ଫସଲ ବୀମାରେ ଚଞ୍ଚକତା ଘଟଣା: ମହିଳା ସମେତ ୩ କୋର୍ଟଚାଲାଣ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଂଚଳରେ ଅନ୍ୟ ଜଣଙ୍କ ଜମିରେ ଫସଲ ବୀମା କରି ଜଣେ ମହିଳାଙ୍କ ସମେତ ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ହାତୀବନ୍ଧା ଗାଁର କୁନ୍ତଳା ମେହେର, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ତା ଥାନା ବେଲପଡ଼ା ଉପରପଡ଼ାର ପନ୍ନୁ ମେହେର ଓରଫ ଜିତେନ୍ଦ୍ର ଏବଂ ପଦ୍ମନାଭ ମେହେର।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ବେଲପଡ଼ା ବ୍ଲକ୍‌ କାନୁଟ ଗାଁର କଙ୍ଗାଳୁ ସାହୁ, ବିଶ୍ବେଶ୍ବର ସାହୁ ସେମାନଙ୍କ ଜମିର ଫସଲ ବୀମା ପାଇଁ ଯାଇଥିବା ସମୟରେ କେହି ଅଜଣା ବ୍ୟକ୍ତି ବୀମା କରାଇ ନେଇଥିବା ଜାଣିବାକୁ ପାଇଥିଲେ। ପରେ ସେମାନେ ବେଲପଡ଼ା ଥାନା ଓ କୃଷି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ପୁଲିସ ଏହାର ତଦନ୍ତ କରି ଉକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ୩ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ ଜବତ କରାଯାଇଛି। ଏହି ମହିଳା ଜଣକ ପୂର୍ବରୁ ମଧ୍ୟ ଅଚିହ୍ନା ଲୋକଙ୍କ ନେଟ ପଟ୍ଟା କାଢ଼ି ବହୁବର୍ଷ ହେଲା ବୀମା ପ୍ରିୟିୟମ ଦେଇ ସହାୟତା ରାଶି ହଡ଼ପ କରୁଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ଜିଲ୍ଲା ସାରା ଅସଲି ଜମିରେ ନକଲି କୃଷିବୀମା ରାକେଟ ସକ୍ରିୟ ଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ବହୁ ବଡ଼ବଡ଼ିଆ ବାବୁମାନେ ଧରାପଡ଼ିବେ ଅଞ୍ଚଳର ଜନସାଧାରଣ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର