ହୀରାକୁଦ ଜଳ ଭଣ୍ଡାର ଥାଇ ବି ମରୁଡ଼ି !

ସମ୍ବଲପୁର: ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି। ଜିଲ୍ଲାର ଅନେକ ବ୍ଲକ୍ ଅଂଚଳର ଚାଷୀ ମରୁଡ଼ିର ଦାଉ ସହୁଛନ୍ତି। ତେବେ, ଠିକଣା ସମୟରେ ବୀମାରାଶି ମିଳୁନଥିବାରୁ କୃଷକ ସଂଗଠନକୁ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ୁଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ‌ଘୋଷଣା କରିଥିବା ଅନେକ ଜଳସେଚନ ପ୍ରକଳ୍ପ ବି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଥିବା ବେଳେ ସମ୍ବଲପୁର ଜିଲ୍ଲାର ସର୍ବମୋଟ ଚାଷଜମିର ମାତ୍ର ୩୨ ପ୍ରତିଶତ ଅଂଚଳ ଜଳସେଚିତ ହୋଇପାରୁଥିବା କହାଯାଇଛି।

ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ହୀରାକୁଦ ଜଳଭଣ୍ଡାରର ପାଣିରେ କେବଳ ପୂରା ଧନକଉଡ଼ା ଓ ମାନେଶ୍ବର ବ୍ଲକ୍‌ ଜଳସ‌ସେଚିତ ହେଉଛି। ହୀରାକୁଦ କମାଣ୍ଡ ଏରିଆ ଅଧୀନରେ ଥିଲେ ବି ଯୁଯୁମୁରା, ରେଂଗାଲି ଓ ଜମନକିରା ବ୍ଲକ୍‌ର ସୀମିତ ଅଂଚଳକୁ ହୀରାକୁଦ ପାଣି ମାଡ଼ୁଛି। ବିଭିନ୍ନ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଂଚି ପାରୁନାହିଁ। ଜଳାଭାବ ଯୋଗୁ ଚାଷୀମାନେ କୌଣସି ଉପାୟରେ ଖରିଫ ଫସଲ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଅବଶ୍ୟ, ଇତିମଧ୍ୟରେ ଅଳ୍ପ କିଛି ଜମି ବିଭିନ୍ନ ଉପାୟରେ ଜଳସେଚିତ ହେଉଛି। ବୃହତ୍ ଜଳସେଚନ ପ୍ରକଳ୍ପ ଜରିଆରେ ଯେତିକି ପରିମାଣର ଜମି ଜଳସେଚିତ ହେଉଥିବା ହିସାବକୁ ନିଆଯାଉଛି, ବାସ୍ତବରେ ସେତିକି ଜମି ଜଳସେଚିତ ହେଉ ନାହିଁ।

ଜିଲ୍ଲାର ଶିଳ୍ପବିହୀନ ଓ ଆଦିବାସୀ ବହୁଳ ଉପଖଣ୍ଡ କୁଚିଣ୍ଡା ଅଂଚଳର ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେହେଁ ତାହା ବିଭିନ୍ନ କାରଣରୁ ବିଳମ୍ବ ହେବାରେ ଲାଗିଛି। କୁଚିଣ୍ଡା, ବାମରା, ଜମନକିରା ବ୍ଲକକୁ ନେଇ ଗଠିତ କୁଚିଣ୍ଡା ଉପଖଣ୍ଡର ଚାଷୀମାନେ ଖରିଫ ଫସଲ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି। ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରୁ କୁଚିଣ୍ଡା ପାଖ ଚଇତ୍ରାଠାରେ ଭେଡେନ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପ୍ରସ୍ତାବ ରହିଥିଲେହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଡ଼େନ ଓ ଖର୍ଲା ନଦୀ ଉପରେ ଅନେକ ବ୍ୟାରେଜ ତଥା ବ୍ରିଜ ନିର୍ମାଣ ପାଇଁ ବୁଦୁଲାପାଲିଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେଥିରୁ ବୁଦୁଲାପାଲି ଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ଟେଣ୍ଡର ହୋଇଥିଲେ ବି ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା। ଗତ ୨୦୨୧ ମସିହାରେ ପୁଣି ବୁଢାରଜା, କିରାଶାସନ, ଜନକଡ଼ିହିଠାରେ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଥିବା ବେଳେ କେଇଦିନ ତଳେ କାମ ଆରମ୍ଭ ହୋଇଛି। ସଇଡ଼ା ପ୍ରକଳ୍ପ ପାଇଁ ଥରେ ଟେଣ୍ଡର ବାତିଲ ହେବା ପରେ ଏବେ ପୁଣି ଥରେ ନୂଆ କରି ଟେଣ୍ଡର ଡକାଯାଇଛି। ଶଗଡ଼େଶ୍ବର ନାଳା ଓ  ଶଙ୍ଖଭାଙ୍ଗୁଣି ନଦୀ ଉପରେ ଡ୍ୟାମ ନିର୍ମାଣ ପ୍ରସ୍ତାବ ବି କେତେକ କାରଣରୁ ଅଟକି ରହିଛି। ସରକାର ଚାଷୀଙ୍କ ଦାବିକୁ ଅଣଦେଖା କରିବାରୁ ଅତୀତରେ ସେମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।

ରେଢ଼ାଖୋଲ ଉପଖଣ୍ଡରେ ମରୁଡ଼ି ଚିର ସହଚର। କିଛି ବର୍ଷ ତଳେ ଚିରସ୍ରୋତା ଚମ୍ପାଳି ଜୋର ଡ୍ୟାମ୍ ନିର୍ମାଣ ପାଇଁ ସର୍ଭେ ହୋଇଥିଲା। ମାତ୍ର ସେହି ପ୍ରକଳ୍ପକୁ ଶୀତଳଭଣ୍ଡାରରେ ପଡ଼ି ରହିଛି। ରେଢ଼ାଖୋଲ ଉପଖଣ୍ଡରେ ସରକାରୀ ତଥ୍ୟ ଅନୁସାରେ ୮୬ଟି ଚେକ୍‌ ଡ୍ୟାମ ରହିଥିଲେହେଁ ନିମ୍ନମାନର କାମ ଯୋଗୁ ବାସ୍ତବରେ ମାତ୍ର ୧୫/୧୭ଟି ଚେକ୍‌ ଡ୍ୟାମ୍‌ ଚାଷୀମାନଙ୍କ କାମରେ ଆସୁଛି। କେରାଣ୍ତି ଯୋର ଡ୍ୟାମ୍ ରକ୍ଷଣାବେକ୍ଷଣ ଆବଶ୍ୟକତା ରହିଛି। ଜିଲ୍ଲାରେ କ୍ଷୁଦ୍ରଜଳସେଚନ ବିଭାଗ ଜରିଆରେ ଚେକ୍ ଡ୍ୟାମ୍ ନିର୍ମାଣରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହେଉଛି। ଅନ୍ତତଃ ପକ୍ଷେ ଖରିଫ ଧାନ ଫସଲ ବଞ୍ଚାଇବା ନିମନ୍ତେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିବା ବ‌େଳେ ଅଧିକାଂଶ ଚେକ୍ ଡ୍ୟାମ୍‌ ଉଦ୍ଦେଶ୍ୟ ସାଧନରେ ବିଫଳ ହୋଇଛି। ଏକ ରିପୋର୍ଟ ଅନୁସାରେ, ସମ୍ବଲପୁର ଜିଲ୍ଲାରେ ମାତ୍ର ୬୮,୮୦୭ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳୁଛି। ଏଥିରୁ ୪୧୪ ହେକ୍ଟର ଜମି ଜଳାଶୟ, ୫,୩୮୬ ହେକ୍ଟର ଜମି ଖୋଲା କୂଅ, ୩,୦୦୮ ହେକ୍ଟର ଜମି ନଳକୂପ/ଗଭୀର ନଳକୂପ, ୯,୦୦୬ ହେକ୍ଟର ଜମି ଉଠାଜଳସେଚନ, ୧୩,୨୩୪ ହେକ୍ଟର ଜମି କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ୩୧,୫୧୭ ହେକ୍ଟର ବୃହତ୍ ଜଳସେଚନ ପ୍ରକଳ୍ପ ଏବଂ ୬,୨୪୨ ହେକ୍ଟର ଜମି ଅନ୍ୟାନ୍ୟ ଉପାୟରେ ଜଳସେଚିତ ହେଉଛି। ତେବେ, ରବି ଋତୁରେ ଏଠାରୁ ବି ବହୁତ କମ୍‌ ଚାଷ ଜମି ଜଳସେଚିତ ହେଉଥିବା ଚା‌‌ଷୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର