ଏଥର ସ୍ବତନ୍ତ୍ର ହେବ ମହୋଦଧି ମହୋତ୍ସବ, ଯୋଗଦେବେ ୩୦ ଦେଶରୁ ୧୦ହଜାର ସାଧୁସନ୍ଥ, ଭକ୍ତ

ରାଷ୍ଟ୍ରପତି ହେବେ ନିମନ୍ତ୍ରିତ ଅତିଥି

ପୁରୀ : ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ବାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆଳତିର ୧୭ତମ ବାର୍ଷିକ ମହୋତ୍ସବ ଆସନ୍ତା ଜାନୁଆରି ୬ ତାରିଖ ପୌଷପୂର୍ଣ୍ଣିମାରେ ଅନୁଷ୍ଠିତ ହେବ। ଏଥିରେ ୩୦ଟି ଦେଶରୁ ୧୦ହଜାରରୁ ଅଧିକ ସାଧୁସନ୍ଥ, ଭକ୍ତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ରାଷ୍ଟ୍ରପତିଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ବି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଦିନ ଜଗଦ୍‌ଗୁରୁ ଶଙ୍କାରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଉପସ୍ଥିତିରେ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଗୋବର୍ଦ୍ଧନ ପୀଠରେ ଅନୁଷ୍ଠିତ ହୋଇଯାଇଛି।

ଏହି ପବିତ୍ର ସାଗର ଆଳତିର ପରିକଳ୍ପନା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମହୋଦଧି ଭଗବାନଙ୍କ ନିତ୍ୟ ସଂଧ୍ୟା ଆଳତି ବିଗତ ୧୭ ବର୍ଷ ଧରି ହୋଇଆସୁଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ସ୍ଥାନୀୟ ଗଣମାଧ୍ୟମ, ରାଜ୍ୟପାଳ ଓ ଗଜପତି ମହାରାଜା ଅତ୍ୟନ୍ତ ଆସ୍ଥାପ୍ରକଟ ପୂର୍ବକ ସମସ୍ତ ସହଯୋଗ କରି ଆସୁଛନ୍ତି। ଆଗାମୀ ମହୋତ୍ସବରେ ପୂର୍ବବର୍ଷ ଭଳି ସମସ୍ତଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ ବୋଲି ଶଙ୍କରାଚାର୍ଯ୍ୟ ଆଶା ପ୍ରକଟ କରିଛନ୍ତି।

ମହୋତ୍ସବର ପ୍ରସ୍ତୁତି ସମ୍ପର୍କରେ ସୂଚନାଦେଇ ସଞ୍ଚାଳନ ସମିତି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ଚଳିତ ବର୍ଷ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା, ବିଭିନ୍ନ ସନାତନ ସମ୍ପ୍ରଦାୟର ସନ୍ଥ, ମହନ୍ତ, ରାଜ୍ୟପାଳ, ଗଜପତି ମହାରାଜା ଯୋଗଦେବେ। ସେହିଭଳି ୩୦ଟି ଦେଶର ୬୦୦ ବିଦେଶୀ ଭକ୍ତଙ୍କ ସମେତ ସମଗ୍ର ଦେଶରୁ ୧୦ହଜାର ଭକ୍ତ ବି ଏହି ମହୋତ୍ସବରେ ଯୋଗଦେବେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଓମ୍ ପରିବାର, ପୀଠ ପରିଷଦ, ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ୫ହଜାର ସ୍ବେଚ୍ଛାସେବୀ ସହଯୋଗ କରିବେ। ସ୍ବର୍ଗଦ୍ବାରଠାରୁ ଦିଗବାରେଣୀ ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମିରେ ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ସମୂହ ସମୁଦ୍ର ଆଳତିର ମଧ୍ୟ ଆୟୋଜନ କରାଯିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ମହୋଦଧି ଆଳତି ସଞ୍ଚାଳନ ସମିତି ଅଧ୍ୟକ୍ଷ ଇଂ. ପ୍ରଶାନ୍ତ କୁମାର ଆଚାର୍ଯ୍ୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର ଏହି ପ୍ରସ୍ତୁତି ବୈଠକରେ ମାତୃପ୍ରସାଦ ମିଶ୍ର, ପ୍ରଭୁ ମହାନ୍ତି, ଅରୁଣ ମହାନ୍ତି, ଶୁଭେନ୍ଦୁ ସ୍ବାଇଁ, ମହେଶ ସାହୁ, ବିଚିତ୍ରାନନ୍ଦ ମହାନ୍ତି, ତନ୍ମୟ ଚାଟାର୍ଜୀ, ଚିନ୍ମୟୀ ଦେଓ, ସୁରେଶ ସିଂହ, ହୃଷୀକେଶ ବ୍ରହ୍ମଚାରୀ, ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର