ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଏନ୍କ୍ଲୋଜର୍ରେ ୭ ମାସ ହେଲା ବନ୍ଦୀ ଜୀବନ କାଟୁଛି ବାଘୁଣୀ ‘ସୁନ୍ଦରୀ’। ଏତେ ଦିନ ହେଲା ଏନ୍କ୍ଲୋଜର୍ ଭିତରେ ଜଙ୍ଗଲୀ ବାଘୁଣୀ ରହିଥିଲେ ମଧ୍ୟ ସେଥିପ୍ରତି କେହି ଗୁରୁତ୍ବ ଦେଉନାହାନ୍ତି। ନିର୍ବାଚନ, ବାତ୍ୟା ‘ଫନି’କୁ ଆଳ କରି ବନ ବିଭାଗ ଅଧିକାରୀମାନେ ଦିନ ଗଡ଼ାଇ ଚାଲୁଥିବା ବେଳେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନଟିସିଏ) ଓ ୱାଇଲଡ୍ ଲାଇଫ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ) କିଛି ବି ପଦକ୍ଷେପ ନେଉନାହାନ୍ତି। ଯେଉଁଥିପାଇଁ ଝୁଲି ରହିଛି ‘ସୁନ୍ଦରୀ’ର ଭାଗ୍ୟ।
ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ ‘ସୁନ୍ଦରୀ’ର ଭବିଷ୍ୟତ ଡବ୍ଲୁଆଇଆଇର ନିଷ୍ପତ୍ତି ଉପରେ ନିର୍ଭର କରେ। ନିୟମ ଅନୁଯାୟୀ ସେମାନେ ଯେଉଁ ନିଷ୍ପତ୍ତି ନେବେ ତାହାକୁ ପାଳନ କରାଯିବ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏକ ମାସ ଭିତରେ ବାଘୁଣୀ ‘ସୁନ୍ଦରୀ’ର ଭାଗ୍ୟ ନିର୍ଦ୍ଧାରଣ କରାଯିବ। ଏଥିପାଇଁ ଖୁବ୍ଶୀଘ୍ର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ସୁନ୍ଦରୀକୁ ଛାଡ଼ିବା ପୂର୍ବରୁ ସମସ୍ତ କ୍ଷେତ୍ର ପ୍ରସ୍ତୁତି ନେଇ ଅନୁଧ୍ୟାନ କରାଯିବ। ଏନ୍ଟିସିଏ ଓ ଡବ୍ଲୁଆଇଆଇର ନୀତିନିୟମ, ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଦେଶରେ ପ୍ରଥମଥର ପାଇଁ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ କରିଥିବା ଏନଟିସିଏର ଅଧିକାରୀମାନେ ଏ ଦିଗରେ ଆଉ ପୂର୍ବଭଳି ମୁଣ୍ଡ ପୂରାଉ ନାହାନ୍ତି। ବାଘ ‘ମହାବୀର’ର ମୃତ୍ୟୁ ପରେ ଏକପ୍ରକାର ଚୁପ୍ ହୋଇ ବସିଛି ଏନ୍ଟିସିଏ। ସମ୍ପ୍ରସାରଣ ଆଗକୁ ବଢ଼ାଇବାକୁ ବି ଇଚ୍ଛା ପ୍ରକାଶ କରୁନି। ତିନି ମାସ ତଳେ ଏନ୍ଟିସିଏର ଏକ ଟିମ୍ ଏନ୍କ୍ଲୋଜରକୁ ଗସ୍ତ କରି ସୁନ୍ଦରୀର ସ୍ଥିତି ଅନୁଧ୍ୟାନ କରିଥିଲା। ତେବେ ଏହାପରେ କିଛି ବି କାର୍ଯ୍ୟକ୍ରମ ହାତକୁ ନିଆଯାଇନି। ୨୦୧୯ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୧୮ ଜୁନ୍ ମାସରେ ଗୋଟିଏ ଲେଖାଏଁ ବାଘ ଓ ବାଘୁଣୀ ଆସିବା ପରେ ଜାନୁଆରି ସୁଦ୍ଧା ଦ୍ବିତୀୟ ଓ ମେ’ ମାସ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ଆଉ ଦୁଇ ଯୋଡ଼ା ବାଘ ଆଣିବାକୁ ଯୋଜନା ହୋଇଥିଲା। ହେଲେ ପ୍ରଥମରୁ ପ୍ରକଳ୍ପକୁ ଧକ୍କା ଲାଗିଥିଲା। ଏବେ ଜୁନ୍ ମାସ ସରିବାକୁ ବସିଥିବାରୁ ପରବର୍ତୀ ପର୍ଯ୍ୟାୟରେ ଆଉ ବାଘ ଆସିବେ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ବିଶେଷଜ୍ଞଙ୍କ କହିବା କଥା ହେଉଛି, ବାଘୁଣୀ ଦୀର୍ଘ ଦିନ ଧରି ଏନକ୍ଲୋଜର୍ରେ ରହିବା ଓ ବୋଲ ମାନିବା ଦ୍ବାରା ସେ ତାହାର ଜଙ୍ଗଲୀ ପ୍ରବୃତ୍ତି ହରାଇବାକୁ ବସିଲାଣି। ଆଉ ଯଦି ୨ରୁ ୩ ମାସ ଏଭଳି ଏନ୍କ୍ଲୋଜରରେ ରହିବ, ସେ ଜଙ୍ଗଲ ଭିତରକୁ ଯିବାକୁ ଅମଙ୍ଗ ହୋଇପାରେ। ଯେଉଁ ଉଦ୍ଦେଶ୍ୟ ପାଇଁ ଦେଶରେ ପ୍ରଥମଥର ପାଇଁ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ହୋଇଥିଲା, ତାହା ଅଧାରେ ରହି ଯାଇଛି। ସାତକୋଶିଆ ଅଭୟାରଣ୍ୟକୁ ଭଲ ଭାବେ ଅନୁଧ୍ୟାନ ନ କରି ଛାଡ଼ିବା ଦ୍ବାରା ସୁନ୍ଦରୀକାଣ୍ଡ ଭଳି ଅବସ୍ଥା ଭୋଗିବାକୁ ପଡ଼ିଲା। ଏଥର ଯଦି ଛାଡ଼ିବାକୁ ଯୋଜନା ହୁଏ ତେବେ ଲୋକଙ୍କ ସହଯୋଗ, ଭିତ୍ତିଭୂମିକୁ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି।