ରାଜ୍ୟରେ ହେଲା ଚତୁର୍ଥ କାଡାଭରିକ୍‌ ପ୍ରତିରୋପଣ: ଗ୍ରିନ୍‌ କରିଡରରେ ଭୁବନେଶ୍ବରରୁ ଏସ୍‌ସିବି ଅଣାଗଲା କିଡ୍‌ନି

ମୁମ୍ବାଇରୁ ଆସି ରାତି ଫ୍ଲାଇଟ୍‌ରେ ପହଞ୍ଚିଲେ ମହିଳା

କଟକ: ଦୁଇବର୍ଷ ଦୁଇ ମାସର ବ୍ୟବଧାନରେ ରାଜ୍ୟରେ ହୋଇଛି କାଡାଭରିକ୍‌ କିଡନି ପ୍ରତିରୋପଣ। ରାଜ୍ୟରେ ଏହାହେଉଛି ଚତୁର୍ଥ କାଡାଭରିକ ପ୍ରତିରୋପଣ। ବ୍ରହ୍ମୁପୁରର ଛାତ୍ରୀ ସିଦ୍ଧି ସମୃଦ୍ଧି(୧୫)ଙ୍କର ଗତକାଲି ରାତିରେ ମୃତ୍ୟୁପରେ ତାଙ୍କ ପରିବାର ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିବା ସହ ଝିଅର ଦୁଇଟି କିଡ୍‌ନିକୁ ଦାନ କରିଥିଲେ। ସିଦ୍ଧି ସମୃଦ୍ଧିଙ୍କ କିଡ୍‌ନିରେ ଆଜି ଦୁଇଜଣ ନୂଆ ଜୀବନ ପାଇଛନ୍ତି।

କଟକ ବଡ଼ଡାକ୍ତରଖାନାର ୟୁରୋଲୋଜି ବିଭାଗରେ ଆଜି ସଫଳତାର ସହ ଚତୁର୍ଥ କାଡାଭରିକ୍‌ କିଡ୍‌ନି ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟ ଏକ କାଡାଭରିକ୍‌ ପ୍ରତିରୋପଣ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଜଣେ ପୁରୁଷ ରୋଗୀଙ୍କ ଠାରେ କରାଯାଇଛି। ଏସ୍‌ସିବିରେ ‌ଜଗତ୍‌ସିଂହପୁର ଜିଲ୍ଲାର ମହିଳା ଓ ଆପୋଲୋରେ କେନ୍ଦ୍ରାପଡା ଜିଲ୍ଲାର ଜଣେ ପୁରୁଷଙ୍କ ଶରୀରେ ଏହି ପ୍ରତିରୋପଣ କରାଯାଇଛି। ଏଭଳି ପ୍ରତିରୋପଣ ପରେ ୫ବର୍ଷ ହେଲା କିଡ୍‌ନି ଆବଶ୍ୟକତା ଥିବା ମହିଳାଙ୍କ ପରିବାର ରାଜ୍ୟସରକାର ଓ ସିଦ୍ଧି ସମୃଦ୍ଧିଙ୍କ ପରିବାରକୁ କୃତଜ୍ଞତା ଜଣାଇଛନ୍ତି। ମୁମ୍ବାଇରେ ଥିବା ଏହି ମହିଳାଙ୍କୁ କିଡନି ପ୍ରତିରୋପଣ ପାଇଁ ଗତକାଲି ଫୋନ୍‌ ଯିବାପରେ ସେ ବିମାନ ଯୋଗେ ଆସି ରାତି ୧୨ଟାରେ ଏସ୍‌ସିବିରେ ପହଞ୍ଚିଥିଲେ। ଆଜି ତାଙ୍କର ଅସ୍ତ୍ରୋପଚାର ହୋଇଥିଲା।

ଏସ୍‌ସିବି ୟୁରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସମୀର ସ୍ବାଇଁଙ୍କ ନେତୃତ୍ବରେ ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ, ନେଫ୍ରୋଲୋଜି ବିଭାଗ ମୁଖ୍ୟ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର କଲ୍ୟାଣୀ ପରିଡା, ଡାକ୍ତର ଦେବାଶିଷ ମାହାଲି, ଡାକ୍ତର ଶରତ ପରିଡାଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ସଫଳତାର ସହ ଅସ୍ତ୍ରୋପଚାର କରିଥିଲେ। ସଟୋର ମୁଖ୍ୟ ଡାକ୍ତର ଉମାକାନ୍ତ ଶତପଥୀ, ଏସ୍‌ସିବି ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ପ୍ରମୁଖ କାଡାଭରିକ୍‌ ପ୍ରତିରୋପଣରେ ସହଯୋଗ କରିଥିଲେ। ଅନ୍ୟପଟେ ଆପୋଲୋରେ ଡାକ୍ତର ସମୀରଣ ଦାସ ଅଧିକାରୀଙ୍କ ନେତୃତ୍ବରେ କିଡ୍‌ନି ପ୍ରତିରୋପଣ କରାଯାଇଥିବା ବେଳେ ତାଙ୍କୁ ଡାକ୍ତର ପ୍ରତୀକ ସାହୁ, ଡାକ୍ତର ସୌମିତ୍ର ଓ ଅଶୋକ ସହଯୋଗ କରିଥିଲେ। ଏଭଳି ଘଟଣା ପରେ ଭାରତ ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ସିଦ୍ଧି ସମୃଦ୍ଧିଙ୍କ ପରିବାରକୁ ସମବେଦନା ଜଣାଇବା ସହ କାଡାଭରିକ୍‌ ପ୍ରତିରୋପଣ କରିଥିବା ସମସ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‌

ସମ୍ବନ୍ଧିତ ଖବର