଫଟୋ ମଧ୍ୟ ଆମର ହସ୍ତଗତ ହୋଇଛି। ଏହି ଦୁର୍ନୀତିର ତଦନ୍ତ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର