ମୋ ସେବା କେନ୍ଦ୍ରରେ ହାଇସିକ୍ୟୁରିଟି ନମ୍ବର ଆବେଦନ ସୁବିଧା

ସମସ୍ତ ଆର୍‌ଟିଓରେ ହେଲ୍‌ପ ଡେସ୍କ୍

କଟକ : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍‌(ଏଚ୍‌ଏସ୍‌ଆର୍‌ପି) ଆବେଦନ ପାଇଁ ଗାଡ଼ି ମାଲିକ ‘ମୋ ସେବା କେନ୍ଦ୍ର’ର ସହଯୋଗ ନେଇପାରିବେ। ଗାଡ଼ି ମାଲିକମାନେ ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ରେ ଏଥିପାଇଁ ଆବେଦନ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ସୂଚନା ଦେଇଛନ୍ତି।

ଏଯାଏ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ଥିଲା। ଏବେ ଲୋକଙ୍କ ପାଇଁ ଏହାକୁ ସହଜ କରିବା ପାଇଁ ‘ମୋ ସେବା କେନ୍ଦ୍ର’କୁ ବ୍ୟବହାର କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓସିଏସି)କୁ ଏ ନେଇ ଅନୁରୋଧ କରିଛି। ସେହି ଅନୁଯାୟୀ ଓସିଏସି ଏହି ସୁବିଧାକୁ ରାଜ୍ୟର ସମସ୍ତ ‘ମୋ ସେବା କେନ୍ଦ୍ର’ରେ ଉପଲବ୍ଧ କରାଇଛନ୍ତି। ଇଣ୍ଟରନେଟ୍ ସୁବିଧା ପର୍ଯ୍ୟାପ୍ତ ନ ଥିବା ଉପାନ୍ତ ଅଞ୍ଚଳର ଲୋକଙ୍କୁ ଏହା ସାହାଯ୍ୟ କରିବ। ଏହାବ୍ୟତୀତ ରାଜ୍ୟ ପରିବହନ ବିଭାଗ ସମସ୍ତ ଓଇଏମ୍‌ (ଯାନ ନିର୍ମାତା)ଙ୍କୁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ିମାଲିକମାନଙ୍କୁ ନମ୍ବର ପ୍ଲେଟ୍ ବୁକିଂ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଆର୍‌ଟିଓ ଓ ଏଆର୍‌ଟିଓ କାର୍ଯ୍ୟାଳୟ (୩୮ଟି ଅଫିସ୍) ରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ହେଲପ୍ ଡେସ୍କ ଖୋଲାଯିବ। ଓଇଏମ୍‌ମାନଙ୍କୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କ୍ୟାମ୍ପ ଅଥବା ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ଓଇଏମ୍‌ ଡିଲର ନେଟୱାର୍କ ଉପଲବ୍ଧ ନାହିଁ, ସେଠାରେ ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ଓଇଏମ୍‌ଗୁଡ଼ିକ କ୍ୟାମ୍ପ ଫିଟ୍‌ମେଣ୍ଟ ସେଣ୍ଟର ଅଥବା ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି।

ସମ୍ବନ୍ଧିତ ଖବର