ଜନ୍ମଦିନରେ ବି ପାସୋରି ଗଲେ: ‘ଗ୍ରାମପଥ’ର କବି ବିନୋଦଙ୍କ ପାଇଁ ଜାଗାଟିଏ ମିଳୁନି

୬ ମାସ ହେବ ପ୍ରତିଷ୍ଠା ହୋଇପାରୁନି ପ୍ରତିମୂର୍ତ୍ତି, ନିର୍ମାଣ ହୋଇନି ସ୍ମୃତିସୌଧ

ସୁନ୍ଦରଗଡ଼,(ଡମ୍ବରୁଧର ନାୟକ): ‘ଦୂର ତାଳବଣ ଆକାଶେ ଶୁଣାଏ ମାଟିର କବିତା କି ସେ, ଏ ଗ୍ରାମର ପଥ ତହିଁ ଦିଗନ୍ତେ ମିଶେ, କ୍ଷେତ ପ‌ରେ କ୍ଷେତ କାଶଫୁଲ ଆଉ ବେଣାରେ ଜଟିଳା ପାଟ, ପାଟ ପରେ ବଣ ପାରିହେଲେ ମାମୁ ଘର ଗାଆଁ ଦିଶେ।’ ‘ଗ୍ରାମପଥ’ର ଏ ପ୍ରଥମ ପଙ୍‌କ୍ତି ଉଚ୍ଚାରଣ ମାତ୍ରକେ ଗାଁର ଏକ ସବୁଜ ସୁଶୋଭିତ ଦୃଶ୍ୟପଟ୍ଟ ଆଖିଆଗକୁ ଆପଣାଛାଏଁ ଚାଲିଆସେ। ଏହି କବିତାର ସ୍ରଷ୍ଟା ବିନୋଦ ନାୟକଙ୍କ କଥା ମ‌ନେ ପଡ଼ିଯାଏ। ହେଲେ, ଆଜି ତାଙ୍କର ଜନ୍ମଦିନରେ ସମସ୍ତେ ଯେମିତି ପାସୋରି ଯାଇଛନ୍ତି। ଜନ୍ମମାଟିରେ କବିଙ୍କ ଅନ୍ତୁଡ଼ିଶାଳ ମାଟିରେ ମିଶି ସାରି‌ଲାଣି। ତାକୁ ସ୍ମାରକୀ ଭା‌ବେ ସରକାର କି ପ୍ରଶାସନ ସାଇତି ରଖିବାକୁ ଆଗ୍ରହ ପ୍ରକାଶ କରି ନଥିବା ବେଳେ ଏବେ ଗାଁର କବି ବିନୋଦଚନ୍ଦ୍ର ନାଏକ ସ୍ମୃତି କମିଟି ନିଜ ଉଦ୍ୟମ‌ରେ କବିଙ୍କ ଦୁଇଟି ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ହେଲେ, ସୁନ୍ଦରଗଡ଼ର କିଛି ସାହିତ୍ୟାନୁରାଗୀ ତିଆରି କରିଥିବା ପ୍ରତିମୂର୍ତ୍ତି ୬ମାସ ହେବ ପ୍ରତିଷ୍ଠା ହୋଇପାରୁନି। କେଉଁଠି ବି ଓଡ଼ିଆ ସାହିତ୍ୟର ଏହି ବରପୁତ୍ରଙ୍କ ପାଇଁ ସ୍ଥାନ ମିଳୁନାହିଁ।

୧୯୧୯ ମସିହା ସପ୍ଟେମ୍ବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ କବି ବିନୋଦଚନ୍ଦ୍ର ।

କବି ବିନୋଦ ଗାଁର ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଲେଖିଥିଲେ ‘ଗଣେଶ ବନ୍ଦନା’ , ତାହା ହିଁ ତାଙ୍କ ପ୍ରଥମ ରଚନା ଥିଲା। ୧୯୩୨ରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମ୍ପାଦନାରେ ଦିଲ୍ଲୀରୁ ପ୍ରକାଶିତ ଇଂରାଜୀ ପତ୍ରିକାରେ ସଚ୍ଚି ରାଉତରାୟଙ୍କ ‘ମଦରଲାଣ୍ଡ ଓ କବି ବିନୋଦ’ଙ୍କ ‘ଦ ଗାର୍ଲ୍ସ ଆଣ୍ଡ ଦ କୁକୋ’ କବିତା‌ ଏକାସଙ୍ଗରେ ପ୍ରକାଶ ପାଇ ଚର୍ଚ୍ଚାକୁ ଆସିଥିଲା। ନନ୍ଦାଦେବୀ କବିତା ଗ୍ରନ୍ଥର ‘ଗ୍ରାମପଥ’ କବିଙ୍କୁ କାଳଜୟୀ କରିଥିଲା। ବିବାହ କରିବା ପରେ ବିନୋଦଚନ୍ଦ୍ର ଶ୍ବଶୁରଘର ସାହସପୁରରେ ସପରିବାର ରହୁଥିଲେ। ୨୦୦୩ ନଭେମ୍ବର ୧୫ରେ କବିଙ୍କ ଦେହାନ୍ତ ହୁଏ। ଏହା ମଧ୍ୟରେ ପୁଅ, ଝିଅ ବି ଚାଲିଗଲେଣି। ଏବେ ସାହସପୁରରେ ତାଙ୍କ ପୁତ୍ରବଧୂ ସହ ରକ୍ତସନ୍ତକ ନାତିନାତୁଣୀ ରାଜେଶ, ରାଜିମ, ରାନୀ ଓ ସୀମା ରହୁଛନ୍ତି।

ଶ୍ବଶୁରଘରେ ରହୁଥିଲେ ମଧ୍ୟ ନିଜ ଜନ୍ମମାଟିକୁ ସେ କେବେ ଭୁଲି ପାରି ନଥିଲେ। କର୍ମବ୍ୟସ୍ତ ଜୀବନରୁ ସମୟ ବାହାର କରି ବହୁ ସମୟରେ ସେ ଛୁଟି ଆସୁଥିଲେ ନିଜ ପ୍ରିୟ ଗାଁକୁ। ଗାଁକୁ ଯେବେ ଆସୁଥିଲେ, ଗାଁରେ ଥିବା ପୁତୁରା ଶଶାଙ୍କ ନାଏକଙ୍କ ଘରେ ଅବସ୍ଥାନ କରୁଥିଲେ। ଏବେ ଗାଁରେ ତାଙ୍କ ପରଲୋକଗତ ତିନି ଭାଇ ମନ୍ତ୍ରମଣି, ଅମୀୟକାନ୍ତ ଓ କୁଞ୍ଜବିହାରୀଙ୍କ ପୁଅମାନେ ରହୁଛନ୍ତି। ପୁତୁରା ଶଶାଙ୍କ ସ୍ମୃତିଚାରଣ କରି କହିଛନ୍ତି, ‘ବଡ଼ବାପା (କବି) ଆସିଲେ ତାଙ୍କୁ ଭେଟିବାକୁ ଘରେ ଲୋକଙ୍କ ମେଳା ଲାଗି ଯାଉଥିଲା। ତାରି ମଧ୍ୟରେ ସେ ଚୁପକିନା ଘରୁ ବାହାରି ଯାଉଥିଲେ ଗାଁ ଭିତରକୁ। ଆମ୍ବ ତୋଟାମାଳ, ଇଚ୍ଛାନଈ କୂଳକୁ ଯାଇ ଘଡ଼ିଏ ବସୁଥିଲେ ଏକା ଏକା। ବୋଧହୁଏ ତାଙ୍କ ଅଫେରା ପିଲାଦିନକୁ ମନେ ପକାଉଥିଲେ। ’

ବିଡ଼ମ୍ବନାର ବିଷୟ, କେବଳ କବିଙ୍କ ଗାଁର ପାଦଚଲା ବାଟ କର୍ଦ୍ଦମାକ୍ତ, ଧୂଳିଧୂସରିତ ହୋଇଛି ତାହା ନୁହେଁ, ଗାଁ ମାଟିରୁ ବିଶ୍ବ ଯାଏ ଖ୍ୟାତ ବିନୋଦଚନ୍ଦ୍ର ନାଏକଙ୍କ ସ୍ମୃତିଚିହ୍ନ ସବୁ ଏମିତି ମାଟିରେ ମିଶିଯିବାକୁ ବସିଛି। ଏ ଯାଏ ସୁନ୍ଦରଗଡ଼ ଜିଲ୍ଲାର କୌଣସି ଶିକ୍ଷାନୁଷ୍ଠାନ କି ରାସ୍ତା ବା ପାଠାଗାରକୁ କବିଙ୍କ ନାମରେ ଉତ୍ସର୍ଗ କରାଯାଇପାରିନାହିଁ। ଗାଁକୁ ଛାଡ଼ିଦେଲେ ଏବେ କେଉଁଠି ବି ଏହି ଖ୍ୟାତନାମା କବିଙ୍କ ପ୍ରତିମୂର୍ତ୍ତି କି କୌଣସି ସ୍ମୃତିସୌଧଟେ ନାହିଁ। ସମ୍ବଲପୁରରେ କବି ଗଙ୍ଗାଧର ମେହେରଙ୍କ ନାମରେ ଏକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ନାମକରଣ ହୋଇପାରିଛି, ଅଥଚ ସ୍କୁଲ ଜୀବନ କାଟିଥିବା ଭବାନୀଶଙ୍କର ଉଚ୍ଚବିଦ୍ୟାଳୟ କି ଅଧ୍ୟାପନା ଜୀବନର ୭ ବର୍ଷ କଟିଥିବା ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଏ ଯାଏ ତାଙ୍କୁ ସାମାନ୍ୟ ସମ୍ମାନ ଟିକେ ଦେବାକୁ ଉଚିତ ମଣିନାହିଁ।

ସମ୍ବନ୍ଧିତ ଖବର