ସ୍ୱାଧୀନତାର ୭୩ ବର୍ଷ ପରେ ବି ଓଡ଼ଗାଁ ବ୍ଲକ୍‌ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗାଁ ‘ଲାଣ୍ତିଗିରି’କୁ ନାହିଁ ସ୍ଥାୟୀ ରାସ୍ତାଟିଏ

ଓଡ଼ଗାଁ : ସ୍ୱାଧୀନତାର ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଓଡ଼ଗାଁ ବ୍ଲକ୍‌ ବାଣ୍ଠପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗାଁ ଲାଣ୍ତିଗିରିକୁ ଗମନାଗମନ ପାଇଁ ସ୍ଥାୟୀ ରାସ୍ତାଟିଏ ନାହିଁ। ଜଙ୍ଗଲ, ପାହାଡ଼, ଖାଲଖମା ଆବଡ଼ା ଖାବଡ଼ା ମାଟି ରାସ୍ତା ସାଙ୍ଗକୁ ହାତୀ ଉପଦ୍ରବ ଏହି ରାସ୍ତାରେ ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲିଟିଛି। ବର୍ଷା ଦିନ ହେଲେ କାଦୁ ପଚ୍‌ପଚ୍‌ ରାସ୍ତାରେ ଯାତାୟାତ କରିବା କଷ୍ଟସାଧ୍ୟ। ନିତିଦିନିଆ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ଲୋକ ପ୍ରତିନିଧିମାନଙ୍କ ନିକଟରେ ଦାବି କରିଆସୁଛନ୍ତି। ମାତ୍ର ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଲୋକମାନେ ସେମିତି ଦୁର୍ଦ୍ଦଶା ଭୋଗୁଛନ୍ତି। କେବଳ ପ୍ରତିଶ୍ରୁତି ମିଳୁଛି, ସୁଫଳ ନାହିଁ। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି। ମାତ୍ର ନିଜସ୍ବ କେନ୍ଦ୍ରର ଗୃହ ନିର୍ମାଣ ହୋଇନାହିଁ। ପାଖ ଗାଁରୁ କର୍ମୀ ଆସି ଯେକୌଣସି ଲୋକଙ୍କ ଘର ବାରଣ୍ତାରେ କେନ୍ଦ୍ର ଚଳାନ୍ତି। ତେବେ ବର୍ଷା ହେଲେ କିମ୍ବା ବର୍ଷା ଦିନେ ସେ ଏହି ରାସ୍ତା ସମସ୍ୟାରୁ ଯାଇନଥାନ୍ତି। ଫଳରେ ସେହି ସମୟରେ କେନ୍ଦ୍ର କେବଳ କାଗଜ କଲମରେ ଚାଲିଥାଏ।

୩୫ଟି ପରିବାରର ୧୫୦ ଜଣ ଅଧିବାସୀଙ୍କୁ ନେଇ ଲାଣ୍ତିଗିରି ଗାଁ। ଅନ୍ୟର ମୂଲପାତି ଲାଗିବା ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବିକି ଜୀବିକା ନିର୍ବାହ କରନ୍ତି ଏମାନେ। ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫କିମି ଦୂରରେ ଗାଁଟି ଅବସ୍ଥିତ ହୋଇଥିବା ବେଳେ ଓସ୍ତିଆ ଗ୍ରାମଠାରୁ ୫ କିମି ସ୍ଥାୟୀ ରାସ୍ତା ନାହିଁ। ସେହିପରି ଗାଁର ଆଉ ଏକ ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ। ଗାଁରେ ଗୋଟିଏ ମାତ୍ର ନଳକୂପ। ତାହା ଅଚଳ ହେଲେ ଗାଁରେ ଥିବା ଏକ ଖୋଲାକୂଅର ପାଣି ବ୍ୟବହାର ହୋଇଥାଏ। ମାତ୍ର ମାର୍ଚ୍ଚ ବେଳକୁ କୂଅ ଶୁଖିଗଲେ ଲୋକ ବାଧ୍ୟ ହୋଇ ଗ୍ରାମ ନିକଟସ୍ଥ ଶୁଆସାରି ନାଳ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ବିଭିନ୍ନ ସଂକ୍ରାମକ ରୋଗରେ ପୀଡ଼ିତ ହୋଇଥାନ୍ତି। ଗାଁରେ ଆଉ ଏକ ନଳକୂପ ନିର୍ମାଣ କରିବା ପାଇଁ ଦାବି ହେଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଗ୍ରାମବାସୀଙ୍କ ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର